ବିଜେପି ସାଂସଦ ଲକେଟ ଚାଟାର୍ଜୀ ସଂକ୍ରମିତ
କୋଲକାତା: ପଶ୍ଚିମବଙ୍ଗ ବିଜେପି ସାଂସଦ ଲକେଟ ଚାଟାର୍ଜୀ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲକେଟ ଏକ ଟୁଇଟ ଯୋଗେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତାଙ୍କ ଶରୀରରେ କରୋନା ଲକ୍ଷଣ ଦେଖାଯିବା କାରଣରୁ ସେ ପରୀକ୍ଷଣ କରାଇଥିଲେ ଏବଂ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ସେ କହିଛନ୍ତି । ଏବେ ସେ ତାଙ୍କ ଘର କ୍ୱାରେଣ୍ଟିନରେ ରହି ଚିକିତ୍ସିତ ହେଉଛନ୍ତି । ତୃଣମୂଳ ସ୍ତରରେ ବେଶ ସକ୍ରିୟ ରହୁଥିବା ଲକେଟ ଗତ କିଛି ଦିନ ମଧ୍ୟରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଗତ ଜୁନ ୧୯ ରେ ସେ ସହିଦ ଯବାନ ରାଜେଶ ଓରାଙ୍ଗ ଶେଷକୃତ୍ୟରେ ମଧ୍ୟ ସାମିଲ ହୋଇଥିଲେ । ଏହି ଶେଷକୃତ କାର୍ଯ୍ୟକ୍ରମରେ ବିଜେପି ସାଂସଦ ସୌମିତ୍ର ଖାନ, କଂଗ୍ରେସ ସାଂସଦ ଅଧିର ରଞ୍ଜନ ଚୌଧୁରୀ, ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା, ଆଶିଷ ବାନାର୍ଜୀ ପ୍ରମୁଖ ମଧ୍ୟ ସାମିଲ ହୋଇଥିଲେ । ସହିଦଙ୍କ ଶେଷ କୃତ୍ୟରେ ଶହ ଶହ ସ୍ଥାନୀୟ ଲୋକ ମଧ୍ୟ ଯୋଗ ଦେଇଥିଲେ । ଏଣୁ ଲକେଟ ଚାଟାର୍ଜୀ କରୋନା ପଜିଟିଭ ଚିହ୍ନଟ ହେବା ବର୍ତ୍ତମାନ ଚିନ୍ତାର କାରଣ ସାଜିଛି ।


