ବିରିକୋଟ ଗ୍ରାମବାସୀଙ୍କ ପାଇଁ ପାନୀୟ ଜଳ ସାତ ସପନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ମୋହନା ବ୍ଲକରେ ଅଡବା ଠାରେ ଏକ ବୃହତର ଜଳଭଣ୍ଡାର ରହିଛି. ହରଭଙ୍ଗୀ ଜଳ ଭଣ୍ଡାର ନାମରେ ନାମିତ ଏହି ଜଳ ଭଣ୍ଡାର କେବଳ ଗଜପତି ନୁହେଁ ସମଗ୍ର ଦକ୍ଷିଣ ଓଡ଼ିଶାରେ ବୃହତର ଜଳ ଭଣ୍ଡାର ଭାବେ ପ୍ରଖ୍ୟାତ ରହି ଆସିଛି. ହେଲେ ଏହି ଜଳ ଭଣ୍ଡାର ନିକଟରେ ମାତ୍ର ଦେଢ କିଲୋମିଟର ଦୂରରେ ବିରିକୋଟ ଗ୍ରାମ ରହିଛି. ଖୁବ କମ ଦୂରରେ ଏହି ବିରିକୋଟ ଗ୍ରାମ ରହିଥିଲେ ସୁଦ୍ଧା ଏଠାକାର ଲୋକଙ୍କୁ ମିଳୁନାହିଁ ଘରଭଙ୍ଗୀ ଜଳ ଭଣ୍ଡାରର ପାଣି. ବୃହତର ଜଳ ଭଣ୍ଡାର ନିକଟରେ ଥିଲେ ସୁଦ୍ଧା ବିରିକୋଟ ଗ୍ରାମବାସୀଙ୍କ ପାଇଁ ପାଣି ମୁନ୍ଦାଏ ପାଇବା ପାଇଁ ସାତ ସପନ ପାଲଟିଛି. ଗ୍ରାମାଞ୍ଚଳ ହେଉ ଅବା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳମାନଙ୍କରେ ବସବାସ କରୁଥିବା ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଲକ୍ଷ୍ୟରେ ସରକାର କୋଟି କୋଟି ଟଙ୍କା ପାଣି ଭଳି ଖର୍ଚ୍ଚ କରୁଥିବା ଡିଣ୍ଡିମ ପିଟୁଥିବା ବେଳେ ପାଣି ମୁନ୍ଦାଏ ଲୋକଙ୍କ ପାଇଁ ତାହା ସାତସପନ। ଗ୍ରାମାଞ୍ଚଳ ଲୋକଙ୍କ ଜଳକ୍କିଷ୍ଟ ଦୂର କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତିି। ସେଥିମଧ୍ୟରୁ ବସୁଧା ଯୋଜନା ଅନ୍ୟତମ। ଏହି ଯୋଜନା ମାଧ୍ୟମରେ ପ୍ରତ୍ୟେକ ସାହିକୁ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯାଉଥିବା କଥା କହୁଛନ୍ତି ସରକାରୀ ବାବୁ। ହେଲେ ଫଳ ଓଲଟା। ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଲୋକେ ଭୋଗୁଛନ୍ତିି ଜଳକଷ୍ଟ ।ବାସ୍ତବରେ ଏହା କେତେ ଯେ କାର୍ଯ୍ୟକାରୀ ହେଉଛି ତାହାକୁ ନେଇ ଲୋକଙ୍କ ମଧ୍ୟରେ ସନ୍ଦେହ ସୃଷ୍ଟି ହେଉଛି।ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ବିରିକୋଟ ଗ୍ରାମ। ଏଠାରେ ବସବାସ କରନ୍ତି ଓଡିଆ ସାହି ଓ ଦଳିତ ସାହିର ୪୫୦ ଘରର ପ୍ରାୟ ୯୦୦ ଲୋକ। ଏହି ଗ୍ରାମରେ ୧ ଲକ୍ଷ ଲିଟର କ୍ଷମତା ବିଶିଷ୍ଟ ଜଳଭଣ୍ଡାର ବସୁଧା ଯୋଜନା ମାଧ୍ୟମରେ ନିର୍ମାଣ କରାଯାଇଛି ପାଣି ଟାଙ୍କି। ଏହି ଟାଙ୍କିର ନିର୍ମାଣ କାର୍ଯ୍ୟ ୨୦୨୦ ମସିହାରେ ହୋଇଥିବାବେଳେ ସାହିର ଅନେକ ସ୍ଥାନରେ ଷ୍ଟାଣ୍ଡପୋଷ୍ଟ୍ ନିର୍ମାଣ ସହ ପାଇପ ସଂଯୋଗ ମଧ୍ୟ କରାଯାଇଛି। ଏହା ମଧ୍ୟରେ ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଏଯାବତ ପାଣିର ଦେଖାନାହିଁ। ଅନେକ ସ୍ଥାନରେ ସାହିକୁ ସଂଯୋଗ ହୋଇଥିବା ପ୍ଳାଷ୍ଟିକ ପାଇପଗୁଡିକ ମଧ୍ୟ ଫାଟି ଆଁ କଲାଣି। ନିର୍ମାଣ ହୋଇଥିବା ଷ୍ଟାଣ୍ଡପୋଷ୍ଟ ଗୁଡିକ ମଧ୍ୟରୁ ଅନେକ ଏବେ ଭଗ୍ନ ଅବସ୍ଥାରେ ରହିଥିବା ବେଳେ ସେଥିରେ ଲଟାବୁଦା ମାଡିଗଲାଣି। ଟାଙ୍କିରେ ଲଗାଯାଇଥିବା ଲୁହା ପାଇପରେ ମଧ୍ୟ ଜାଙ୍ଗୁ ଲାଗିବା ସହ ଘାସ ଚଢିଗଲାଣି। ରାସ୍ତା ପାର୍ କରି ଘରକୁ ସଂଯୋଗ ହୋଇଥିବା ପାଇପ୍ ରାସ୍ତାରେ ପଡିଥିବାବେଳେ ଯାତାୟାତରେ ବାଧା ସୃଷ୍ଟି ହେଉଛି। ଗ୍ରାମରେ ୪ରୁ ୫ଟି ନଳକୂପ ରହିଛି। କିନ୍ତୁ ଗ୍ରୀଷ୍ମ ଦିନେ ଜଳସ୍ତର କମିବା ଯୋଗୁଁ ପାଣି ବାହାରିବା କଷ୍ଟକର। ଗାଁଠାରୁ ୩ ଶହ ମିଟର ଦୂର ବିଲ ମଧ୍ୟରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଏକ କୂଅ ପାଣିକୁ ଲୋକେ ପାନୀୟ ଜଳ ଭାବେ ବ୍ୟବହାର କରନ୍ତି। ଯାହାଫଳରେ ସାହି ବାସିନ୍ଦା ବିଭିନ୍ନ ସମୟରେ ପେଟ ରୋଗର ଶୀକାର ହେଉଥିବା ପୁରୁଷ ଓ ମହିଳା ମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ ସେଥିପ୍ରତି ଗୁରୁତ୍ୱ ଦେଉନଥିବାରୁ ଜନ ଅସନ୍ତୋଷ କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷେ ଗାଁ ଠାରୁ ୨ କିମି ଦୂର ଆଶ୍ରୟପୁର ଗ୍ରାମ ନିକଟରେ ରହିଥିବା ହରଭଙ୍ଗି ଡ୍ୟାମରୁ ପାଣି ଆଣି ଲୋକଙ୍କ ଶୋଷ ମେଣ୍ଟାଇବା ପାଇଁ ୨୦୧୧-୧୨ ମସିହାରେ ଏକ ପ୍ରକଳ୍ପ ପ୍ରଶାସନ ପକ୍ଷରୁ ହାତକୁ ନିଆଯାଇଥିଲା। ତାହା ଏବେ ବି କାର୍ଯ୍ୟକ୍ଷମ ନୁହଁ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ବିଚ୍ଛାଯାଇଥିବା ପାଇପ ଗୁଡିକ ନିମ୍ନମାନର ହୋଇଥିବା ଯୋଗୁଁ ମୋଟର ମାଧ୍ୟମରେ ପାଣି ଛଡାଗଲେ ପାଇପ ଫାଟିଯାଇ ବାହାରକୁ ଜଳ ନିର୍ଗତ ହେଉଥିବା ସରପଞ୍ଚ ପ୍ରତିନିଧି ମୋଶା ମାଝୀ କହିଛନ୍ତି।ଦୀର୍ଘ ବର୍ଷ ଧରି ସ୍ଥାନୀୟ ଲୋକମାନେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଥିବାବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦିନକୁ ଦିନ ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ପାଣି ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା। ତେବେ, ଦେଖିବାକୁ ବାକି ରହିଲା କେବେ ସୁଧୁରିବ ଏହି ସମସ୍ୟା, ଆଉ କେବେ ମିଳୁଛି ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଏବେ ତାକୁହିଁ ଅପେକ୍ଷା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ