ଚୋରି ଅଭିଯୋଗରେ ଯୁବକ ଗିରଫ
ନିମାପଡ଼ା,(ସନ୍ତୋଷ କୁମାର ଦାଶ): ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ଗଡ଼ଅମରପ୍ରସାଦ ଗ୍ରାମର ଗୁଣନିଧି ସାହୁଙ୍କ ପରିବାର ରାତି ରେ ଘରେ ଶୋଇ ଥିବାବେଳେ ସେହି ଗ୍ରାମର ମାନସ ଦାସ ନାମକ ଯୁବକ ତାଙ୍କ ଘରେ ପଶି ଚୋରି କରିବାକୁ ଉଦ୍ୟମ କରିଥିଲା । କିଛି ଶବ୍ଦ ଶୁଣି ଗୁଣନିଧି ଓ ତାଙ୍କ ପତ୍ନୀ ଉଠି ପଡ଼ି ଚୋରକୁ କାବୁ କରିବାକୁ ଉଦ୍ୟମ କରିବାରେ ଅଭିଯୁକ୍ତ ମାନସ ଏକ ବନ୍ଧୁକ ଦେଖାଇ ସେଠାରୁ ଖସି ପଳାଇଥିଲା । ଏ ସଂପର୍କରେ ଗୁଣନିଧି ଙ୍କ ପରିବାର ପକ୍ଷରୁ ଚାରିଛକ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତ ଯୁବକ ଅମରେଶ୍ଵର ଛକ ରେ ବୁଲୁଥିବା ଖବର ପାଇ ଚାରିଛକ ଥାନା ପୋଲିସ ଅତର୍କିତ ଚଢ଼ାଉ କରି ତାଙ୍କୁ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରିବା ପରେ ଏକ ବୁଦା ମୂଳେ ସେ ବନ୍ଧୁକ ଲୁଚାଇଥିବା ପୋଲିସ କୁ ଦେଖାଇଥିଲା। ପୋଲିସ ବୁଦା ମୂଳରୁ ବନ୍ଧୁକ ଉଦ୍ଧାର କରିବା ସହ ଭାରତୀୟ ନ୍ୟାୟ ସଂହିତା ଦଫା ୩୩୧ (୩)/୧୧୫( ୨)/୩୫୧ ( ୨)/ ୨୫ ଅସ୍ତ୍ରଶସ୍ତ୍ର ବିରୋଧୀ ଦଫାରେ ଅଭିଯୁକ୍ତ ଯୁବକ କୁ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଯୁବକ ମାନସ ଦାସ ପୂର୍ବରୁ ବନ୍ଧୁକ ଦେଖାଇ ଅନେକ ଥର ଆତଙ୍କ ଖେଳାଇଥିବା ପୋଲିସ ସୂଚନା ଦେଇଛି।


