ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଂଜଙ୍କ ମୃତ୍ୟୁ ମାମଲା : ପାରଳା ଡିଏଫ୍‌ଓଙ୍କୁ କ୍ରାଇବ୍ରାଞ୍ଚ ର ୪ଘଣ୍ଟା ଧରି ଜେରା, ସାମ୍ବାଦିକଙ୍କ ପ୍ରଶ୍ନରେ ଡିଏଫ୍‌ଓ ତାତିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ବହୁ ଚର୍ଚ୍ଚିତ ଏପିଏଫ୍ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ଘଟଣାରେ ତାଙ୍କ ପରିବାର ପକ୍ଷରୁ ପାରଳା ଥାନାରେ ଅଭିଯୋଗ ହୋଇଥିବା ମୁଖ୍ୟ ଅଭିଯୁକ୍ତ ତଥା ପାରଳାଖେମୁଣ୍ଡି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଆଜି କ୍ରାଇମ ବ୍ରାଞ୍ଚ ୩ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ଜେରା କରିଥିବାର ଜଣାପଡିଛି । କ୍ରାଇମବ୍ରାଞ୍ଚ ତରଫରୁ ଆଜି ସକାଳ ୯.୩୦ ସମୟରେ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ସ୍ଥାନୀୟ ପୋଲିସ ଗେଷ୍ଟହାଉସ ଠାରେ ଜେରା ଆରମ୍ଭ କରାଯାଇଥିଲା । ଏହି ଜେରା ମଧ୍ୟାହ୍ନ ପ୍ରାୟ ୧.୩୦ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା । ଜେରାର ସମ୍ମୁଖୀ ହେବା ପରେ ଡିଏଫ୍‌ଓ ବାହାରକୁ ଆସିବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ଜେରା ନେଇ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ହେଲେ ପାରଳା ଡିଏଫ୍‌ଓ ଗଣମାଧ୍ୟମ ପ୍ରତିନିଧିଙ୍କ କୌଣସି ପ୍ରଶ୍ନର ଉତ୍ତର ସଠିକ ଢଙ୍ଗରେ ରଖିନଥିଲେ । ସାମ୍ବାଦିକମାନଙ୍କ ଉପରେ ପାରଳା ଡିଏଫ୍‌ଓ ବିଭିନ୍ନ ପ୍ରଶ୍ନକୁ ନେଇ ତାତି ଉଠିବା ସହ ମୁଁ ଯାହା କହିବା କଥା ତଦନ୍ତକାରୀ ଅଧିକାରୀଙ୍କୁ ଜଣାଇଛି । ଆବଶ୍ୟକ ହେଲେ ତାହା ସେମାନଙ୍କୁ ପଚାର କହି ଚାଲିଯାଇଥିଲେ ଡିଏଫ୍‌ଓ । ଏହାପରେ କ୍ରାଇମ ବ୍ରାଞ୍ଚଡିଏସ୍‌ପି ଜ୍ଞାନରଂଜନ ମିଶ୍ରଙ୍କୁ ସାମ୍ବାଦିକମାନଙ୍କୁ କହିଥିଲେ ଯେ, ଡିଏଫଓଙ୍କୁ ପ୍ରାୟ ୪ଘଣ୍ଟା ବିଭିନ୍ନ ଭାବେ ପଚରା ଉଚରା କରାଯାଇଥିଲା । ଏହାର ସମସ୍ତ ଦିଗକୁ ନେଇ ତର୍ଜମା କରାଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡିଏଫଓଙ୍କ ଉପସ୍ଥିତିକୁ ନେଇ ଭାଇରାଲ ଭିଡିଓ ସମ୍ପର୍କରେ କହିଥିଲେ ଯେ, ଏନେଇ ଅଧିକା ଖୋଳତାଡ କରାଯିବ । ଆବଶ୍ୟକ ପଡିଲେ ଲାଇଡିକ୍ଟେସନ ମଧ୍ୟ କରାଯାଇପାରେ ବୋଲି କହିଥିଲେ । ଏଥି ସହ ଆହୁରି ଆବଶ୍ୟକ ପଡିଲେ ଡିଏଫ୍‌ଓଙ୍କୁ ଦ୍ୱିତୀୟ ଥର ପାଇଁ ମଧ୍ୟ ଜେରା କରାଯାଇପାରେ । ସମସ୍ତଙ୍କ ବୟାନ ରେକଡକୁ ଯାଞ୍ଚ କରାଯାଇ ଘଟଣାର ସତ୍ୟାସତ୍ୟକୁ ଉଦ୍‌ଘାଟନ କରିବାକୁ ପ୍ରୟାସ ଚାଲିଛି ବୋଲି ପ୍ରକାଶ କରି ବିଦ୍ୟାଭାରତୀଙ୍କୁ କେବେ ଜେରା କରାଯିବ ବୋଲି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ରଖି କହିଥିଲେ ଯେ, ଅତି ଶୀଘ୍ର ବିଦ୍ୟାଭାରତୀଙ୍କୁ ମଧ୍ୟ ଜେରା କରାଯିବ । ଆଜକୁ ୮ ଦିନ ହେଲା କ୍ରାଇମବ୍ରାଞ୍ଚ ଏଭଳି ଜେରା ଜାରି ରଖିଛି । ଆଜି ଅଷ୍ଟମ ଦିନରେ ଡିଏଫଓଙ୍କୁ ଜେରା କରିଥିଲେ । କ୍ରାଇମବ୍ରାଞ୍ଚ ଏଥି ପୂର୍ବରୁ ପ୍ରାୟ ୧୪ରୁ ଉର୍ଦ୍ଧ ଜଣଙ୍କୁ ଜେରା ଶେଷ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ