ବାରମ୍ବାର ସଟଡ଼ାଉନରୁ ବଢୁଛି ଜନଅସନ୍ତୋଷ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ମହାମାରୀ କରୋନା ଭୁତାଣୁ ସଂକ୍ରମଣକୁ ପ୍ରତିହିତ କରିବା ପରିବାକୁ ଦେଶ ଓ ରାଜ୍ୟରେ ମାର୍ଚ୍ଚ ୨୨ ତାରିଖରେ ଜନତାକର୍ଫ୍ୟୁ ଭାବେ ଘୋଷଣା କରାଯାଇଥିବା ବେଳେ ପରଦିନ ଅର୍ଥାତ ୨୩ ତାରିଖ ଠାରୁ ପ୍ରାୟ ୪ ମାସ ଧରି ଲକଡ଼ାଉନ, ସଟଡ଼ାଉନ, ୧୪୪ ଧାରା ଓ ଜନତାକର୍ଫ୍ୟୁ ଜାରି ରହିଥଇଲା । ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହା ଉପରେ କୋହଳ କରାଯାଇ ରାଜ୍ୟ ଏବଂ ସ୍ଥାନୀୟ ପ୍ରଶାସନକୁ ମୁକାବିଲା ପ୍ରସ୍ତୁତ କରିବାକୁ କ୍ଷମତା ପ୍ରଦାନ କରାଯାଇଛି । ଏଭଳି ଅବସ୍ଥାରେ ଗଞ୍ଜାମ ଜିଲ୍ଲାରେ କରୋନା ଉଗ୍ର ରୂପ ଧାରଣ କରିଛି । ରାଜ୍ୟର ସର୍ବାଧିକ କରୋନା ସଂକ୍ରମିତ ଗଞ୍ଜାମ ଜିଲ୍ଲାରେ ରହିଛି । ବୁଧବାର ସୁଦ୍ଧା ରାଜ୍ୟରେ ୩ଲକ୍ଷ ୬୧ ହଜାର ୯୨୦ଙ୍କ ସ୍ୱାବ ପରୀକ୍ଷା କରାଯାଇଥିବା ବେଳେ ୧୫୩୯୨ ଲୋକଙ୍କ ପଜିଟିଭ ରହିଛି । ୧୦୪୭୬ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୮୧୩ ଚିକିତ୍ସା ସକାଶେ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି ଏବଂ ୭୯ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସେହପରି ଗଞ୍ଜାମ ଜିଲ୍ଲାରେ ୪୮୪୭ ସଂକ୍ରମିତଙ୍କ ମଧ୍ୟରୁ ୨୯୭୧ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮୪୭ ସକ୍ରିୟ ରହିଛନ୍ତି ଓ ୪୬ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୯ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ସମସ୍ତ ଏନଏସି ଓଏକମାତ୍ର ପୌରାଂଚଳ ହିଞ୍ଜିଳିକାଟୁ ସହରକୁ ୫ ଦିନ ସକାଶେ ସଟଡ଼ାଉନ ଘୋଷଣଶ କରିଥିଲେ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ଏବଂ ଜିଲ୍ଲାରେ ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଉଦ୍ଦେଶ୍ୟରେ ପୁଣିଥିରେ ୧୪ ତାରିଖ ଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ୮ ଦିନ ପାଇଁ ସଟଡ଼ାଉନ ଘୋଷଣା କରାଯାଇଛି । ଏହା ଫଳରେ ଗରିବ ଶ୍ରେଣୀର ଲୋକ, ଦିନ ମଜୁରିଆ ଓ କ୍ଷୁଦ୍ର ବ୍ୟବସାୟୀ ମହଲରେ ଅସନ୍ତୋଷ ଦେଖାଦେଇଛି । ଗରିବ ପରିବାର ଏକାଧିକ ସପ୍ତାହକ ପାଇଁ ରାସନ ସାମଗ୍ରୀ କିଣିବା ନେଇ ମାନସିକ ଅବସାଦ ବଢୁଛି । ଏଣେ ହିଞ୍ଜିଳିକାଟୁ ପୌରାଂଚଳକୁୁ କଂଟେନମେଂଟ ଜୋନ ଘୋଷଣା କରାଯାଇଥିବାରୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମେତ ପରିବା ବଜାର ସମ୍ପୁର୍ଣ୍ଣ ବନ୍ଦ ରହିଛି । କିଛି ଚାଷୀ ପୌରାଂଚଳର ବିଭିନ୍ନ ୱାର୍ଡ଼ ବୁଲି ବୁଲି ପରିବା ବିକ୍ରି କରୁଥିବାର ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ପନିପରିବା ଦର ଆକାଶଛୁଆଁ ରହିଛି । ଦରବୃଦ୍ଧି ସାଙ୍ଗକୁ ମହଙ୍ଗାମାଡ଼ ଓ ସଟଡ଼ାଉନକୁ ନେଇ ଗୃହିଣୀ ମାନେ ଚିନ୍ତାରେ ପଡ଼ିଗଲେଣି । ବର୍ଷାଋୁତୁର ଆରମ୍ଭରୁ ସ୍ଥାନୀୟ ଅଂଚଳରେ ଥଣ୍ଡା, କାଶ ଓ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା କାରଣରୁ ଔଷଧ ଦୋକାନ ଗୁଡ଼ିକରେ ଏଭଳି ରୋଗର ଉପଷମ ପାଇଁ ଆବଶ୍ୟକୀୟ ଔଧଷ ଗୁଡ଼ିକ ସରିବାକୁ ବସିଲାଣି । ଅନ୍ୟପକ୍ଷରେ ସେଲୁନ, ଚାହା ବିକ୍ରେତା, ଗୁପ୍ଚୁପ, ଚାଟ୍, ଫାଷ୍ଟଫୁଡ଼୍ ବେପାରୀ ମାନଙ୍କ ଦୀର୍ଘ ୪ ମାସ ଧରି ବ୍ୟବସାୟ ବନ୍ଦ ରହିଥିବାରୁ ଆର୍ଥୀକ ଅନଟନ ସାଙ୍ଗକୁ ମାନସିକ ଅବସାଦ ଦେଖାଦେଲାଣି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକଡ଼ାୁନ, ସଟଡ଼ାଉନ,୧୪୪ ଧାରା ସାନ୍ଧ୍ୟ କାଳୀନ କର୍ଫ୍ୟୁ ଜାରି କରାଯାଇ ଆରମ୍ଭ ହୋଇଥିଲା କରେନା ନିୟନ୍ତ୍ରଣ ଅଭିଯାନ । ରାଜ୍ୟ ସରକାର ପ୍ରବାସୀ ମାନଙ୍କୁ ଭିଟାମାଟିକୁ ଫେରାଇ ଆଣିବା ପରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ୨୧,୧୪ ଓ ୭ ଦିନ ଲେଖାଏଁ ଅବସ୍ଥାପିତ କରାଇଥିଲେ । ଅବଧି ପୁର୍ଣ୍ଣ ପରେ ବିନା ପରୀକ୍ଷାରେ ଘରକୁ ଫେରିବା ପରେ ଆରମ୍ଭ ହୋଇଥିଲା ଗୋଷ୍ଠୀ ସଂକ୍ରମଣ । ଗୋଷ୍ଠୀ ସଂକ୍ରମଣକୁ ପ୍ରତିହିତ କରିବା ଲାଗି ସ୍ଥାନୀୟ ପୌର ପ୍ରଶାସନ ପକ୍ଷରୁ ଗତ ୨୮ ତାରିଖ ଠାରୁ ପୌରାଂଚଳର ୪ଟି ୱାର୍ଡ଼, ୫୯ ନଂ ଜାତୀୟ ରାଜପଥର ମୁଖ୍ୟ ରାସ୍ତା ଓ ୩୬ ନଂ ରାଜ୍ୟ ରାଜପଥ ତରାତରିଣୀ ମୁଖ୍ୟ ରାସ୍ତାକୁ କଂଟେନମେଂଟ ଜୋନ ଓ ପୌରାଂଚଳର ୩ କିମି ପରିଧି ପର୍ଯ୍ୟନ୍ତ ଅଂଚଳକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ସେହିପରି ବ୍ଳକ ପ୍ରଶାସନ ପକ୍ଷରୁ ୯ଟି ଗ୍ରାମାପଂଚାୟତକୁ କେଂଟନମେଂଟ ଓ ୩ ପଂଚାୟତକୁ ବଫରଜୋନ ଘୋଷଣା କରାଯାଇଛି । ତଥାପି ସଂକ୍ରମଣ ନିୟନ୍ତ୍ରଣକୁ ଆସି ପାରୁନାହିଁ । ରାଜ୍ୟର ପ୍ରଥମ କରେନା ଯୋଦ୍ଧା ଭାବେ ହିଞ୍ଜିଳିକାଟୁ ଅଂଚଳର ସାମ୍ବାଦିକ ପ୍ରିୟଦର୍ଶୀ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ଥାନୀୟ ବ୍ଳକର ୨ ଜଣଙ୍କ ମୃତ୍ୟୁ ହୋଇଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ତେବେ ସରକାରୀ ତଥ୍ୟାନୁସାରେ ସ୍ଥାନୀୟ ବ୍ଳକରେ ୧୩୧ ଜଣ ସଂକ୍ରମିତ ହୋଇଥିବା ବେଳେ ବେସରକାରୀ ଭାବେ ୩ଶହରୁ ଉର୍ଦ୍ଧ୍ୱ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏପରିକି ଏଭଳି ଦୁର୍ଦିନ ସମୟରେ ସ୍ଥାନୀୟ ଉପଖଣ୍ଡ ଚିକିିତ୍ସାଳୟରେ କେବଳ ଜରୁରୀ ଆବଶ୍ୟକ ଥିବା ରୋଗୀଙ୍କୁ ଚିକିତ୍ସା କରାଯାଉଛି ତାହା ବି ପୁଣି ଡ଼ାକ୍ତର ମାନେ ଡ଼ାକ୍ତର ଓ କର୍ମଚାରୀ ମାନେ ରୋଗୀଙ୍କୁ ଦେଖିଲେ ଦୂରେଇ ରହୁଥିବାର ଅଭିଯୋଗ ହୋଇଛି । କରେନାକୁ ପ୍ରତିହିତ କରିବା ଲାଗେି ଜିଲ୍ଲା ପ୍ରଶାସନ ପକ୍ଷରୁ ବାରମ୍ବାର ସଟଡ଼ାଉନ ଅବଧି ବୃଦ୍ଧି କରାଯାଉଥିବା ବେଳେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।


