ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ସମ୍ପର୍କିତ ଦ୍ବିତୀୟ ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଞ୍ଜାମ ଜିଲ୍ଲାରେ ଫାଇଲେରିଆ ନିରାକରଣ କାର୍ଯ୍ୟକ୍ରମ ଚାଲିଛି । ଏହାକୁ ବ୍ଯାପକ କରିବା ନେଇ ଦ୍ବିତୀୟ ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ବୈଠକ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ଗୃହ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ ଅବଗତ କରାଇଥିଲେ ଯେ, ଡେଙ୍ଗୁ, ଫାଇଲେରିଆ ଇତ୍ଯାଦି ରୋଗରୁ ଲୋକଙ୍କୁ ସୁରକ୍ଷା ଦେବା ନିମନ୍ତେ ସରକାରୀ ସ୍ତରରୁ ବୈଠକ ହୋଇ ସାରିଛି । ଏଭଳି ରୋଗ ମୁଖ୍ଯତଃ ଜିଲ୍ଲାର ଆଭ୍ଯନ୍ତରୀଣ ଉପାନ୍ତ ଅଞ୍ଚଳରେ ଅଧିକ ଦେଖାଯାଉଛି । ସେହି ଅଞ୍ଚଳ ଗୁଡିକରେ ଅଧିକ ଦୃଷ୍ଟି ଦେଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଗଲେ ଏଭଳି ରୋଗ ବ୍ଯାପିବାରୁ ଲୋକେ ବଞ୍ଚିତ ହୋଇ ପାରିବେ । ବୈଜ୍ଞାନିକ ପଦ୍ଧତି ଅନୁସରଣ କରି କାର୍ଯ୍ୟପନ୍ଥା ସ୍ଥିର କଲେ ଯୋଜନାର ସୁଫଳ ମିଳିବ । ମ୍ଯାଲେରିଆ, ଡେଙ୍ଗୁ, ଡାଇରିଆ, ୟକ୍ଷ୍ମା, ଫାଇଲେରିଆ ଜନିତ ରୋଗର ନିରାକରଣ ସକାଶେ ପ୍ରତି ପଞ୍ଚାଯତ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ଲୋକ ପ୍ରତିନିଧି ମାନଙ୍କୁ ଅନ୍ତର୍ଭୁକ୍ତ କରି ବୈଠକ ଆଗତ କରି ସମସ୍ତଙ୍କ ସହଭାଗିତାରେ କାର୍ଯ୍ୟଖସଡା ପ୍ରସ୍ତୁତ କରିବାକୁ ଜଣାଇଥିଲେ । ତେଣୁ ଗ୍ରାମ ସଭା ଠାରୁ ଆରମ୍ଭ କରି ସବୁସ୍ଥାନରେ ସଚେତନତା କାର୍ଯ୍ୟକୁ ବ୍ୟାପକ କରାଯାଉ । ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ କଲାବେଳେ ସଭା ସମିତି ଦ୍ବାରା ସର୍ବ ପ୍ରଥମେ ଜନ ପ୍ରତିନିଧି, ଅଧିକାରୀ କିମ୍ବା ଶ୍ରେଣୀ ଗୃହରେ ଶିକ୍ଷକ ସେବନ କଲେ ବଟିକା ଖାଇବା ସକାଶେ ଲୋକଙ୍କ ମଧ୍ଯରେ ରହିଥିବା ଭ୍ରାନ୍ତ ଧାରଣା ଦୂର ହେବ ଓ ବିଶ୍ବାସ ଭାଜନ ହେବ । ତେବେ ଯାଇ ଔଷଧ ସେବନ ସଫଳ ହେବ । ଆସନ୍ତା ଅଗଷ୍ଟ ମାସ ୧୦ ତାରିଖ ଠାରୁ ୧୯ ତାରିଖ ପର୍ଯ୍ୟନ୍ତ ଏହି ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଡିଇସି, ଆଲବେଣ୍ଡାଜୋଲ ବଟିକା ସହ ଆଇଭରମେକ୍ଟିନ୍ ବଟିକା ଯଥାକ୍ରମେ ବୟସ ଓ ଉଚ୍ଚତା ଅନୁପାତରେ ଖୁଆଇ ଦିଆଯିବ । ୨ରୁ କମ୍ ବର୍ଷ ବଯସର ଶିଶୁ, ଗର୍ଭବତୀ ମହିଳା ଓ ଦୀର୍ଘଦିନ ଧରି ଅସୁସ୍ଥ ଥିବା ବ୍ଯକ୍ତି ମାନଙ୍କ ବ୍ଯତୀତ ଅନ୍ୟମାନଙ୍କୁ ଏହି ଔଷଧ ଖୁଆଇ ଦିଆଯିବ । ଆଶା, ଅଙ୍ଗନଓ୍ବାଡିକର୍ମୀ ଓ ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ଏହି ଔଷଧ ଖୁଆଇ ଦିଆଯିବ । ଗଞ୍ଜାମ ଜିଲ୍ଲାରେ ରହିଥିବା ସମସ୍ତ ବିଦ୍ଯାଳୟ ଗୁଡିକରେ ୫-ଟି କାର୍ଯ୍ୟକ୍ରମ ଦ୍ବାରା ପ୍ରଦତ୍ତ ଟିଭି ମାଧ୍ଯମରେ ସଚେତନତା ଭିଡିଓ ପ୍ରଦର୍ଶନ କରି ରୋଗର କାରଣ ଓ ଲକ୍ଷଣ ପ୍ରତି ସମସ୍ତେ ଜାଣିପାରିବେ ଏବଂ ଔଷଧ ସେବନର ଗୁରୁତ୍ବ ସମ୍ପର୍କରେ ଅବଗତ ହେବେ । ଚଳିତ ଥର ସେବନ ହେବାକୁ ଥିବା ଔଷଧ ଗୁଡିକ ଅତି ଉତ୍ତମ ଏବଂ ଏଗୁଡିକ ଜାପାନ ଓ ଫ୍ରାନ୍ସ ରୁ ଆସିଛି । ସମସ୍ତ ଔଷଧ ଗୁଡିକର ବ୍ଯବହାର ଉତ୍ତମ ରୂପେ ଯେଭଳି ହେବ ସେ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ ସମେତ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକରେ ମଧ୍ଯ ଏହି ଔଷଧ ବିତରଣ ନିମନ୍ତେ ବୈଠକ ଆଗତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜନ ସାଧାରଣ ସମେତ ବିଭିନ୍ନ ପରିବହନ ସଂସ୍ଥା, ଶିଳ୍ପାଞ୍ଚଳ, ଜେଲ୍ ପରିସର, ମହାବିଦ୍ଯାଳୟ, କାର୍ଯ୍ୟାଳୟ ଗୁଡିକର ଲୋକମାନେ ୟେପରି ସଠିକ ମାତ୍ରାରେ ଔଷଧ ସେବନ କରିବେ ସେ ଦିଗରେ ସଚେତନ ଓ କାର୍ଯ୍ୟଖସଡା କରାଇବାକୁ କୁହାଯାଇଛି । ଗୋଟିଏ କ୍ଯାଲେଣ୍ଡର ପ୍ରସ୍ତୁତ କରି କେଉଁ ଦିନ କେଉଁଠି ଔଷଧ ସେବନ କରାଯିବ ତାହା ପୂର୍ବରୁ ଯୋଜନା କରିବାକୁ କୁହାଯାଇଛି । ସମ୍ପ୍ରତି ଆଖିଧରା ଚାଲିଛି । ଯେଉଁ ଛାତ୍ରଛାତ୍ରଗଣ ଆଖିଧରାରେ ପୀଡିତ ହେଉଛନ୍ତି ସେମାନେ ଶିକ୍ଷାନୁଷ୍ଠାନକୁ ନଯାଇ ଘରେ ରହିବାକୁ କୁହାଯାଇଛି । ମଶା କାମୁଡିବା ଦ୍ବାରା ଫାଇଲେରିଆ ଜୀବାଣୁ ସଂକ୍ରମିତ ବ୍ଯକ୍ତିଙ୍କ ଠାରୁ ଅନ୍ଯ ଜଣେ ବ୍ଯକ୍ତିଙ୍କ ଶରୀରରେ ପ୍ରବେଶ କରିଥାଏ । ଶରୀରରେ ପ୍ରବେଶ କରିବାର ୧୦ ରୁ ୧୫ ବର୍ଷ ପରେ ରୋଗର ଲକ୍ଷଣ ମାନ ପ୍ରକାଶ ପାଇ ଫାଇଲେରିଆ ହୁଏ । ଥରେ ଫାଇଲେରିଆ ହେଲେ ତାହା ଛାଡେ ନାହିଁ । ଏଣୁ ସତର୍କ ଓ ସାବଧାନ ହେବା ଜରୁରୀ ବୋଲି ବିଶେଷଜ୍ଞ ଡାକ୍ତର ମତ ରଖିଥିଲେ । ସେହିଭଳି ଡେଙ୍ଗୁ ଜ୍ଜର ଏଡିସ୍ ମଶା କାମୁଡିବା ଦ୍ବାରା ବ୍ଯାପୀଥାଏ । ଏଣୁ ମଶା ଜମି ରହିଥିବା ପାଣିରେ ଅଣ୍ଡାଦେଇ ବଂଶ ବୃଦ୍ଧିକରେ ଓ ଦିନବେଳେ କାମୁଡିଥାଏ । ଏହି ରୋଗକୁ ଦୂରରେ ରଖିବା ପାଇଁ ନିଯମିତ ମଶାରୀ ବ୍ଯବହାର, ପାଣିରହୁଥିବା ପାତ୍ର, ଟାଙ୍କି, ରୁମ୍, କୁଲର ଇତ୍ୟାଦି ଦୁଇ ତିନି ଦିନରେ ଥରେ ସଫା କରିବା ଓ ପୂରା ଶରୀର ଘୋଡାଇବା ଭଳି ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇ ସଚେତନତା କରିବା ନେଇ କୁହାଯାଇଛି । ଫାଇଲେରିଆ ସକାଶେ ଶରୀରର ଉଚ୍ଚତା ଅନୁସାରେ ଔଷଧ ସେବନ କରିବାକୁ ଦିଆଯିବ । ଜିଲ୍ଲାରେ ୩୮,୫୪,୦୪୩ ଜନ ସଂଖ୍ଯା ରହିଛି । ୭୫,୧୪,୨୨୩ ଗୋଟି ଡିଇସି ବଟିକା ୭୫,୧୪,୨୨୩ ଗୋଟି ଇନଭରମେକ୍ଟିନ୍ ବଟିକା ଏବଂ ୩୦,୦୫,୬୮୯ଗୋଟି ଆଲବେଣ୍ଡାଜୋଲ ବଟିକା ବଣ୍ଟନ କରାୟିବା ନେଇ ବୈଠକରେ ଅବଗତ କରାଯାଇଥିଲା ।ଆଜିର ବୈଠକରେ ଆଇ.ଏ.ଏସ୍. ପ୍ରୋବେସନାରୀ ସମୀର କୁମାର ଜେନା, ଜିଲ୍ଲା ମୁଖ୍ଯ ଚିକିତ୍ସା ଅଧିକାରୀ ଡଃ ଉମା ଶଙ୍କର ମିଶ୍ର, ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଡଃ ଜଗଦୀଶ ପଟ୍ଟନାଯକ, ଅତିରିକ୍ତ ମୁଖ୍ଯ ଜିଲ୍ଲା ଚିକିତ୍ସା ଅଧିକାରୀ ଡଃ ସନ୍ତୋଷ କୁମାର ପାଢୀ, ଅତିରିକ୍ତ ମୁଖ୍ଯ ଜିଲ୍ଲା ଚିକିତ୍ସା ଅଧିକାରୀ ପରିବାର କଲ୍ୟାଣ ଡଃ ଭି. ସରୋଜିନୀ ଦେବୀ, ଜାତୀୟ ସ୍ବାସ୍ଥ୍ୟ ମିଶନ୍ ଜିଲ୍ଲା ଯୋଜନା ପରିଚାଳକ ଶ୍ଯାମ ସୁନ୍ଦର ତ୍ରିପାଠୀ, ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ, ଜିଲ୍ଲା ସ୍ତରୀୟ ଅଧିକାରୀ, ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଡେଙ୍ଗୁ, ମ୍ଯାଲେରିଆ ରୋଗନିରୋଧ ପରିଚାଳକ ସୁଜିତ୍ କୁମାର କାର୍ଯୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ