ବୀଣାପାଣି ବିଦ୍ୟା ମନ୍ଦିରର ପ୍ରବେଶ ଉତ୍ସବ
ପୁରୀ (ଯୁଗାଦ୍ଧ ନ୍ୟୁଜ): ସତ୍ୟବାଦୀ ବ୍ଳକ୍ର ଶୀରାମଚନ୍ଦ୍ରପୁର ପଞ୍ଚାୟତ ଅନ୍ତର୍ଗତ ମଠସାହି ଗ୍ରାମସ୍ଥିତ ବୀଣାପାଣି ବିଦ୍ୟା ମନ୍ଦିରର ଶନିବାର ସକାଳେ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ଏକ ଶୋଭାଯାତ୍ରାରେ ଯାଇ ଶିକ୍ଷା ଆମର ଅଧିକାର, ଶିକ୍ଷା ହିଁ ମଣିଷର ମାନଦଣ୍ଡ, ଶିକ୍ଷାର ଉନ୍ନତି ଦେଶର ଉନ୍ନତି ଆଦି ସ୍ଳୋଗାନ ଦେଇ ଜନସାଧାରଣଙ୍କୁ ସଚେତନତା କରାଇଥିଲେ । ଏବର୍ଷ ବିଦ୍ୟାଳୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଚନ୍ଦନ, ସିନ୍ଦୁର ଓ ଫୁଲ ଦେଇ ସ୍ୱାଗତ କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରୁ ମା’ ବାଗଦେବୀଙ୍କୁ ଧୂପ, ଦୀପ, ଚନ୍ଦନ, ଫୁଲ ଦେଇ ପୂଜା କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରବୀନ୍ଦ୍ର ନାଥ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କମିଟିର ସଭ୍ୟସଭ୍ୟା, ଅବିଭାବକ, ଶୁଭେଚ୍ଛୁଙ୍କ ସହ ବିଷ୍ଣୁପ୍ରିୟା ମିଶ୍ର, ଗୌରମଣୀ ପ୍ରଧାନ, ଗାୟତ୍ରୀ ବିଶ୍ୱାଳ ଓ ସ୍ୱର୍ଣ୍ଣଲତା ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନଗୁରୁଜୀ ସନ୍ତୋଷ ଚନ୍ଦ୍ର ମିଶ୍ର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


