ବାଘକୁ ନେଇ କୋକୁଆ ଭୟ

ବାରିପଦା, (ଓ୍ବାଇଏନ୍ଏସ୍):ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅଧୀନ ଗୋବିନ୍ଦପୁର ଗ୍ରାମସହିତ ଆଖପାଖ ଗ୍ରାମଗୁଡ଼ିକ ନିକଟରେ ବାଘକୁ ନେଇ କୋକୁଆ ଭୟ ଖେଳିଯାଇଛି । ଶିମିଳିପାଳ ଅଭୟାରଣ୍ୟରୁ ଗୋଟିଏ କଲରାପତରିଆ ବାଘ କୌଣସି କାରଣରୁ ଜନବସତି ମୁହାଁ ହୋଇଥିଲା । ଗତ ଜୁନ ୯ ତାରିଖ ସନ୍ଧ୍ୟାରେ ଗୋବିନ୍ଦପୁର ଗ୍ରାମର ବାହାଦୂର ସିଂ ଗ୍ରାମ ମୁଣ୍ଡ ଜଙ୍ଗଲ ରାସ୍ତାରେ ଯାଉଥିବା ବେଳେ ଏକ କଲରାପତରିଆ ବାଘ ଘୁରି ବୁଲୁଥିବାର ଦେଖିବାକୁ ପାଇ ଭୟଭିତ ହୋଇ ଗ୍ରାମକୁ ଦୌଡ଼ି ଯାଇ ଜନସାଧାରଣଙ୍କୁ ଏ ନେଇ ଖବର ଦେଇଥିଲେ  । ବାହାଦୂର ନିକଟରୁ ବାଘ ଆସିଥିବା ଖବରଶୁଣି କେତେକ ଗ୍ରାମବାସୀ ଘରର ତାଟି କବାଟ ବନ୍ଦ କରିଦେଇଥିବା ବେଳେ କେତେକ ଯୁବକ ମିଳିତଭାବେ ଲାଇଟ ଓ ଠେଙ୍ଗା ଆଦି ଧରି ବାଘକୁ ଖୋଜିବାରେ ଲାଗିଥିଲେ । ଏହି ସମୟରେ ମାଟିରେ ବାଘର ପାଦ ଚିହ୍ନ ପଡ଼ିଥିବା ଦେଖି ଜଙ୍ଗଲ ବିଭାଗକୁ ଖବର ଦେଇଥିଲେ । ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଁଚି ଚାରି ଆଡ଼େ ଖୋଜାଖୋଜି କରିଥିଲେ ମଧ୍ୟ ବାଘର କୌଣସି ସନ୍ଧାନ ପାଇନଥିଲେ । ଏବିଷୟରେ ଅବୈତନିକ ବନ୍ୟ ପ୍ରାଣୀ ତତ୍ୱାବଧାରକ ଭାନୁମିତ୍ର ଆଚାର୍ଯ୍ୟ ଏହା ନୁଆ ଘଟଣା ନୁହେଁ ବୋଲି କହିବା ସହ ବିଭିନ୍ନ ସମୟରେ ଜଙ୍ଗଲ ଭିତରୁ ବାଘ ବାହାରକୁ ପଳାଇ ଆସିଥିବାର ନଜିର ରହିଛି ବୋଲି କହିଥିଲେ। ଖାଦ୍ୟ ଅନ୍ୱେଷଣରେ ଶିମିଳିପାଳ ପାଦ ଦେଶରେ ରହିଥିବା ଜଙ୍ଗଲ ମଧ୍ୟରୁ ଏପରି ପଳାଇ ଆସିଥାନ୍ତି ବୋଲି କହିଥିଲେ। ଗୋବିନ୍ଦପୁରରେ ଯେଉଁ ପାଦ ଚିହ୍ନ ଦେଖିବାକୁ ମିଳିଥିଲା, ତାହା କଲରାପତରିଆ ବାଘର ପାଦ ଚିହ୍ନ ଥିଲା ଜଙ୍ଗଲ ବିଭାଗର କର୍ମଚାରୀ ମାନେ ପ୍ରକାଶ କରିଛନ୍ତି । ବାଘଟି ଶିମିଳିପାଳ ଅଭୟାରଣ୍ୟ ଭିତରକୁ ପୁନର୍ବାର ଫେରିଯାଇଥାଇ ବୋଲି ଶ୍ରୀଆଚାର୍ଯ୍ୟ ପ୍ରକାଶ କରିଛନ୍ତି । ତେବେ ବାଘକୁ ନେଇ ଗୋବିନ୍ଦପୁର ଓ ପାଖଆଖ ଗ୍ରାମ ଅଞ୍ଚଳର ଜନସାଧାରଣ ଭୟଭିତ ଅବସ୍ଥାରେ ରହିଥିବା ବେଳେ ସନ୍ଧ୍ୟା ନଇଁ ଆସିଲେ ଘରୁ ବାହାରିବାକୁ ଡରୁଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ