ବାସୁଦେବପୁରର ୯ ପଞ୍ଚାୟତ କଣ୍ଟେନମେଣ୍ଟ
ଭୁବନେଶ୍ୱର: ଆଜି ଭଦ୍ରକରେ ଆଉ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସମସ୍ତ ପଜିଡିଭ ଚିହ୍ନଟ ଭଦ୍ରକ ଜିଲ୍ଲା ବାସୁଦେବପୁରର ବୋଲି ଜଣାଯାଇଛି । ସମସ୍ତ ୩ଜଣଙ୍କର ଟ୍ରାଭେଲ ହିଷ୍ଟ୍ରୀ କୋଲକାତା ବୋଲି ସୂଚନା ମିଳିଛି । ଫଳରେ ଏବେ ବାସୁଦେବପୁର ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬କୁ ବୃଦ୍ଧି ପାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି । ଅନ୍ୟପକ୍ଷରେ ଭଦ୍ରକରେ ଏବେ କରୋନା ପଜିଟିଭ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି । ତେବେ ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁରରୁ ୩ ପଜିଟିଭ ଚିହ୍ନଟ ପରେ ବାସୁଦେବପୁର ବ୍ଲକର ୯ଟି ପଞ୍ଚାୟତକୁ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ୯ଟି ପଞ୍ଚାୟତର ୨୧ଟି ଗାଁକୁ ୪ଟି ଜୋନରେ ଭାଗ କରି କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ତଦନୁଯାୟୀ ଜୋନ-୧ରେ ପଦ୍ମପୁର, ଲୁଙ୍ଗା, ସୁଗୋ ଓ ଏରତାଳ ପଞ୍ଚାୟତକୁ ସାମିଲ କରାଯାଇଛି । ଜୋନ-୨ରେ ଖରିଡ଼ା ବିନୟକପୁର ଓ ଗୁଆଗାଡ଼ିଆ ପଞ୍ଚାୟତକୁ ସାମିଲ କରାଯାଇଛି । ଜୋନ-୩ରେ ଲକ୍ଷ୍ମୀଦାସପୁର, ବାଲିମେଡ଼ ଏବଂ ଜୋନ-୪ରେ ଅଧୁଆନ ପଞ୍ଚାୟତ ଅଛି । ସମ୍ପୃକ୍ତ ଅଞ୍ଚଳକୁ କେହି ଯାଇପାରିବେନି କି ଆସିପାରିବେନି । ସମ୍ପୃକ୍ତ ଅଞ୍ଚଳର ବାସିନ୍ଦାଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜରୁରୀ ସାମଗ୍ରୀ ଯୋଗାଇ ଦିଆଯିବ । ସମ୍ପୃକ୍ତ ଅଞ୍ଚଳରେ ଥିବା ସବୁ ସରକାରୀ ଓ ବେସରକାରୀ ଅନୁଷ୍ଠାନକୁ ବନ୍ଦ କରାଯିବାକୁ ନିଦେ୍ର୍ଧଶ ଦିଆଯାଇଛି ।


