ବସିପାରିଲାନି ହାବଳେଶ୍ୱର ପଞ୍ଚାୟତ ବୈଠକ
ହାଟଡିହି, (ବିକାଶ ବିଶ୍ୱାଳ) :-ପଞ୍ଚାୟତ ବୈଠକ ଡାକିଦେଇ ଆସିଲେନି ସରପଞ୍ଚ କି ପଞ୍ଚାୟତ ନିର୍ବାହୀ ଅଧିକାରୀ । ଫଳରେ ୱାର୍ଡସଭ୍ୟ ସଭ୍ୟା ମାନେ ପଞ୍ଚାୟତରେ ବସିବସି ଅସନ୍ତୋଷ ବ୍ୟକ୍ତ କରି ଘରକୁ ଫେରିଛନ୍ତି । ସେମାନଙ୍କ ଅଭିଯୋଗ ଅନୁଯାଇ ୨୩ତାରିଖରେ ପଞ୍ଚାୟତ କାର୍ଯ୍ୟାଳୟରେ ପଞ୍ଚାୟତର ମାସିକିଆ ବୈଠକ କରାଯିବାକୁ ପିଇଓ ସମସ୍ତ ୱାର୍ଡସଭ୍ୟ ମାନଙ୍କୁ ନୋଟିସ କରିଥିଲେ । କିନ୍ତୁ ଆଜି କିଛି ସଭ୍ୟ ପଞ୍ଚାୟତରେ ସକାଳୁ ପହଞ୍ଚି ସରପଞ୍ଚ ଓ ପିଇଓଙ୍କୁ ଚାହିଁ ବସିଥିବାବେଳେ କେହି ଆସିନଥିଲେ । ଫଳରେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାପରେ ୱାର୍ଡସଭ୍ୟମାନେ ଘରକୁ ଫେରି ଯାଇଥିଲେ । ଏ ସମ୍ପର୍କରେ ସରପଞ୍ଚ ରମାକାନ୍ତ ନାୟକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆଜି ଆମ ପଞ୍ଚାୟତକୁ ବିଡିଓ ଆସିବା କଥା । ସେଥିପାଇଁ ବୈଠକ ଡକାଯାଇଥିଲା । କିନ୍ତୁ ଆଜି ଭତ୍ତା ବଣ୍ଟନ କରାଯିବାକୁ କୁହାଯିବାରୁ ଓ ବିଡିଓ ଆସି ନପାରିବା ଜଣାଇବାରୁ ଗତକାଲି ଠାରୁ ବୈଂକକୁ ବନ୍ଦ କରିଦିଆଯାଇଥିଲା ଓ ସମସ୍ତ ୱାର୍ଡସଭ୍ୟଙ୍କୁ ଜଣାଇ ଦିଆଯାଇଥିଲା । ଏଠାରେ ସୁଚନାଯୋଗ୍ୟ ଯେ ଗତ ନାଏବ ସରପଞ୍ଚ ନିର୍ବାଚନ ଦିନଠାରୁ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଥିବାରୁ ପଞ୍ଚାୟତର ବୈଠକ ହୋଇପାରୁ ନଥିବାବେଳେ ଉନ୍ନୟନ କାର୍ଯ୍ୟରେ ମଧ୍ୟ ବାଧା ଉପୁଜୁଛି । ଏହା ଏକ ବନ୍ୟା ପ୍ରପିଡିତ ଅଞ୍ଚଳ ହୋଇଥିବାରୁ ଓ ପଞ୍ଚାୟତର ସମସ୍ତ ଗ୍ରାମରେ ରାସ୍ତା,ଘାଟ ଆଦିସମସ୍ୟା ଥିବାରୁ ଏହାର କୌଣସି ସମାଧାନ ହୋଇପାରୁନି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି ।


