ବିଶିଷ୍ଟ ସଂସ୍କୃତ ବିଦ୍ୱାନ, ବରିଷ୍ଠ ଆଇନଜ୍ଞ, ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ଉପସଭାପତି ଦିବ୍ୟସିଂହ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଶ୍ରୀମନ୍ଦିର ମୁକ୍ତିମଣ୍ଡପ ପଣ୍ଡିତ ସଭାର ପୂର୍ବତନ କାର୍ଯ୍ୟକାରୀ ସଭାପତି, ବିଶିଷ୍ଟ ସଂସ୍କୃତ ବିଦ୍ୱାନ, ବହୁ ସଂସ୍କୃତ ପୁସ୍ତକର ରଚୟିତା, ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜ୍ଞ ତଥା ଓଡ଼ିଶା ଜନମୋର୍ଚ୍ଚାର ପୂର୍ବତନ ଉପସଭାପତି ପଣ୍ଡିତ ଦିବ୍ୟସିଂହ ମିଶ୍ର ୮୧ ବର୍ଷ ବୟସରେ ଗତକାଲି ରାତି ୮ ଘଟିକା ୫୦ ମିନିଟ ସମୟରେ ତାଙ୍କ ଭୁବନେଶ୍ୱରସ୍ଥିତ ଜଗନ୍ନାଥ ବିହାର ବାସଭବନରେ ପରଲୋକ ଗମନ କରିଛନ୍ତି । ସ୍ୱର୍ଗତ ମିଶ୍ରଙ୍କ ଜନ୍ମ ପୁରୀ ଜିଲ୍ଲା ବୀରବଳଭଦ୍ରପୁର ଶାସନର ଏକ ସମ୍ଭ୍ରାନ୍ତ ବ୍ରାହ୍ମଣ ପରିବାରରେ ନଭେମ୍ବର ୪ ତାରିଖ ୧୯୪୨ ମସିହାରେ ହୋଇଥିଲା । ୧୯୭୧ ମସିହାରେ ସେ ଆଇନ ସେବାରେ ଯୋଗ ଦେଇ ବିଭିନ୍ନ ସମୟରେ ସରକାରୀ ଓକିଲ ଭାବେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି । ଛାତ୍ର ଜୀବନରୁ କଂଗ୍ରେସ ରାଜନୀତିରେ ସମ୍ପୃକ୍ତ ଥିବା ସ୍ୱର୍ଗତ ମିଶ୍ର କଂଗ୍ରେସ ଦଳର ବିଭିନ୍ନ ପଦପଦବୀରେ ରହିଥିବା ବେଳେ, ଓକିଲାତି ଛାଡ଼ିବା ପରେ ଓଡ଼ିଶା ଜନମୋର୍ଚ୍ଚାର ଉପସଭାପତି ଭାବେ କାର୍ଯ୍ୟ କରିଥିଲେ ।ଜଣେ ସୁବକ୍ତା, ମାତୃଭୂମି, ପ୍ରଜାତନ୍ତ୍ର ଓ ସମାଜର ନିୟମିତ ସ୍ତମ୍ଭକାର ଓ ସଂସ୍କୃତ ଭାଷାରେ ୨୪ ଖଣ୍ଡ, ଖଣ୍ଡକାବ୍ୟ ରଚନା କରିଛନ୍ତି । ‘ତାରା ଶଶାଙ୍କ, ହନୁମନ୍ତ ସନ୍ଦେଶ, ଧ୍ୟାନାଲୋକ, ଅବଧାନ, କୁନ୍ତି, ଅବଧାନ ଟୀକା, ସାହିତ୍ୟ ରତ୍ନାକର, ଶିଶୁ ରାମାୟଣ, ଶିଶୁବୋଧ ଗୀତା, ଚାଣକ୍ୟ ଓ ଶିବାଜୀ ଅନ୍ୟତମ । ବିଶ୍ୱରେ ସଂସ୍କୃତ ଭାଷାର ପ୍ରଚାର, ପ୍ରସାର ପାଇଁ କାର୍ଯ୍ୟ କରୁଥିବା ଲୋକଭାଷା ପ୍ରଚାର ସମିତିର ସେ ଉପସଭାପତି ଥିଲେ । ପୂର୍ବତନ ରାଜ୍ୟପାଳ ବିଶ୍ୱନାଥ ଦାସ, ଲୋକ ସେବକ ମଣ୍ଡଳର ସଭାପତି ଥିବା ସମୟରେ ସେ ଏକବର୍ଷ ପାଇଁ ଆଜୀବନ ସଭ୍ୟ ଭାବେ କାର୍ଯ୍ୟ କରିଥିଲେ । ଗତକାଲି ରାତିରେ ସତ୍ୟନଗର ଶ୍ମଶାନରେ ସ୍ୱର୍ଗତ ମିଶ୍ରଙ୍କ ଦାହ ସଂସ୍କାର କାର୍ଯ୍ୟ କରାଯାଇଥିଲା । ସ୍ୱର୍ଗତ ମିଶ୍ରଙ୍କ ପତ୍ନୀ ରାଜଲକ୍ଷ୍ମୀ ମିଶ୍ର ବିଦ୍ୟମାନ ଅଛନ୍ତି । ଝିଅ ଦେବଜାୟା ମିଶ୍ର, ଡ଼ାକ୍ତର ସୁଜାତା ପ୍ରିୟଦର୍ଶିନୀ ଓ ପୁତୁରା ଅନନ୍ତ ବାସୁଦେବ ମିଶ୍ର ମିଳିତ ଭାବେ ମୁଖାଗ୍ନି ଦେଇଥିଲେ । ଜାମାତା ଡାକ୍ତର ଦେବାଶିଷ ସାମଲ ସମସ୍ତ କାର୍ଯ୍ୟକୁ ସଂଯୋଜନା କରିଥିଲେ ।ପଣ୍ଡିତ ମିଶ୍ରଙ୍କ ବିୟୋଗ ଖବର ପାଇ ପୂର୍ବତନ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ବରିଷ୍ଠ କଂଗ୍ରେସ ନେତା ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଯଜେ୍ଞଶ୍ୱର ବାବୁ, ଡଃ ସଦାନନ୍ଦ ଦିକ୍ଷୀତ, ପ୍ରଫେସର ହରେକୃଷ୍ଣ ଶତପଥୀ, ଆଡ଼ଭୋକେଟ ଉମାବଲ୍ଲଭ ମହାପାତ୍ର, ଦୁଃଖିଶ୍ୟାମ ଦାସ, ପୂର୍ବତନ ଆଇଜି ରାଜକିଶୋର ଦାସ, ସମାଜସେବୀ ପାରେଶ୍ୱର ଖଣ୍ଡାୟତରାୟ, ସୀତାବଲ୍ଲଭ ମହାପାତ୍ର, ଡଃ ବଦ୍ରୀନାଥ ପଟ୍ଟନାୟକ ଓ ଡଃ ମନୋଜ ଲେଙ୍କା ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ