ବିନା କମେଣ୍ଟରେ ବାପାଙ୍କ ସହ ଝିଅ ବି ରାସ୍ତାରେ ଯାଇ ପାରୁନାହାନ୍ତି : କୋର୍ଟ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :-କୋଚି: ରାସ୍ତାରେ ବାପା ଓ ତାଙ୍କର କିଶୋରୀ ଝିଅ ଏକାଠି ଗଲେ ମଧ୍ୟ ସେମାନଙ୍କୁ ଅଶ୍ଳୀଳ କମେଣ୍ଟ ଶୁଣିବାକୁ ପଡ଼ୁଛି। ସେମାନେ ବାପା ଝିଅ ହୋଇଥିଲେ ମଧ୍ୟ ରାସ୍ତାରେ ଏକାଠି ଚାଲି କି ନ ଯାଇପାରିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି କହିଛନ୍ତି କେରଳ ହାଇକୋର୍ଟ । ଏପରି କମେଣ୍ଟ କରିଥିବା ଜଣେ ବ୍ୟକ୍ତିଙ୍କ ଅନ୍ତରୀଣ ଜାମିନ ଆବେଦନକୁ କୋର୍ଟ ଆଜି ଅଗ୍ରାହ୍ୟ ମଧ୍ୟ କରି ଦେଇଛନ୍ତି।ବ୍ୟକ୍ତି ଜଣଙ୍କ ଅଶ୍ଳୀଳ କମେଣ୍ଟ କରିବା ସହ ଝିଅଙ୍କ ବାପାଙ୍କୁ ମଧ୍ୟ ପ୍ରତିବାଦ କରିବାରୁ ମାଡ଼ ମାରିଥିଲେ। ହାଇକୋର୍ଟ କହିଛନ୍ତି, ଅଭିଯୁକ୍ତ ଜଣକ ଜଣେ ୧୪ ବର୍ଷୀୟ ଝିଅଙ୍କୁ କମେଣ୍ଟ କରିଥିଲେ। ଏହି ସମୟରେ ଝିଅଟି ସହ ତାଙ୍କ ବାପା ରହିଥିଲେ। ବାପା ଜଣଙ୍କ ହେଉଛନ୍ତି ଜଣେ ଅବସର ପ୍ରାପ୍ତ ସବ ଇନସପେକ୍ଟର । ଝିଅକୁ କମେଣ୍ଟ ମାରୁଥିବାରୁ ସେ ଅଭିଯୁକ୍ତଙ୍କୁ ବିରୋଧ କରିଥିଲେ। ହେଲେ ଅଭିଯୁକ୍ତ ଜଣଙ୍କ ତାଙ୍କୁ ହେଲମେଟରେ ଆକ୍ରମଣ କରି ଲହୁଲୁହାଣ କରିଥିଲେ। ବାପାଙ୍କ ସହ ବଢ଼ିଲା ଝିଅ ବିନା କମେଣ୍ଟରେ ରାସ୍ତାରେ ଯାଇ ନ ପାରିବା ଅତ୍ୟନ୍ତ ପରିତାପର ବିଷୟ। ଏପରି ଘଟଣା ବନ୍ଦ ହେବା ଜରୁରୀ ବୋଲି କୋର୍ଟ କହିଛନ୍ତି । ଅନ୍ୟ ପକ୍ଷରେ ଅଭିଯୁକ୍ତ ଜଣଙ୍କ ନିଜର ପକ୍ଷ ରଖି କହିଛନ୍ତି ଯେ “ଝିଅଟିର ବାପା ଓ ତାଙ୍କ ସହ ସେଠାରେ ଥିବା ଆଉ ଜଣେ ବ୍ୟକ୍ତି ପ୍ରଥମେ ମୋତେ ଆକ୍ରମଣ କରିଥିଲେ।” ଏହା ଶୁଣି କୋର୍ଟ କହିଥିଲେ ଯେ “ଝିଅକୁ ଯଦି କେହି ଅଶ୍ଳୀଳ କମେଣ୍ଟ କରିବ, ତା’ହେଲେ ଅଭିଭାବକମାନେ ପ୍ରତିକ୍ରିୟା ପ୍ରକାଶ କରିବା ସ୍ୱାଭାବିକ କଥା।” ସରକାରୀ ଓକିଲ କହିଥିଲେ ଯେ ଅବସରପ୍ରାପ୍ତ ପୁଲିସ୍‌ ଅଧିକାରୀ ଜଣଙ୍କ ତାଙ୍କ ଝିଅଙ୍କୁ ଧରି ରାସ୍ତାରେ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଆବେଦନକାରୀ(ଅଭିଯୁକ୍ତ) ଓ ତାଙ୍କ ସହଯୋଗୀମାନେ ଝିଅଟି ପ୍ରତି ଅଶ୍ଳୀଳ କମେଣ୍ଟ କରିଥିଲେ। ବାପା ହିସାବରେ ଅବସରପ୍ରାପ୍ତ ଅଧିକାରୀ ଜଣଙ୍କ ଏହାକୁ ବିରୋଧ କରିଥିଲେ। କିନ୍ତୁ ତାଙ୍କୁ ଅଭିଯୁକ୍ତମାନେ ହେଲମେଟ ଦ୍ୱାରା ଆକ୍ରମଣ କରିଥିଲେ। ଆକ୍ରମଣ ଯୋଗୁ ତାଙ୍କ ଛାତି ଓ ମୁଣ୍ଡରେ ଆଘାତ ଲାଗିଛି । କୋର୍ଟ ଉଭୟ ପକ୍ଷକୁ ଶୁଣିବା ପରେ ଅନ୍ତରୀଣ ଜାମିନ ଆବେଦନକୁ ଅଗ୍ରହ୍ୟ କରିଛନ୍ତି। କୋର୍ଟ କହିଛନ୍ତି, ଯଦି ଅଭିଯୁକ୍ତ ଜଣକ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଆତ୍ମସମର୍ପଣ କରନ୍ତି, ତା’ହେଲେ ତାଙ୍କୁ ସେହିଦିନ ବିଚାରବିଭାଗୀୟ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିବାକୁ ହେବ। ମାଜିଷ୍ଟ୍ରେଟ ହିଁ ଅଭିଯୁକ୍ତଙ୍କ ଆବେଦନକୁ ବିଚାର କରି ପଦକ୍ଷେପ ନେବେ ବୋଲି କୋର୍ଟ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ