ବୁଦ୍ଧ ପୂର୍ଣ୍ଣିମା ରେ ଦ୍ବାଦଶ ଭାଗବତ ଗାଦି ମେଳନ ଅନୁଷ୍ଠିତ
ନିମାପଡା, ( ସନ୍ତୋଷ ଦାଶ) :-ପ୍ରାଚୀ ଉପତ୍ୟକାର ନିମାପଡା ବ୍ଲକ ତୁଳସୀପୁର ପଞ୍ଚାୟତ ର ସାନହୁଲି ଗ୍ରାମ ନିକଟସ୍ଥ ରତ୍ନବଟ ଠାରେ ବୁଦ୍ଧ ପୂର୍ଣ୍ଣିମା ଅବସର ରେ
ଦ୍ୱାଦଶ ଭାଗବତ ଗାଦି ମେଳଣ ଅନୁଷ୍ଠିତ ହୋଇଥିଲା । ରତ୍ନବଟ ର ପୂଜକ ରାଜକିଶୋର ଶତପଥୀ ଆନୁଷ୍ଠାନିକ ଭାବେ ଦ୍ଵାଦଶ ଭାଗବତ ଗାଦି କୁ ଶନିବାର ଦିନ ନିମନ୍ତ୍ରଣ କରିବାପରେ ଆଜି ପ୍ରତ୍ୟୁଷ ରୁ ଥାନପତି ତୁଳସୀପୁର ଗ୍ରାମ ର ବାସୁଦେବ ଠାକୁର ଏକ ସୁସଜ୍ଜିତ ବିମାନ ରେ ମେଳଣମଣ୍ଡପ ଠାରେ ପହଞ୍ଚି ଉପବେସନ କରିବା ପରେ ବାର ଗାଦି ଠାକୁର ସ୍ୱ ସ୍ୱ ବିମାନ ରେ ଆସି ମଣ୍ଡପ ଠାରେ ବସିଥିଲେ । ଏହି ମେଳନ ରେ ତୁଳସୀପୁର, ଭାଣପୁର, ସାନହୁଲି, ବାସେନାଖଣ୍ଡ, ଚହଟା, କେସେରାଇପୁର, ଦଣ୍ଡିକିରା, ବାଲୁଙ୍କ, ଛନିଜଙ୍ଗ, ବଳଭଦ୍ରପୁର, ବନମାଳୀପୁର , ଜାହାଙ୍ଗୀରପୁର ପ୍ରଭୁତି ଗ୍ରାମ ର ବାସୁଦେବ ଗାଦି ଠାକୁର ଯୋଗ ଦେଇଥିଲେ । ରତ୍ନ ବଟ ପକ୍ଷରୁ ଠାକୁର ମାନଙ୍କ ନିକଟରେ ବାଳଭୋଗ କରାଯିବା ପରେ ଠାକୁର ମାନଙ୍କ ନିକଟରେ ଦ୍ଵାଦଶସ୍କନ୍ଦ ଭାଗବତ ପାଠ କରା ଯାଇଥିଲା । ମଧ୍ୟାର୍ଣ୍ଣ ରେ ଠାକୁର ମାନଙ୍କ ନିକଟରେ ଅନ୍ନ ପ୍ରସାଦ ଭୋଗ ଲାଗି କରାଯିବା ସହିତ ଅପରାହ୍ନ ରେ ବାରଗାଦି ମେଳନ କମିଟି ପକ୍ଷରୁ ଲଉଡି ଖେଳ ଅନୁଷ୍ଠିତ ହୋଇଥିଲା । ସଂଧ୍ୟା ରେ ଠାକୁର ମାନେ ହରିବୋଲ, ହୁଳହୁଳି, ସଂକ୍ରି ତ୍ତନ ମଧ୍ୟରେ ମଣ୍ଡପ ରୁ ଉଠି ସ୍ୱ ସ୍ୱ ଗ୍ରାମ କୁ ଯାଇ ଘର ଘର ଭୋଗ ଖାଇ ମନ୍ଦିର କୁ ପ୍ରବେଶ କରିଥିଲେ । ଦ୍ଵାଦଶ ଗାଦି ମେଳଣ ପାଇଁ ରତ୍ନବଟ ଉତ୍ସବ ମୁଖର ହୋଇ ପଡ଼ିଥିଲା ।


