ବିଦ୍ୟୁତ୍ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ସଭା ଓ କର୍ମକର୍ତା ନିର୍ବାଚନ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଓଡ଼ିଶା ରଜ୍ୟ ବିଦ୍ୟୁତ୍ କର୍ମଚାରୀ ସଂଘ ହିଂଜିଳିକାଟୁ ଶାଖାର ବାର୍ଷିକ ସାଧାରଣ ସଭା ଶୁକ୍ରବାର ଶ୍ୟାମଳାଈ ମନ୍ଦିର ପ୍ରାଙ୍ଗଣରେ ସଂଘର ଉପସଭାପତି ପ୍ରଫୁଲ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସଂଘର ଯୁଗ୍ମ ସମ୍ପାଦକ ସୂର୍ଯ୍ୟ ନାରାୟଣ ବିଷୋୟୀ ଓ ସମ୍ମାନିତ ଅତିଥି ଭାବେ ପୁରୁଷୋତମପୁର ଶାଖା ସମ୍ପାଦକ ପି. ସରୋଜ କୁମାର ଆଚାରୀ ମଂଚାସିନ ଥିଲେ । ବୈଠକରେ କର୍ମଚାରୀ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । ସଂସ୍ଥାରେ ଆଉଟର୍ସୋସିଂ କର୍ମଚାରୀ ମାନଙ୍କୁ ଦରମା ପ୍ରଦାନ ସହ ଗ୍ରେଡ଼ ପେ ପ୍ରଦାନରେ ତାରତମ୍ୟ, ଗ୍ରାହକ ଅନୁସାରେ ଶ୍ରମିକ ନଥିବା ଯୋଗୁଁ ଶ୍ରମିକ ପୋଷଣ ନିତୀକୁ ବିରୋଧ, ଶ୍ରମିକ ମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ ଓ ସମସ୍ୟାର ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ପରେ ସର୍ବସମ୍ମତି କ୍ରମେ କର୍ମକର୍ତା ମନୋନୀତ କରାଯାଇଥିଲା । ଶାଖା ସମ୍ପାଦକ ଭାବେ ଶ୍ରୀକାନ୍ତ ମହାନ୍ତି, ସହ ସମ୍ପାଦକ ଇ. ଦିଲେଶ୍ୱର ରାଓ, କେନ୍ଦ୍ରୀୟ କାର୍ଯ୍ୟକାରୀ ସଦସ୍ୟ ବିଚିତ୍ରାନନ୍ଦ ଦୋରା, ହିଂଜିଳିକାଟୁ ସବ୍ ଡ଼ିଭିଜନ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ଶେରଗଡ଼ ସବ୍ ଡ଼ିଭିଜନ ସମ୍ପାଦକ ଭାବେ ବିନୋଦ ଚନ୍ଦ୍ର ସାହୁ ମନୋନୀତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନିଶିକାନ୍ତ ପଟ୍ଟନାୟକ, ଅମିତ କୁମାର ପଟ୍ଟନାୟକ, ରମେଶ ରାଉତ, ରମେଶ ଗୌଡ଼, ଅନିଲ ସ୍ୱାଇଁଙ୍କ ସମେତ ବିଭାଗୀୟ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।


