ଜିଲା କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଜିଲା କଂଗ୍ରେସ ପକ୍ଷରୁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ତିରୋଧାନ ଦିବସ ରବିବାର ପାଳିତ ହୋଇଯାଇଛି । ସ୍ଥାନୀୟ ରାଜୀବ ଭବନରେ ଆୟୋଜିତ ସ୍ମୃତି ସଭାରେ ଜିଲା କଂଗ୍ରେସ ସଭାପତି ସଂଜୀବ ଗିରି ପୌରୋହିତ୍ୟ କରିବା ସହିତ ରାଷ୍ଟ୍ର ବିକାଶ ଓ ନାଗରିକର ମୌଳିକ ଅଧିକାର ସୁରକ୍ଷାରେ ଭୂତପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି ସମ୍ପର୍କରେ ଆଲୋକପାତ କରିଥିଲେ । ଆଜିର ଦିନରେ ତାମିଲନାଡ଼ୁର ଏକ ନିର୍ବାଚନୀ ସଭାରେ ଉଗ୍ରବାଦୀଙ୍କ ଆତ୍ମଘାତୀ ବୋମା ବିସ୍ଫୋରଣରେ ସେ ଜୀବନ ହାରିଥିଲେ । ଏହି ଦିନକୁ କଂଗ୍ରେସ ପକ୍ଷରୁ ବଳିଦାନ ଦିବସ ଭାବେ ସମଗ୍ର ରାଷ୍ଟ୍ର ପାଳନ କରାଯାଉଥିବା ଶ୍ରୀ ଗିରି ସୂଚନା ଦେଇଥିଲେ । ପିସିସି ସାଧାରଣ ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଜିଲା ଉପ-ସଭାପତି ଗୋପୀନାଥ ପାଢ଼ୀ ଓ କୃଷ୍ଣଗୋପାଳ ପଣ୍ଡା, ଜିଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଜିଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ଜିଲା ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପାରମିତା ବିଶ୍ୱାଳ, ପିସିସି ସଂଖ୍ୟା ଲଘୁ ସେଲ ସାଧାରଣ ସମ୍ପାଦକ ଶେଖ ଭୋଲା, ଜିଲା ସଂଖ୍ୟା ଲଘୁ ସେଲ ସଭାପତି ଶେଖ ଅସଗର ପ୍ରମୁଖ ଯୋଗଦେଇ ରାଷ୍ଟ୍ରର ସର୍ବାଙ୍ଗୀନ ବିକାଶ ସାଙ୍ଗକୁ ସମାଜର ଗରିବ ଅବହେଳିତଙ୍କ ଉତ୍ଥାନରେ ପ୍ରଧାନ ରାଜୀବ ଗାନ୍ଧୀଙ୍କ ଅବଦାନକୁ ମନେ ପକାଇଥିଲେ । ଏହି ଅବସରରେ ରାଜୀବ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ସହ ଉପସ୍ଥିତ କଂଗ୍ରେସ ନେତା ଓ କର୍ମୀମାନେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅପରାହ୍ନରେ ଜିଲା କଂଗ୍ରେସ ପକ୍ଷରୁ ନୂଆସାହି ସ୍ଥିତ କପିଳ ମୁନି ବୃଦ୍ଧାଶ୍ରମ ଅନ୍ତେବାସୀଙ୍କୁ ସୁଷମ ଖାଦ୍ୟ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ