ବାଇକ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା: ରାସ୍ତା ଅବରୋଧ

 ବାଇକ ଚାଳକଙ୍କ ଘର ସମ୍ମୁଖରେ ମୃତଦେହ ରଖି ସାହି ବାସିନ୍ଦାଙ୍କ ଧାରଣା 

ଦିଗପହଣ୍ଡି, (‌ୱାଇଏନ୍‌ଏସ୍‌): ଦିଗପହଣ୍ଡି ବ୍ଳକ ବୋମକେଇ ଗ୍ରାମ ମୁଖ୍ୟ ରାସ୍ତା ରେ ବାଇକ ଧକ୍କା ରେ କାହ୍ନା ସେଠୀ ନାମକ ଜଣେ ୭ ମ  ଶ୍ରେଣୀ ଛାତ୍ର ଙ୍କ ମୃତ୍ୟୁ କୁ ନେଇ ଶୁକ୍ରବାର ଦିନସାରା ଉତ୍ତେଜନା ଲାଗିରହିଥିଲା। ରାତି ପ୍ରାୟ ୯ ଟା ରେ ଆପୋଷ ସମାଧାନ ହେବା ପରେ ମୃତଦେହ କୁ ସତ୍କାର କରାଯାଇଥିବା ଜଣାପଡ଼ିଛି। ପ୍ରକାଶ ଯେ, ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଦେଓଖାଳି ଗ୍ରାମର ଜଣେ ଯୁବକ ବୋମକେଇ ଗ୍ରାମରେ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ କାହ୍ନା ହଠାତ ବାଇକ ଆଗକୁ ଚାଲି ଆସିଥିଲେ। ବାଇକ୍ ଧକ୍କା ରେ ଗୁରୁତର ଆହାତ କାହ୍ନା ଙ୍କୁ ପ୍ରଥମେ ବୋମକେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ନିଆଯାଇଥିଲା। ସେଠାରେ  ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପ୍ରଚାରିତ ହେବା ପରେ ଅପରାହ୍ନରେ ପରିବାର ଲୋକେ ସାହି ବାସିନ୍ଦା ଙ୍କ ସହାୟତା ରେ ବୋମକେଇ ଗ୍ରାମ ମୁଖ୍ୟ ରାସ୍ତା କୁ ଖୋଳି ପକାଇ  ରାସ୍ତା ଅବରୋଧ କରିଥିଲେ। ପରେ ଗ୍ରାମର ମୁଖିଆ ମାନଙ୍କ ଅନୁରୋଧ କ୍ରମେ ରାସ୍ତା ଅବରୋଧ ହଟିଥିଲା। ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ମୃତଦେହ ବ୍ୟବଚ୍ଛଦ ପରେ ପୋଲିସ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ମୃତଦେହ ଗାଁ ରେ ପହଞ୍ଚିବା ପରେ କାହ୍ନା  ଙ୍କ ସମ୍ପର୍କୀୟ ଓ ପରିବାର ଲୋକେ ମୃତଦେହ କୁ ଧରି ଦେଓଖାଳି ଗାଁ ରେ ପହଞ୍ଚିବା ସହ ବାଇକ ଚାଳକ ଙ୍କ ଘର ସମ୍ମୁଖରେ ମୃତଦେହ ରଖି ଧାରଣା ରେ ବସି ରହିଥିଲେ। ପରେ ଉଭୟ ପକ୍ଷ ଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଥିବା ଖବର ମିଳିଛି। ଏନେଇ ଚିକିଟି ଏସ ଡି ପି ଓ ସୁରେନ୍ଦ୍ର ନାଥ ମୁର୍ମୁ ଙ୍କୁ ଯୋଗାଯୋଗ କରିବାରୁ ଏନେଇ କୌଣସି ପକ୍ଷ ଥାନାରେ ଏତଲା ଦେଇନଥିବା କହିଛନ୍ତି। ଏତଲା ହସ୍ତଗତ ହେଲା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି କେ. ନୂଆଗାଁ ଥାନା ଆଇ ଆଇ ସି ମାଧବାନନ୍ଦ ନାୟକ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ