ବାରହା ଆତଙ୍କରେ ମୁଗ ବିରି ଫସଲ ନଷ୍ଟ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗୁରୁବାର ମଧ୍ୟରାତ୍ରିରେ ପ୍ରାୟ ୨୫ଟିକିଆ ବାରହା ପଲ ଜମିରେ ପଶି ମୁଗ ବିରି ଚାଷ ସମ୍ପୂର୍ଣ ଭାବରେ ନଷ୍ଟ କରିଥିବା ଜଣାପଡିଛି। ସୂଚନା ଅନୁସାରେ କୋକୋଲୁଣ୍ଡା ଗ୍ରାମର ପ୍ରାୟ ତିନି ଭରଣ ଜମିରେ ଚାଷ ହୋଇଥିବା ବିରି ଓ ପ୍ରାୟ ପନ୍ଦର ଭରଣ ମୁଗ ଚାଷ ହୋଇଥିବା ଜମିରେ ବାରହା ପଶି କମ ଖାଇ ଅଧିକ କ୍ଷତି କରିଛନ୍ତି। ଚାଷୀ ମାନେ ମୁଖ୍ୟତଃ ଧାନ ଚାଷ ଉପରେ ନିର୍ଭର କରି ଫସଲ କରିଆସୁଥିଲା ବେଳେ ବର୍ଷା ପାଇଁ ଯାହା କ୍ଷତି ସହିଥିଲେ ପରେ ମୁଗବିରି ଚାଷରେ କିଛି ପାଇବା ଆଶାରେ ଥିଲେ ମଧ୍ୟ ଅଦିନିଆ ବର୍ଷାରେ କିଛି ଚାଷୀଙ୍କ ଅମଳ ଧୋଇ ହୋଇ ଯାଇଥିଲା ତ କିଛି ଚାଷୀ ଆଣିପାରିନଥିଲେ। ଯେଉଁ କିଛି ଚାଷୀଙ୍କ ମୁଗ ବିରି ଜମିରେ ଥିଲା ଦୁଇ ଦିନ ଭିତରେ ଉପାଡି ଆଣିବା ପାଇଁ ଯୋଜନା କରୁଥିବା ବେଳେ ତାହା ବାରହା ପଲ ଧୂଳିସାତ କରିଦେଇଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ଚଳିତ ବର୍ଷ କଣ ଖାଇବେ କେମିତି ବଞ୍ଚିବେ ସେ ନେଇ ଦ୍ବନ୍ଦରେ ଅଛନ୍ତି। କୋକୋଲୁଣ୍ଡା ଗ୍ରାମର ଚାଷୀ ପଞ୍ଚାନନ ସାମଲଙ୍କ ବାରହା ଆତଙ୍କରେ ସର୍ବାଧିକ କ୍ଷତି ହୋଇଥିବା ବେଳେ ସେହିପରି ଗ୍ରାମର ଗୋପାଳ କୃଷ୍ଣ ମିଶ୍ର, ଗନ୍ଧର୍ବ ମଳିକଙ୍କ ଚାଷ ଜମିରେ ଏହି ବାରହା ପଲ ଦ୍ୱାରା ନଷ୍ଟ ହୋଇଥିବା ଜଣାପଡିଚ୍ଛି। ଏହି ବାରହା ପଲ ନିକଟସ୍ଥ କୁମାରସୁଣୀ ଜଙ୍ଗଲ ଓ ବୋଡା ନଦୀ ତଟରେ ରହିଥାନ୍ତି ଓ ସନ୍ଧ୍ୟା ହେଲେ ଏହି ପଲ ବାହାରି ଖାଦ୍ୟ ସନ୍ଧନରେ ବିଭିନ୍ନ ଚାଷ ଜମି କୁ ଯାଇ ଖାଇବା ସହ ନଷ୍ଟ କରିଦେଇଥାନ୍ତି। କୋକୋଲୁଣ୍ଡା ସମେତ ନୟାକପଡା, ଉଢୁରା, ଏକତାଳ ଓ ବଙ୍କା ପଞ୍ଚାୟତର କିରାପଲି, ଗିରିସୋଲା ଗ୍ରାମ ଗୁଡିକରେ ଏହି ବାରହା ପଲ କିଛି ଦିନ ହବ ବହୁତ କ୍ଷୟକ୍ଷତି କରିଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି। ଏ ନେଇ ସେମାନଙ୍କୁ ବନ ବିଭାଗ ତରଫରୁ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ