ହିଞ୍ଜିଳିର ତିନି ପଂଚାୟତକୁ କଣ୍ଟେନମେଣ୍ଟ ଓ ବେଲଗାଁକୁ ବଫରଜୋନ ଘୋଷଣା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ରାଜ୍ୟରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ମୋଟ ସଂକ୍ରମିତ ଜିଲ୍ଲା ମଧ୍ୟରେ ୧୦ଟି ଜିଲ୍ଲାର ସ୍ଥିତି ଅସମ୍ଭାଳ ଥିବା ସରକାରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏ ସମସ୍ତ ଜିଲ୍ଲା ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଥିବା ବେଳେ ୨ୟ ଓ ୩ୟ ସ୍ଥାନରେ ଖୋର୍ଦ୍ଧା ଓ କଟକ ଜିଲ୍ଲା ରହିଛି । ଏକଦା ଗ୍ରୀନ୍ ଜୋନରେ ରହିଥିବା ଗଞ୍ଜାମ ଜିଲ୍ଲା ପ୍ରବାସୀ ମାନଙ୍କ ଫେରିବା ପରେ ରୋଡ଼୍ ଜୋନରେ ପରିଣତ ହୋଇଛି । ଶୁକ୍ରବାର ସୁଦ୍ଧା ରାଜ୍ୟରେ ୮୬୦୧ ସଂକ୍ରମିତ ହୋଇଥିବା ବେଳେ ୫୭୦୫ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୩୪ ଜଣଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୨୦୬୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧୨୮ ସୁସ୍ଥ ହୋଇ ଘରକୁ ପେରିଛନ୍ତି । ୯୧୭ ଜଣ ଚିକିିତ୍ସିତ ହେଉଥିବା ବେଳେ ୨୦ ଜଣଙ୍କ ମୃତ୍ୟୁ ଘଟିଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଗଞ୍ଜାମ ଜିଲ୍ଲାରେ ଗାଁ ଗାଁରେ ଘନଉଛି କରୋନା ଭୁତାଣୁ ସଂକ୍ରମଣ । ପ୍ରଥମେ ପ୍ରଥମେ ସଙ୍ଗରୋଧ କେନ୍ଦ୍ରରୁ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ବର୍ତମାନ ସ୍ଥିତିରେ ଗୋଷ୍ଠୀ ସଂକ୍ରମଣ ବଢିବାରେ ଲାଗିଛି । ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇଛି । ଏହାର ଉଚିତ ମୁକାବିଲା କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଏଭଳି ପରିସ୍ଥିତିରେ ସ୍ଥାନୀୟ ପୌରାଂଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଂଚଳରେ କରୋନା ଭୁତାଣୁ ସଂକ୍ରମିତଙ୍କ ସଂଖ୍ୟା ଚିହ୍ନଟ ହେବା ପରେ ପ୍ରଶାସନର ମୁଣ୍ଡବ୍ୟଥାର କାରଣ ପାଲଟିଛି । ସ୍ଥାନୀୟ ବ୍ଳକ ଆଲପୁର, ଗଣ୍ଡଳା, ବୁରୁପୋଡ଼ା ଗ୍ରାମରେ କରୋନା ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହେବା ପରେ ଶୁକ୍ରବାର ସଂପୃକ୍ତ ପଂଚାୟତର ସରଂପଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଦିନିକିଆ ସଟଡ଼ାଉନ ଘୋଷଣା କରିଥିଲେ । ସଂପୃକ୍ତ ଗ୍ରାମ ପଂଚାୟତ ଗୁଡ଼ିକରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବା ଭୟ ଏବଂ ଏହାକୁ ପ୍ରତିହିତ କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଶନିବାର ସକାଳେ ସ୍ଥାନୀୟ ପ୍ରଶାସନ ୩ଟି ପଂଚାୟତ ବୁରୁପୋଡ଼ା, ରାଳବ ପଂଚାୟତର ଆଲପୁର ଓ ଗଣ୍ଡଳା ପଂଚାୟତକୁ କଂଟେନମେଂଟ ଜୋନ ଭାବେ ଘୋଷଣା କରିଥିବା ବେଳେ ବେଲଗାଁ ପଂଚାୟତକୁ ବଫରଜୋନ ଭାବେ ଘୋଷଣା କରାଯାଇଛି । ସଂପୃକ୍ତ ଗ୍ରାମ ପଂଚାୟତରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ, ବୁରୁପୋଡ଼ା ସରଂପଚ ଉମା ଶଙ୍କର ସାବତ, ଗଣ୍ଡଳା ସରଂପଚ ଗୌରୀ ସାହୁ, ବେଲଗାଁ ସରଂପଚ ତ୍ରିନାଥ ପାଣିଗ୍ରାହୀ, ରାଳବ ସରଂପଚ ପ୍ରମୁଖ ସଂପୃକ୍ତ ଗ୍ରାମ ପଂଚାୟତର ଜନସାଧାରଣଙ୍କୁ ଡ଼ାକବାଜି ଯନ୍ତ୍ର ସହାୟତାରେ ସଂପୃକ୍ତ ପଂଚାୟତକୁ କଂଟେନମେଂଟ ଓ ବଫରଜୋନ ଭାବେ ଘୋଷଣା କରିବା ସହ କରୋନା ସମ୍ବନ୍ଧୀୟ ସମସ୍ତ ନିୟମକୁ ମାନି ଚଳିବା ପାଇଁ ପରାମର୍ଶ ଦେଇଥିଲେ । ସଂପୃକ୍ତ କଂଟେନମେଂଟ ଜୋନ ଗୁଡ଼ିକରେ ଔଷଧ ଦୋକାନ ବ୍ୟତିତ ଅନ୍ୟ ସମସ୍ତ ସାମଗ୍ରୀର ଦୋକାନ ବଜାର ବନ୍ଦ କରିବା, ଯାନ ବାହାନ ଚଳାଚଳ ସମ୍ପୁର୍ଣ୍ଣ ନିଷେଧ ଏବଂ ଅତ୍ୟାବଶ୍ୟକ ନଥିଲେ ଘରୁ ବାହାରକୁ ନବାହାରିବା ଲାଗି ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ନିୟମକୁ ଅବମାନନା କଲେ ସଂପୃକ୍ତ ବ୍ୟକ୍ତି କିମ୍ବା ବ୍ୟବସାୟିକ ପ୍ରତିଷ୍ଠାନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି । ସଂପୃକ୍ତ ଗ୍ରାମ ପଂଚାୟତର ବିଭିନ୍ନ ସାହି ବସ୍ତିର ପ୍ରବେଶ ପଥ ଗୁଡ଼ିକ ବାଉଁଶ ବାଡ଼ ସହାୟତାରେ ସିଲ୍ କରି ଦିଆଯାଇଛି । ପ୍ରକାଶ ଥାଉକି, ପୂର୍ବରୁ ସ୍ଥାନୀୟ ବ୍ଳକ ବଡ଼ଖଣ୍ଡି ପଂଚାୟତକୁ କଂଟେନମେଂଟ ଓ ସମରଝୋଳ ଗ୍ରାମକୁ ବଫରଜୋନ ଘୋଷଣା କରାଯ୍ଧବଥିବା ବେଳେ ପୌରାଂଚଳର ୬,୧୦.୧୨,୧୬ ନଂ ୱାର୍ଡ଼ ସମେତ ୫୯ ନଂ ଜାତୀୟ ରାଜପଥ ଓ ତରାତାରିଣୀ ରାସ୍ତାକୁ କଂଟେନମେଂଟ ଓ ପୌରାଂଚଳର ଅବଶିଷ୍ଟ ୱାର୍ଡ଼କୁ ବଫରଜୋନ ଭାବେ ଘୋଷଣା କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ