ବିଧ।ନସଭାରେ ଉଠିଲା ଗାଁସାଥୀ ପ୍ରସଙ୍ଗ
ଭୁବନେଶ୍ୱର: ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ଗ୍ରାମୀଣସ୍ତରରେ ପର୍ଯ୍ୟାପ୍ତ କାର୍ଯ୍ୟ ପ୍ରଦାନ ସହିତ ମାସିକ ୬ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ପ୍ରୋତ୍ସାହନ ରାଶି ପ୍ରାପ୍ତି ସମେତ ୫ ଦଫା ଦାବି ନେଇ ଚଳିତ ନଭେମ୍ବର ୪ରୁ ବିଧାନସଭା ଆଗରେ ଲଢେଇ ଜାରି ରଖିଛନ୍ତି ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶର ହଜାର ହଜାର ସଭ୍ୟସଭ୍ୟାମାନେ । ଆନ୍ଦୋଳନକୁ ୧୯ ଦିନ ବିତିଲା ପରେ ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବିଧାନସଭା ଆଗ ଧାରଣାସ୍ଥଳରେ ଥିବା ସଂଘର ଟେଣ୍ଟରେ ଆଜି ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀମାନ ବିଶ୍ୱାଳ ଅତ୍ୟନ୍ତ କ୍ଷୋଭର ସହିତ କହିଥିଲେ ଯେ, ଚଳିତ ଜୁଲାଇ ଓ ଅଗଷ୍ଟ ମାସରେ ବିଭାଗୀୟ ଅଧିକାରୀ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପଦାଧିକାରମାନଙ୍କ ସହିତ ଆଲୋଚନା, ତା’ପରେ ୩୦ ଜିଲ୍ଲାରୁ ପଞ୍ଚାୟତିରାଜ ମନ୍ତ୍ରୀ ଓ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ଦେବା ପରେ ଚଳିତ ନଭେମ୍ବର ୪ ତାରିଖରୁ ଏକ ବିଶାଳ ରାଲି ସହିତ ୧୯ ଦିନ ଧରି ରାଜରାସ୍ତାରେ ହଜାର ହଜାର ଗାଁସାଥୀ ପଡ଼ି ରହିଛନ୍ତି । ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସହିତ ଦୁଇଥର ସାକ୍ଷାତ୍ ଆଲୋଚନା ପରେ ଏଯାବତ୍ ସଂଘର ୫ ଦଫା ଦାବିର ସମାଧାନ ପାଇଁ ପ୍ରତିଶ୍ରୁତି ମିଳୁଛି, ମାତ୍ର ବିଭାଗୀୟ ପ୍ରମୁଖ ସଚିବଙ୍କ ଅନୁପସ୍ଥିତି ପାଇଁ ସମାଧାନର ରାସ୍ତା ବାହାରିପାରୁ ନାହିଁ । ଏଣୁ ଏହାର ପ୍ରତିବାଦ ତଥା ସଂଘର ଦାବିଗୁଡ଼ିକର ଆଶୁ ସମାଧାନ ଦାବିରେ ସଂଗଠନ ତରଫରୁ ଚଳିତ ନଭେମ୍ବର ୨୫ ତାରିଖ ୯ ଘଟିକା ସମୟରେ ସଂଘର ଧାରଣାସ୍ଥଳସ୍ଥ୍ିତ ୧୧ (କ) ଟେଣ୍ଟ ଆଗରେ ଗାଁସାଥୀ ସଂଘର ହଜାର ହଜାର ରାଜ୍ୟ, ଜିଲ୍ଲା ଓ ବ୍ଲକସ୍ତରୀୟ ସଂଗଠକମାନେ ଏକତ୍ରିତ ହୋଇ ପ୍ରଥମେ ଏକ ଅଭିନବ ଉପାୟରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଧାରଣାରେ ବସିିବେ । ସେଦିନ ସଂଘର ସରକାରଙ୍କ ସାଥୀରେ ତୃତୀୟବାର ଆଲୋଚନା ହେବା ଲାଗି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସଂଘ ତରଫରୁ ପ୍ରକାଶ । ଯଦି ସେହି ଆଲୋଚନା ଅନୁଯାୟୀ ୨୫ ନଭେମ୍ବର ମଧ୍ୟାହ୍ନ ସୁଦ୍ଧା ସଂଘର ୫ ଦଫା ଦାବିରେ ଯଥାର୍ଥ ସମାଧାନର ପଥ ପ୍ରସ୍ତୁତ ନ ହୁଏ, ତେବେ ସେଦିନ ଅପରାହ୍ନ ୨ ଘଟିକାରେ ହଜାର ହଜାର ଗାଁସାଥୀ ନିଜ ଧାରଣାସ୍ଥଳସ୍ଥିତ ଟେଣ୍ଟରୁ ବାହାରି ଏକ ରାଲି ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ ଓ ଆଲୋଚନା କରିବା ଲାଗି ନବୀନ ନିବାସ ଯିବେ ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି ।


