ବେରୁଣପଦିରେ ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲକୁ ଭରଚୁଆଲ ମୁଡରେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ହାଟଡିହିି, (ବିକାଶ ବିଶ୍ୱାଳ):ଗ୍ରାମାଞ୍ଚଳରରେ ଛାତ୍ରଛାତ୍ରୀ ମାନଙ୍କୁ ଉନ୍ନତମାନର ଶିକ୍ଷାଦାନ ପାଇଁ ଡାକ୍ତର ପ୍ରଦୀପ ସେଠୀ ବେରୁଣପଦି ଭଳି ଏକ ମଫସଲ ଗ୍ରାମରେ ଆରମ୍ଭ କରିଛନ୍ତି ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ସୋସୋ ପଞ୍ଚାୟତ ବେରୁଣପଦି ଗ୍ରାମର ଡାକ୍ତର ପ୍ରଦୀପ ସେଠୀ ପୁର୍ବରୁ ଗ୍ରାମର ବିକାଶ ପାଇଁ ଉଦ୍ୟମ କରି ସଫଳ ହେବାପରେ ଏବେ ଗାଁରେ ଗଢ଼ିତୋଳିଛନ୍ତି ଉତ୍କଳ ଗୌରବ ଇଣ୍ଟର ନେସନାଲ ସ୍କୁଲ । ଯାହା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମୁଡରେ ଉଦଘାଟିତ ହୋଇଯାଇଛି । ଆଜି ଦିନ ୧୨ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭରଚୁଆଲ ମୁଡରେ ଉଦଘାଟନ କରି ଏହି ବିଦ୍ୟାଳୟ ଦ୍ୱାରା ଛାତ୍ରଛାତ୍ରୀଙ୍କ ଶାରିରୀକ, ମାନସିକ, ବୌଦ୍ଧିକ ଓ ଆଧ୍ୟାତ୍ମିକ ଶିକ୍ଷାର ବିକାଶ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ ୫-ଟି ସଚିବ ଭି.କେ ପାଣ୍ଡିଆନ ମଧ୍ୟ ସାମିଲ ଥିଲେ । ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମିର ରଞ୍ଜନ ଦାସ ଯୋଗଦେଇ ଗ୍ରାମାଞ୍ଚଳରେ ଏପରି ଏକ ସ୍କୁଲ ପ୍ରତିଷ୍ଠା କରି ଛାତ୍ରଛାତ୍ରୀ ମାନଙ୍କୁ ମାଗଣାରେ ଉଚ୍ଚତ୍ତର ଶିକ୍ଷା ଯୋଗାଇ ଦେବାପାଇଁ ବ୍ୟକ୍ତିଗତ ସ୍ତରରେ କରିଥିବା ପ୍ରୟାସକୁ ଭୂୟସୀ ପ୍ରସଂଶା କରିଥିଲେ । ସେହିପରି ଅନ୍ୟତମ ଅତିଥି ଭାବେ କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ ଯୋଗଦେଇ ମୁଖ୍ୟମନ୍ତ୍ରୀ ସବୁବେଳେ ଶିକ୍ଷାକୁ ଗୁରୁତ୍ୱ ଦେବା ସହ ଏବେ ବିଦ୍ୟାଳୟ ଗୁଡିକୁ ୫-ଟିରେ ସାମିଲ କରି ସାରା ଦେଶରେ ଚର୍ଚ୍ଚାରେ ରହିଛନ୍ତି ବୋଲି ମତବ୍ୟକ୍ତ କରିବା ସହିତ ଡାକ୍ତର ପ୍ରଦୀପ ସେଠୀଙ୍କ ଏହି ସାଧୁ ଉଦ୍ୟମକୁ ପ୍ରସଂଶା କରିଥିଲେ । ଡାକ୍ତର ଶ୍ରୀ ସେଠୀ ତାଙ୍କ ବକ୍ତବ୍ୟରେ ଏହି ବିଦ୍ୟାଳୟରେ ୨୫ଶହ ପିଲା ଅଧ୍ୟୟନ କରିବେ ବୋଲି ସୁଚନା ଦେଇଥିଲେ । ପ୍ରାଥମିକ ପର୍ଯ୍ୟାୟରେ ଏବେ ପାଞ୍ଚଶହ ପିଲାଙ୍କ ପଢ଼ିବାପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ଅଳ୍ପ ଦିନ ମଧ୍ୟରେ ଅଧିକ ପିଲାଙ୍କ ଶିକ୍ଷାଦାନ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏପରିକି ଏଠାରେ ସମସ୍ତ ପ୍ରକାର ଶିକ୍ଷା ପ୍ରଦାନ ପାଇଁ ବ୍ୟବସ୍ଥା କରାଯାଇଥିବାବେଳେ ରାଜ୍ୟ ତଥା ରାଜ୍ୟ ବାହାରର ଭଲ ଭଲ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯାଇ ଉତ୍ତମ ଶିକ୍ଷାଦାନ କରାଯିବାର ବ୍ୟବସ୍ଥା କରାଯାଇଛି, ବାହାର ଦେଶରୁ ମଧ୍ୟ ଭଲ ଭଲ ଶିକ୍ଷକ ମାନଙ୍କୁ ନିଯୁକ୍ତି ଦିଆଯାଇ ଶିକ୍ଷାଦାନକୁ ସୁଦୃଢ଼ କରାଯିବ ବୋଲି ସେ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ସହଯୋଗୀ ସୁଶିଲ ଚତୁର୍ବେଦୀ, ମୁଖ୍ୟ ଆବାହକ ବାସୁଦେବ ଭଟ୍ଟ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଏହି ଉତ୍ସବରେ କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ, ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ବିଡିଓ ସୁଶ୍ରୀ ବିନିତା ବିଜୟିନୀ, ଏସଡିପିଓ ପ୍ରଶାନ୍ତ ବେହେରା, ପ୍ରମୁଖ ଉପସ୍ଥିତ ଥିବାବେଳେ ଭାରତର ସୁପ୍ରସିଦ୍ଧ ଗାୟିକା କବିତା ପୌଢ଼ୁଆଲ, ଅନୁରାଧା ପୌଡୁଆଲ, ପୁର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଶିଷ୍ଟ ଶିଳ୍ପପତି ତାରା ପଟ୍ଟନାୟକ, ପୁର୍ବତନ ବିଧାୟକ ଜିତୁ ପଟ୍ଟନାୟକ, କେନ୍ଦୁଝର ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଜିଲ୍ଲାପରିଷଦ ସଦସ୍ୟ ବିମ୍ବାଧର ବିଶ୍ୱାଳ, ଯୁବନେତା ବିଶ୍ୱନାଥ ପ୍ରତାପ ଜେନାଙ୍କ ସମେତ ଦେଶ ତଥା ଦେଶ ବାହାରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଚଳଚିତ୍ର ଜଗତର ବହୁ କଳାକାର ଯୋଗଦେଇଥିଲେ । ଏହି ଅବସରରେ ସ୍କୁଲର ସଫଳତା ପାଇଁ ଚେଷ୍ଟିତ ଥିବା ବ୍ୟବକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।


