ବାଘ-ମଣିଷ ଲଢ଼େଇ ରୋକିବ ସୁଗନ୍ଧିତ ଗଛ
ବାଘ-ମଣିଷ ଲଢ଼େଇ ଅଭୟାରଣ୍ୟରେ କିଛି ନୂଆ କଥା ନୁହେଁ । ଏମିତି ଲଢ଼େଇ ଉତ୍ତରପ୍ରଦେଶର ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ବେଶି ହେଉଛି । ସୀମାବର୍ତ୍ତୀ ଗାଁଗୁଡ଼ିକରେ ଚାଷୀମାନେ ବେଶି ଆଖୁ ଚାଷ କରନ୍ତି ଓ ନୀଳଗାଈ, ହରିଣ ତାହାକୁ ଖାଇବା ପାଇଁ ଆସନ୍ତି । ବାଘ ସେହି ଜୀବଙ୍କୁ ଅନୁସରଣ କରି ଗାଁ ପାଖରେ ପହଞ୍ôଚ ଲୋକଙ୍କୁ ଆକ୍ରମଣ କରେ । ବିଗତ ଏକ ବର୍ଷରେ ୯ ଜଣ କୃଷକ ବାଘ ଆକ୍ରମଣରେ ପ୍ରାଣ ହରାଇଥିବାବେଳେ ନିକଟରେ ବାଘ ଜଣେ କୃଷକଙ୍କୁ ଆକ୍ରମଣ କରିବା ସମୟରେ ସ୍ଥାନୀୟ ଲୋକମାନେ ତାକୁ ପିଟିପିଟି ମାରିଦେଇଛନ୍ତି । ଏମିତି ଲଢ଼େଇ ରୋକିବା ପାଇଁ ଉତ୍ତରପ୍ରଦେଶ ଜଙ୍ଗଲ ବିଭାଗ ଆରମ୍ଭ କରିଛି ଏକ ଅଭିନବ ଉପାୟ । ପିଲିଭିଟ ବ୍ୟାଘ୍ର ଅଭୟାରଣ୍ୟର ସୀମାରେ ସୁଗନ୍ଧିତ ଗଛ ଲଗାଇବାକୁ ଯୋଜନା କରାଯାଇଛି । ଜଣେ ବରିଷ୍ଠ ଅଧିକାରୀ କହନ୍ତି ଯେ, ହରିଣ, ଜଙ୍ଗଲି ଘୁଷୁରି ଏବଂ ନୀଳଗାଈ ଭଳି ତୃଣଭୋଜୀ ପ୍ରାଣୀ ସୁଗନ୍ଧିତ ବୃକ୍ଷକୁ ଖାଆନ୍ତି ନାହିଁ । ଅଭୟାରଣ୍ୟ ସୀମାରେ ଯଦି ସୁଗନ୍ଧିତ ଗଛ ଲଗାଯାଏ ତେବେ ଏହି ପ୍ରାଣୀମାନେ ସୀମା ନିକଟକୁ ଆସିବେନାହିଁ କି ବାଘ ଏହି ଜୀବଙ୍କୁ ଅନୁସରଣ କରିବାର ପ୍ରଶ୍ନ ବି ଉଠିବନାହିଁ । ବାଘ ଅଭୟାରଣ୍ୟ ସୀମାକୁ ନ ଆସିଲେ ବାଘ – ମଣିଷ ଲଢ଼େଇ ହେବା ଆଶଙ୍କା ମଧ୍ୟ ରହିବନି । ସୀମା ନିକଟବର୍ତ୍ତୀ ଗାଁର କୃଷକମାନେ ଲେମନ ଘାସ, ପପି, ପାମ ରୋଜ ଏବଂ ଗେରାନିୟମ ଗଛ ଲଗାଇବା ଆରମ୍ଭ କରିଛନ୍ତି । ଏହା ମଧ୍ୟ ଲାଭଜନକ ଫସଲ । ବର୍ଷକୁ ତିନିଥର ମାର୍ଚ୍ଚ, ଜୁନ ଓ ଅକ୍ଟୋବରରେ ଏହା ଅମଳ ହୋଇପାରିବ । ଜଙ୍ଗଲ ଅଧିକାରୀମାନେ ନ୍ୟାଶନାଲ ବ୍ୟାଙ୍କ ଅଫ୍ ଏଗ୍ରିକଲଚର ଆଣ୍ଡ୍ ରୁରାଲ ଡେଭେଲପ୍ମେଣ୍ଟ (ନାବାର୍ଡ) ଏବଂ ଦି ଏଗ୍ରିକଲଚର ସାଇନ୍ସ ସେଣ୍ଟରର ସହାୟତାରେ କୃଷକମାନଙ୍କୁ ମଞ୍ଜିି ଯୋଗାଇବା ସହ ଚାଷ ସମ୍ପର୍କରେ ଆବଶ୍ୟକ ତଥ୍ୟ ପ୍ରଦାନ କରୁଛନ୍ତି ।


