ବେସାହାରା ଛୁଆଙ୍କ ନିକଟରେ ପହଞ୍ଚିଲେ ସ୍ୱେଚ୍ଛାସେବୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ବାପା ଚାଲିଗଲେ ସଡକ ଦୁର୍ଘଟଣାରେ, ମା ଚାଲିଗଲା ସାପ କାମୁଡାରେ, ଏବେ ୧୬ବର୍ଷର ଝିଅ କାନ୍ଧରେ ପରିବାରର ବୋଝ । ଏହି ୧୬ବର୍ଷର ଝିଅଟି ପରର ମୁଲଲାଗି ଯାହା ଆଣୁଛନ୍ତି ସେଥିରେ ୪ଭଉଣୀଙ୍କ ସହ ବୃଦ୍ଧ ଜେଜେବାପା ଓ ଜେଜେ ମାଙ୍କ ଭରପୋଷଣ କରୁଛନ୍ତି । ବହୁ ଦୁଖଃକଷ୍ଟରେ ପରିବାରଟି କାଳାତିପାତ କରୁଛି । ଏହି ଖବର ଦୈନିକ ସମ୍ବାଦରେ ପ୍ରକାଶ ପାଇବାପରେ ଆଜି ସାନଭୀ ସେବା ଟ୍ରଷ୍ଟ ସ୍ୱେଚ୍ଛାସେବୀ ସଂଗଠନର ସଦସ୍ୟମାନେ ଏହି ଛୋଟଛୋଟ ଶିଶୁଙ୍କ ନିକଟରେ ପହଞ୍ଚି ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ସାନଭୀ ସେବାଟ୍ରଷ୍ଟର ଫାଉଣ୍ଡର ଦିଲ୍ଲିପ କୁମାର ମଲ୍ଲିକ, ସମ୍ପାଦକ ନିରାକର ସାମଲ, ସଦସ୍ୟ ସତ୍ୟ ରଞ୍ଜନ କର, ଅଜୟ କୁମାର ଜେନା, ଭାଗିରଥି ନାୟକ ପ୍ରମୁଖ ବାଲିବରେଇ ଗ୍ରାମର କଇଥ ଟିକିରି ସାହିରେ ପହଞ୍ଚି ରେସନ ସାମଗ୍ରୀ ସହିତ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଠାରେ ସୁଚନାଯୋଗ୍ୟ ଯେ ଗ୍ରାମର ରତିକାନ୍ତ ହୋ ତାଙ୍କ ସ୍ତ୍ରୀ ଡଲି ହୋଙ୍କ ୫ଝିଅ ଓ ବୃଦ୍ଧ ପିତାମାତାଙ୍କୁ ନେଇ ଚାଲୁଥିଲା ସଂସାର । ୨୦୧୭ରେ ରତିକାନ୍ତ ଏକ ଦୁର୍ଘଟଣାରେ ମୃତୁ୍ୟବରଣ କରିଥିବାବେଳେ ୨୦୨୨ରେ ମା ଡଲି ହୋ ସର୍ପାଘାତରେ ଆରପାରିକୁ ଚାଲିଗଲେ । ଏବେ ଘରେ ମାଟ୍ରିକ ଫେଲ ହୋଇ ଘରେ ରହିଥିବା ୧୬ବର୍ଷୀୟ ଝିଅ ବର୍ଷା ଉପରେ ପରିବାରର ସମ୍ପୁର୍ଣ୍ଣ ବୋଝ ଲଦି ହୋଇପଡିଛି । ସେ ମୁଲ ମଜୁରୀ ଲାଗି ଯାହା ପାଉଛି ସେଇଥିରେ ପରିବାରଟି ଚଳାଇଛି । ମଝିଆଁ ଝିଅ ଆରତୀ ଓ ସଶ୍ମିତା ନିକଟସ୍ଥ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ଆଉ ଜଣେ ଝିଅ ମାମୁନି ହୋ ତୃତୀୟ ଓ ସାନଝିଅ ଲକ୍ଷ୍ମୀ ପ୍ରଥମ ଶ୍ରେଣୀରେ ପଢ଼ୁଛି । ଘେ;ର ବୃଦ୍ଧ ଜେଜେବାପା ୭୮ବର୍ଷୀୟ ଚୁଙ୍ଗୀ ହୋ ଏବଂ ଜେଜେମା ତୁଳସୀ ହୋ ବି ଅଛନ୍ତି । ସେମାନଙ୍କ ବୟସାଧିକ କାରଣରୁ ସେମାନେ ରୋଜଗାର କରିବାରେ ଅକ୍ଷମ ହୋଇ ପଡିଛନ୍ତି । ଏପରି ଅବସ୍ଥାରେ ଉକ୍ତ ଗରିବ ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇ ଦେବାସହିତ ଚାରୋଟି ଅନାଥ ଶିଶୁଙ୍କୁ ପାଠ ପଢ଼ାଇ ମଣିଷ କରିବାର ଦାୟିତ୍ୱ ପ୍ରଶାସନ ନେଉ ବୋଲି ଗ୍ରାମବାସୀମାନେ ଦାବି କରିଛନ୍ତି ।


