ବେଲଗୁଣ୍ଠା ଠାକୁରାଣୀ ଯାତ୍ରା ବିଭିନ୍ନ କଳାକୁଞ୍ଜ, ଆଲୋକସଜ୍ଜା ଓ ଆତସବାଜିରେ ବେଲଗୁଣ୍ଠା ମୁଖରିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ପବିତ୍ର ଅକ୍ଷୟ ତୃତୀୟା ଠାରୁ ମାଁ ଙ୍କ ଆଗମନ ପରେ ଶ୍ରୀ ଶ୍ରୀ ମାଁ ବ୍ରାହ୍ମଣ ଦେବୀ ଯାତ୍ରା ମହୋତ୍ସବ ଗତ ୭ ତାରିଖ ଠାରୁ ଆରମ୍ଭ ହୋଇଛି । ଧିରେ ଧିରେ ବେଲଗୁଣ୍ଠା ସହର ଆଲୋକ ମାଳାରେ ସଜ୍ଜିତ ହେବା ସହିତ ବିଭିନ୍ନ ସାହିର କଳାକୁଞ୍ଜ ଉନ୍ମୋଚିତ ହେବାରେ ଲାଗିଛି । ତା ସାଙ୍ଗକୁ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ସମୟରେ ହେଉଥିବା ଆତସବାଜି ପ୍ରଦର୍ଶନ ଯାତ୍ରାର ସୌନ୍ଦର୍ଯ୍ୟତାକୁ ଦ୍ୱିଗୁଣିତ କରୁଛି । ଏହି ଅବସରରେ ବେଲଗୁଣ୍ଠା ର ପ୍ରଥମ କଳାକୁଞ୍ଜ ଭାବେ ଶାସନ ସାହିର ସୀତା ଅଗ୍ନିପରୀକ୍ଷା ମେଢ଼ ଖୁବ୍ ସୁନ୍ଦର ହୋଇଛି ।ଏହାର ଉନ୍ମୋଚନ କାର୍ଯ୍ୟକ୍ରମରେ ଦିଗ ଦର୍ଶନ ମ୍ୟାନେଜମେଣ୍ଟର ନିର୍ଦ୍ଦେଶକ ସୁଶାନ୍ତ କୁମାର ବିଷୋୟୀ,ଅଶୋକ ସ୍ୱାଇଁ,ଯୁବ ବ୍ୟବସାୟୀ ରାକେଶ କୁମାର ପାତ୍ର,ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି କଳାକୁଞ୍ଜ ଉନ୍ମୋଚନ କରିଥିଲେ । ସୁନ୍ଦର କଳାକୃତିକୁ ବେଲଗୁଣ୍ଠା ଅଞ୍ଚଳର ବିଶିଷ୍ଟ ଶିଳ୍ପୀ ଅଲେଖ ପତି ନିଜ ସୁକ୍ଷ୍ମ କାରିଗରୀରେ ସଜାଇ ଥିବା ବେଳେ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ପଣ୍ଡିତ ରାମକୃଷ୍ଣ ପତି ।ମେଢ ଉନ୍ମୋଚନ ବେଳେ ଶାସକ ସାହିର ବିଜ୍ଞ ପଣ୍ଡିତ ମାନଙ୍କ ଦ୍ୱାରା ମନ୍ତ୍ରପାଠ କରାଯାଇଥିଲା ।କମିଟି ତରଫରୁ ଉପସ୍ଥିତ ଅତିଥି ମାନଙ୍କୁ ପୁଷ୍ପମାଲ୍ୟ ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଯୁବ ସଙ୍ଗଠକ ମଧୁସୂଦନ ଦାଶ ପରିଚାଳନା କରିଥିବା ବେଳେ ମୋତିଲାଲ୍ ପତି,ପ୍ରଭାତ କୁମାର ପତି,ଅଜୟ କୁମାର ପତି,ବୁନା ପତି ,ଶରତ ଚନ୍ଦ୍ର ପତି ପ୍ରମୁଖ କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ସେହିପରି କଂସାରୀ ସାହି, ଶୁଣ୍ଢି ସାହି, ପଣ୍ଡା ସାହି,ଖଦାଳ ସାହିରେ ବିଭିନ୍ନ କଳାକୁଞ୍ଜ ଉନ୍ମୋଚିତ ହୋଇଯାଇଛି । ସମାନ୍ତରାଳ ଭାବରେ ମାଁ ବ୍ରାହ୍ମଣ ଦେବୀଙ୍କ ନଗର ପରିକ୍ରମା ମଧ୍ୟ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ତରଫରୁ ଆୟୋଜିତ ହେଉଅଛି ।୧୯୯୯ ମସିହା ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ତଥା କ୍ଳବ ୯୯ ତରଫରୁ ଚିତ୍ତାକର୍ଷକ ପଟୁଆର ସହିତ ମାଁ ବ୍ରାହ୍ମଣ ଦେବୀ ନଗର ପରିକ୍ରମା କରାଯାଇଥିଲା ।ଏହାର ମୁଖ୍ୟ ଆକର୍ଷଣ ଥିଲା ବିଶାଳ କାୟ ହନୁମାନ ବେଶ ଧାରୀ ଯୁବକ ଓ ୨୧ ଢୋଲ ର ଅପୂର୍ବ ସମନ୍ବୟ ।ତା ସହିତ ସୁନ୍ଦର ଆତସବାଜି ପ୍ରଦର୍ଶନ ।ଏହା ଦେଖିବାକୁ ବଡ଼ଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ସେହିପରି ଶନିବାର ଦିନ ସହରର ବିଶିଷ୍ଟ ବ୍ୟବସାୟୀ ଖଦାଳ ପୋଲେଇ ଓ ତାଙ୍କ ପରିବାର ତରଫରୁ ମାଁ ଙ୍କ ନଗର ପରିକ୍ରମା କରାଯାଇଥିଲା ।ଏହାର ମୁଖ୍ୟ ଆକର୍ଷଣ ଥିଲା ୟୁପି ର ଅଘୋରୀ ନୃତ୍ୟ ଦଳ । ବିଭିନ୍ନ ଶିବ ତାଣ୍ଡବର ତାଳେ ତାଳେ ମଥା ଓ କପାଳରୁ ଅଗ୍ନି ନିର୍ଗତ ହେବା ଆଶ୍ଚର୍ଯ୍ୟଜନକ ଥିଲା । ଶନିବାର ଅଘୋରୀ ନୃତ୍ୟ,ପୁରୀର ସାହି ଯାତ, ରେକର୍ଡ ଡ୍ୟାନ୍ସ,ବାଣ ପଟୁଆର ଦେଖିବା ପାଇଁ ବେଲଗୁଣ୍ଠା ଲୋକାରଣ୍ୟ ହୋଇଉଠିଥିଲା । ଶିକ୍ଷକ ଅତି ଚମତ୍କାର ଢଙ୍ଗରେ ଛାୟାକାନ୍ତ ମହାପାତ୍ରଙ୍କ ଧାରାବୀବରଣୀ ପଠନ କରିବା ସହିତ ଉପସ୍ଥିତ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା ।ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶାନ୍ତିଶୃଙ୍ଖଳା ରକ୍ଷା ଲାଗି ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ସମସ୍ତ କାଯ୍ୟକ୍ରମକୁ କଯ୍ୟନିର୍ବାହୀ ଅଧିକାରୀ ଏସ.ରାକେଶ କୁମାର ପାତ୍ର ପରିଚାଳନା କରିଆସୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ