ବିଶ୍ୱର ସବୁଠୁ ଦାମୀ ଶାଢ଼ି
ହୀରା, ମୋତି ଜଡିତ ବିଶ୍ୱର ସବୁଠୁ ଦାମୀ ଶାଢ଼ି ପିନ୍ଧିବା ପାଇଁ ସବୁ ଝିଅଙ୍କ ସ୍ୱପ୍ନ ରହିଥାଏ । ତେବେ ଏମିତି ଶାଢ଼ିର ଦାମ ଜାଣିଲେ ସମସ୍ତଙ୍କ ହୋସ ଉଡ଼ିଯିବ । ଏହି ଶାଢ଼ିର ଦାମ ହେଉଛି ୪୦ କୋଟି ଟଙ୍କା । କେରଳର ଟ୍ରାଭାଙ୍କୋର ଏହି ଶାଢ଼ି ମିଳେ । ଏହି ଦାମୀ ଶାଢ଼ିରେ ୧୨ଟି ରତ୍ନ ଲାଗିଥାଏ । ଏହା ବ୍ୟତୀତ ଶାଢ଼ିରେ ଏକ ନିଆରା ପେଣ୍ଟିଂ ହୋଇଛି । ଏହାକୁ ଭାରତୀୟ ଇତିହାସର ସବୁଠୁ ଚର୍ଚ୍ଚିତ ଚିତ୍ରକାର ରାଜା ରବି ବର୍ମା ଆଙ୍କିଥିଲେ । ରବି ବର୍ମାଙ୍କ ଚିତ୍ର ଆଜି ମଧ୍ୟ ହଜାର ହଜାର ଡଲାରରେ ବିକ୍ରି ହୋଇଥାଏ । କେରଳର କିଲିମନ୍ନୁରରେ ରାଜା ରବି ୱର୍ମାଙ୍କ ଜନ୍ମ ୧୮୪୮ ମସିହା ଏପ୍ରିଲ ମାସ ୨୯ ତାରିଖରେ ହୋଇଥିଲା । ଯୁବାବସ୍ଥାରେ ରାଜା ରବି ବର୍ମା ନିଜର ନିଆରା ବିଚାର ଓ ଚିତ୍ର ପାଇଁ ଚର୍ଚ୍ଚାରେ ଥିଲେ । ସେ ଏତେ ପ୍ରସିଦ୍ଧ ଥିଲେ ଯେ, ତାଙ୍କ ଚିତ୍ର ବ୍ରିଟିଶ ରାଜର ଇଂରାଜୀ ଲୋକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । ୨୦୦୭ ମସିହାରେ ତାଙ୍କ ଐତିହାସିକ ଚିତ୍ର ୬ କୋଟି ଟଙ୍କାରେ ବିକ୍ରି ହୋଇଥିଲା । ଏହି ପେଣ୍ଟିଂରେ ଟ୍ରାଭାଙ୍କୋର ମହାରାଜା ଓ ତାଙ୍କ ବଡ଼ଭାଇ ମାଡ୍ରାସର ରାଜ୍ୟପାଳଙ୍କ ସ୍ୱାଗତ କରିବାର ଦେଖାଯାଇଥିଲା । ରାଜା ରବି ବର୍ମାଙ୍କ ପେଣ୍ଟିଂର ଖାସ କଥାଟି ହେଉଛି- ତାଙ୍କ ପେଣ୍ଟିଂରେ ଧର୍ମଗ୍ରନ୍ଥରେ ଘଟିଥିବା ଘଟଣାଗୁଡ଼ିକକୁ ଅଲଗା ଅଲଗା ଢଙ୍ଗରେ ଚିତ୍ରିତ କରାଯାଇଥାଏ । ନାରୀଙ୍କ ଉପରେ ଆଧାରିତ ହୋଇଥିବା ଘଟଣାଗୁଡ଼ିକ ବିଷୟରେ ସେ ଅଧିକାଂଶ ଚିତ୍ର କରୁଥିଲେ । ଏଥିପାଇଁ କିଛି ବିଚାରକ, ପେଣ୍ଟର ଓ ପଣ୍ଡିତ ତାଙ୍କ ଚିତ୍ରକୁ ଗ୍ରହଣ କରୁନଥିଲେ । ଆଜି ମଧ୍ୟ ଏହ ଏକ ବିବାଦର ବିଷୟ ଯେ, ରାଜା ରବି ବର୍ମା ଯେଉଁ ପେଣ୍ଟିଂ କରୁଥିଲେ ତାହା ଠିକ୍ ନା ଭୁଲ । ରାଜା ରବି ବର୍ମା ନିଜ ପେଣ୍ଟିଂରେ ମହାଭାରତର ଦ୍ରୌପଦୀଙ୍କଠାରୁ ଆରମ୍ଭ କରି ରାମରାଜ୍ୟର ମହିଳାଙ୍କ ସ୍ଥିତିର ଚିତ୍ରଣ କରିଥିଲେ । ତାଙ୍କ ପେଣ୍ଟିଂକୁ ଗ୍ରହଣ ନକରିବାର ଦୁଇଟି କାରଣ ଥିଲା । ପ୍ରଥମ ହେଉଛି ନାରୀଙ୍କୁ ନଗ୍ନ ଭାବେ ଆଙ୍କିବା ଓ ମହାଭାରତରୁ ନେଇ ଅନ୍ୟ ଯୁଗରେ ନାରୀଙ୍କ ସହ ହୋଇଥିବା ବ୍ୟବହାରକୁ ଦର୍ଶାଇବା । ଉଦାହରଣ ପାଇଁ ୨୦୧୪ ମସିହାରେ ରିଲିଜ ହୋଇଥିବା ଫିଲ୍ମ ରଙ୍ଗରସିଆକୁ ନିଆଯାଇପାରିବ । ଏହି ଫିଲ୍ମ ରାଜା ରବି ବର୍ମାଙ୍କ ଜୀବନ ଉପରେ ଆଧାରିତ । ଏହି ଫିଲ୍ମ ରିଲିଜ ହେବା ପୂର୍ବରୁ ଅନେକ ବିବାଦ ସୃଷ୍ଟି ହୋଇଥିଲା ।


