ବିଶୃଙ୍ଖଳାକାରୀଙ୍କ ବିରୋଧରେ ଜିରୋ ଟଲେରାନ୍ସ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲାର ୨ୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଅଞ୍ଚଳରେ ଅନୁଭୂତ ହେଲାଣି ଦୁର୍ଗାପୂଜାର ମାହୋଲ । ହିଞ୍ଜିଳି ଥାନା ପରିସରଭୁକ୍ତ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜାକୁ ଶାନ୍ତି ଶୃଙ୍ଖଳାର ସହ ସଂପନ୍ନ କରିବା ଲାଗି ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନାଙ୍କ ନିର୍ଦ୍ଦେଶ ପ୍ରକାରେ ଶାରଦୀୟ ଦୁର୍ଗପୂଜାକୁ ଶାନ୍ତି ଶୃଙ୍କଳାର ସହ ପାଳନ କରିବା ଲାଗି ଏବଂ କୌଣସି ପ୍ରକାରର ବିଶୃଙ୍କଳା ପରିସ୍ଥିତି ନଉପୁଜିବା ଲାଗି ପୁଲିସ ପ୍ରଶାସନ ପକ୍ଷରୁ ଆଗୁଆ ପଦକ୍ଷେପ ଗ୍ରହଣ କରାଯାଇଛି । ବର୍ତ୍ତମାନ ଠାରୁ ସହରର ବିଭିନ୍ନ ସ୍ଥାନରେ ସାଧା ପୋଷାକଧାରୀ ପୁଲିସ ମୃତୟନ କରାଯିବା ସହ ଅସାମଜିକ ବ୍ୟକ୍ତି ବିଶେଷଙ୍କ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିବା ଜଣାପଡିଛି । ହିଞ୍ଜିଳିକାଟୁ ପୌରାଞ୍ଚଳରେ ୪ଟି ଅସ୍ଥାୟୀ ପୂଜା ମଣ୍ଡପରେ ଦୁର୍ଗାପୂଜା ପାଳନ କରାଯିବାକୁ ଥିବା ବେଳେ ହିଞ୍ଜିଳି ଥାନା ଅଞ୍ଚଳର ୧୨ଟି ସ୍ଥାନରେ ଅସ୍ଥାୟୀ ପୂଜା ମଣ୍ଡପରେ ଜଗତଜନନା ମା’ ଦୁର୍ଗାଙ୍କ ପୂଜାତ୍ସୋବ ପାଳନ କରାଯାଉଥିବା ଜଣାପଡିଛି । ଏହା ସହ ସ୍ଥାନୀୟ ସହର ସମେତ ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ଦେବୀ ପୀଠ ଗୁଡିକରେ ପୂଜାର ମାହୋଲ ଦେଖିବାକୁ ମିଳିବ । ଶାରଦୀୟ ଦୁର୍ଗାପୂଜାରେ ବିଶୃଙ୍ଖଳାକାରୀଙ୍କ ବିରୋଧରେ ଜିରୋ ଟଲେରାନ୍ସ ଅବଲମ୍ବନ କରିବାକୁ ହିଞ୍ଜିଳି ପୁଲିସ ନିଷ୍ପତ୍ତି ନେଇଛି । ପୁଲିସ ପ୍ରଶାସନ ପକ୍ଷରୁ ସହରର ସମସ୍ତ ପ୍ରବେଶ ପଥ ଗୁଡିକରେ ରୋଡ ବ୍ଳକିଂ ଠାରୁ ଆରମ୍ଭ କରି ହେଲମେଟ୍ ତନଖୀ, ଗାଡି ଚାଳନା ପ୍ରମାଣପତ୍ର ସହ ।ଡିର ଆବଶ୍ୟକୀୟ କାଗଜପତ୍ର ଯାଞ୍ଚ କରାଯିବ । ଆଗାମୀ ଦୁର୍ଗାପୂଜା ସମୟରେ ପୂଜା ମଣ୍ଡପ ଗୁଡିକ ନିକଟରେ ଶ୍ରଦ୍ଧାଳୁ ମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନହୋଇ ଶୃଙ୍ଖଳିତ ଭାବେ ଜଗତଜନନୀ ମା’ ଦୁର୍ଗାଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରି ସୁରୁଖୁରୁରେ ଘରକୁ ଫେରିପାରିବେ ସେଥିପାଇଁ ପୂଜାକମିଟିର କର୍ମକର୍ତ୍ତାଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠି କହିଛନ୍ତି । ପାର୍ବଣଋତୁର ମାହୋଲ ଆରମ୍ଭ ହୋଇ ଯାଇଥିବା ବେଳେ ଥାନା ପରିସରଭୁକ୍ତ ଅଞ୍ଚଳରେ ଯେପରି ଅପ୍ରୀତିକର ଏବଂ ଅସାମାଜିକ କାର୍ଯ୍ୟକଳାପ ନଘଟେ ସେଥିନେଇ ପୁଲିସ ପ୍ରଶାସନ ପକ୍ଷରୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦଶହରା ସମୟରେ ଜେଲ କିମ୍ବା ବାହାରେ ଥାଇ କୌଣସି ଅସାମାଜିକ ବ୍ୟକ୍ତି ଫୋନ୍ ମାଧ୍ୟମରେ ଚାନ୍ଦା କିମ୍ବା ଦାଦାବଟି ମାଗିଲେ ଥାନା ପରିସରଭୁକ୍ତ ଅଞ୍ଚଳର ଜନସାଧାରଣ ଭୟଭୀତ ନହୋଇ ସ୍ଥାନୀୟ ପୁଲିସକୁ ସୂଚନା ଦେବା ପାଇଁ ଥାନା ଆଇଆଇସି ଶ୍ରୀ ସେଠି ନିବେଦନ କରିଛନ୍ତି । ଏପରିକି ସୂଚନାଦାତାଙ୍କ ନାମ ସମ୍ପୁର୍ଣ୍ଣ ଗୋପନ ରଖାଯିବ ବୋଲି ପୁଲିସ ପ୍ରଶାସନ ପକ୍ଷରୁ ପ୍ରତିଶୃତି ଦିଆଯାଇଛି । ଆବଶ୍ୟକ ସ୍ଥଳେ ଥାନା ଫୋନ୍ ନମତପର ୯୪୩୮୯୧୬୭୩୨ ସହ ଯୋଗଯୋଗ କରିବାକୁ ହିଞ୍ଜିଳି ପୁଲିସ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।


