ବିଧାନସଭାରେ ଅଚଳାବସ୍ଥା ଜାରି
ଭୁବନେଶ୍ୱର, (ୱାଇଏନ୍ଏସ୍): ମଣ୍ଡିରେ ପଡିଥିବା ଚାଷୀଙ୍କ ଧାନ କିଣା ନଯିବା ଏବଂ ଗୃହ ଭିତରେ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ପାଇଁ ବିଜେପି ବିଧାୟକ କ୍ଷମା ମାଗିବା ପ୍ରସଙ୍ଗକୁ ନେଇ ମଙ୍ଗଳବାର ମଧ୍ୟ ଉଭୟ ଶାସକ ଓ ବିରୋଧୀ ଦଳ ବିଧାନସଭାରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ଫଳରେ ପ୍ରଶ୍ନୋତର , ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଆଲୋଚନା କାର୍ଯ୍ୟକ୍ରମ ହୋଇପାରିନଥିଲା । ବାଚସ୍ପତି ଓ ଉପବାଚସ୍ପତି ଗୃହକୁ ବାରମ୍ବାର ମୁଲତବୀ ରଖିଥିଲେ । ଅନ୍ୟପକ୍ଷରେ ଗୃହର ସୁପରିଚାଳନା ପାଇଁ ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ସର୍ବ ଦଳୀୟ ବୈଠକ ଡାକିଥିଲେ ହେଁ ସେଥିରୁ କୌଣସି ସୁଫଳ ମିଳିନଥିଲା । ତେଣୁ ବାଚସ୍ପତି ଗୃହକୁ ୧୨ ଟା ୫୦ରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ । ଦ୍ୱିତୀୟାର୍ଦ୍ଧ ବୈଠକରେ ମଧ୍ୟ ସମାନ ସ୍ଥିତି ରହିଥିଲା । ଫଳରେ ବାଚସ୍ପତି ଗୃହକୁ ୫ ଟା ୪ରେ ଆସନ୍ତାକାଳି ପୂର୍ବାହ୍ନ ୧୦ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରେ ଗୃହର ବୈଠକ ଆରମ୍ଭ ହେବାକୁ ଗଲାବେଳେ ପୂର୍ବ ଦିନ ମାନଙ୍କ ଭଳି ବିରୋଧୀ ଦଳ ସଦସ୍ୟମାନେ ମଣ୍ଡି ସମସ୍ୟାକୁ ନେଇ ଗୃହର ମଧ୍ୟ ଭାଗକୁ ଚାଲିଆସି ହଟ୍ଟଗୋଳ କରିଥିଲେ । ଶାସକ ଦଳ ସଭ୍ୟମାନେ ମଧ୍ୟ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀଙ୍କ କ୍ଷମା ପ୍ରାର୍ଥନା ଦାବିରେ ଅଡି ବସିଥିଲେ । ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟା ଗୃହରେ ମୁହାଁମୁହିଁ ହୋଇଥିଲେ । ଏଥିରୁ ନିବୃତ ରହିବାପାଇଁ ବାଚସ୍ପତି ବାରମ୍ବାର ସଭ୍ୟମାନଙ୍କୁ ଅନୁରୋଧ କରି ବେଲ୍ ବଜାଇଥିଲେ ହେଁ ସେମାନେ କୌଣସି ଗୁରୁତ୍ୱ ଦେଇନଥିଲେ ବରଂ ହଟ୍ଟଗୋଳ ଜୋରଦାର କରିବାପାଇଁ ସ୍ଲୋଗାନ , ପ୍ରତିସ୍ଲୋଗାନ , ଆପେକ୍ଷ ଓ ପ୍ରତି ଆକ୍ଷେପ କରୁଥିବାର ଦେଖାଯାଇଥିଲା । ବାଚସ୍ପତି ବାଧ୍ୟ ହୋଇ ଗୃହକୁ ୧୦ଟା ୩୦ ମିନିଟ୍ ୧୫ ସେକେଣ୍ଡେରୁ ୧୧ଟା ୩୦ ଯାଏଁ , ୧୧ ଟା ୩୦ରୁ ୧୨ ଟା , ୧୨ ଟା ରୁ ୧୨ ଟା ୩୦ ଓ ୧୨ ଟା ୩୦ରୁ ୧୨ ଟା ୫୦ ଯାଏଁ ମୁଲତବୀ ରଖିଥିଲେ । ଗୃହ ମୁଲତବୀ ଥିବା ବେଳେ ବାଚସ୍ପତିଙ୍କ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ବସିଥିଲା । ଏହି ବୈଠକରେ ମଣ୍ଡି ସମସ୍ୟା ସମ୍ପର୍କରେ ଆଲୋଚନା କରାନଯାଇ ବିଧାୟକଙ୍କ କ୍ଷମା ପ୍ରାର୍ଥନା ବିଷୟ ଉପରେ ପ୍ରଥମେ ଆଲୋଚନା କରାଯାଇଥିବାରୁ କଂଗ୍ରେସ ଦଳ ବିଧାୟକମାନେ ସର୍ବଦଳୀୟ ବୈଠକକୁ ବର୍ଜନ କରିଥିଲେ ।ସର୍ବଦଳୀୟ ବୈଠକରେ ମଣ୍ଡି ପ୍ରସଙ୍ଗରେ ଆଲୋଚନା ହେଉନି, ସାନିଟାଇଜର ପିଇବା ଉପରେ ଆଲୋଚନା ହେଉଛି । ତେଣୁ ଆମେ ଆଲୋଚନାରୁ ଓହରିଲୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ।
ଅପରାହ୍ନ ୪ ଟାରେ ଗୃହର ଦ୍ୱିତୀୟାର୍ଦ୍ଧ ବୈଠକ ଆରମ୍ଭ ହେବା ପରେ ପୁଣି ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟମାନେ ହଟ୍ଟଗୋଳ ଆରମ୍ଭ କରିଦେଇଥିଲେ । କଂଗ୍ରେସ ସଭ୍ୟ ମାନେ ଚାଷୀ ମାରଣ ନୀତି ଚଳିବ ନାହିଁ ବୋଲି ସ୍ଲୋଗାନ ଦେଇଥିବା ବେଳେ ବିଜେଡି ସଦସ୍ୟମାନେ ନିଜ ଦାବି ସମ୍ପର୍କରେ ସ୍ଲୋଗାନ ଦେଇଥିଲେ । ବାଚସ୍ପତି ନିଜ ନିଜ ଆସନକୁ ଫେରିଯିବା ପାଇଁ ବିଧାୟକମାନଙ୍କୁ କହିଥିଲେ ହେଁ ସେମାନେ ଶୁଣି ନଥିଲେ । ପ୍ରଥମାର୍ଦ୍ଧରେ ବସିଥିବା ସର୍ବ ବୈଠକରେ ଆଲୋଚନା ଅସମାପ୍ତ ରହିଥିବାରୁ ବାଚସ୍ପତି ପୁଣି ଥରେ ସର୍ବଳଦୀୟ ବୈଠକ ଡାକିଥିଲେ । ବାଚସ୍ପତି ଗୃହକୁ ୪ ଟା ୩ରୁ ୪ଟା ୩୩ ୩୦ ମିନିଟ୍ ପାଇଁ ଗୃହକୁ ମୁଲତବୀ ରଖିଥିଲେ । ବୈଠକ ଚାଲିଥିବା ସମୟରେ ଉପବାଚସ୍ପତି ରଜନୀକାନ୍ତ ସିଂ ଗୃହକୁ ୪ ଟା ୩୩ ରୁ ୫ ଟା ୩ ମିନିଟ୍ ଯାଏଁ ୩୦ ମିନିଟ୍ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଏହାପରେ ଗୃହର ବୈଠକ ଆରମ୍ଭ ହୋଇଥିଲା । ଏଥିରେ ବାଚସ୍ପତି ଆଜି ହେବାକୁ ଥିବା ଇସ୍ପାତ , ଖଣି ଓ ଶିଳ୍ପ ବିଭାଗର ଖର୍ଚ୍ଚଦାବି ଆଲୋଚନା ହୋଇପାରିବ ନାହିଁ । ଆସନ୍ତା ୩୦ ତାରିଖରେ ଗିଲୋଟିନ୍ ଦ୍ୱାରା ଗୃହୀତ ହେବ ବୋଲି ବାଚସ୍ପତି କହିଥିଲେ ।


