ବିଦ୍ୟାଳୟରୁ ଶୁଭାରମ୍ଭ ହେଲା “ମୋ ଗଛ” କାର୍ଯ୍ୟକ୍ରମ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଏମିତି ଦିନଟିଏ ଥିଲା ଯେତେବେଳେ ଗଛ ସହ ଶିଶୁ କିଶୋର ମାନଙ୍କର ନିବିଡ଼ ସମ୍ପର୍କ ରହିଥିଲା । ସ୍କୁଲ ଯିବା କି ଫେରିବା ବାଟରେ ବର ଓହଳରେ ଖେଳିବା ହେଉ କି ଖରାଦିନେ ଆମ୍ବ ତୋଟାରେ ଆମ୍ବ ପାରି ଖାଇବା, ଗଛର ଗହଳ ଛାଇରେ ବସିବା ଏସବୁ ଅପାସୋରା । ସ୍ମୃତି ହୋଇ ରହିଛି ଅନେକଙ୍କର । ଗଛ ଡ଼ାଳରେ ଡ଼ାଳି ମାଙ୍କୁଡ଼ି ଖେଳିବାର ମଜା ତ ନିଆରା । ଗଛ ସହ ଏ ନିବିଡ଼ ସମ୍ପର୍କ ଏଇଠି ସରିଯାଏନି । ଜେଜେ କି ଜେଜି ମାଆ ଠାରୁ ସାହାଡ଼ା ସୁନ୍ଦରୀ ଗପ ହେଉ କି କଞ୍ଚନ ଗଛର କାହାଣୀ ଶୁଣିବା ବେଳେ ଅନେକଙ୍କର ଲୋମ ଟାଙ୍କୁରି ଉଠେ । ଗଛ ଭିତରେ ଯେ ମଣିଷଟିଏ ରହିଛି ଅଥବା ଗଛ ମଧ୍ୟ ମଣିଷଟିଏ ପରି ସୁଖ ଦୁଃଖର ଅନୁଭବକୁ ନେଇ ବଞ୍ଚୁଛି ଏକଥା କିଶୋର କିଶୋରୀଟିଏ କାହାଣୀ ଶୁଣିବା ବେଳେ ଅନୁଭବ କରେ । ଏବେ କିନ୍ତୁ ସମୟ ବଦଳିଛି । ଗଛ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ମଣିଷ ନିଜର ପରବର୍ତ୍ତୀ ପିଢ଼ିକୁ ଗଛକୁ ଭଲ ପାଇବା ପାଇଁ ନା ଗଛର ଗପ କହୁଛି ନା ଗଛ ସହ ସେମାନଙ୍କ ବନ୍ଧୁତା ସୃଷ୍ଟି କରିପାରୁଛି । ଏ ନେଇ ଚିନ୍ମୟୀ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ବିଦ୍ୟାର୍ଥୀମାନଙ୍କୁ ନେଇ ଶୁଭାରମ୍ଭ ହୋଇଛି “ମୋ ଗଛ” ସଚେତନତା କାର୍ଯ୍ୟକ୍ରମ । ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅଧିନସ୍ଥ ସରକାରୀ ପ୍ରାଥମିକ ବିଦ୍ୟାଳୟ, ବିନ୍ଧ୍ୟଗିରି ପରିସର ମଧ୍ୟରେ ବିଦ୍ୟାର୍ଥୀମାନଙ୍କ ଗହଣରେ ଏହା ଆନୁଷ୍ଠାନିକ ରୂପେ ଉଦ୍‌ଘାଟିତ ହୋଇଯାଇଛି । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ସନ୍ତୋଷୀ ଜୈନ, ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ମହାରଣା, ଶିକ୍ଷକ ପ୍ରକାଶ ଚନ୍ଦ୍ର ବଳିଆରସିଂ, ସାମାଜିକ କର୍ମୀ ତ୍ରିଲୋଚନ ବେଉରା ପ୍ରମୁଖ ଯୋଗ ଦେଇଥିଲେ । ଏହି ଅବସରରେ ବିଦ୍ୟାର୍ଥୀମାନଙ୍କ ମନରେ ଗଛ ପ୍ରତି ଆଗ୍ରହ, ସ୍ନେହ ବଢ଼ାଇବା ପାଇଁ ଗଛ ସହ ଖେଳିବା, ଗଛ ସହ ବଢ଼ିବା, ଗଛ ସହ ରୁଷିବା, ଗଛ ସହ ପଢ଼ିବା ଇତ୍ୟାଦି ସମ୍ପର୍କରେ ଗପ ଓ ନାଚ ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଇଥିଲା । ବିଦ୍ୟାଳୟର ୨୦ଜଣ ବିଦ୍ୟାର୍ଥୀଙ୍କୁ ଗୋଟିଏ ଲେଖାଏଁ ଲେମ୍ବୁ ଚାରା ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା । ଯେଉଁ ବିଦ୍ୟାର୍ଥୀ ଗଛଟିର ଉପଯୁକ୍ତ ଭାବେ ଯତ୍ନ ଓ ଲାଳନପାଳନ କରି ଗଛ ବଢ଼ାଇଥିବେ ସେମାନଙ୍କୁ ଟ୍ରଷ୍ଟ ପକ୍ଷରୁ ପୁରସ୍କୃତ କରାଯିବ ବୋଲି ଶ୍ରୀମତୀ ଜୈନ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ