‘ଟିପିଏନଓଡିଏଲ’ର କର୍ମଚାରୀ ମାରଣ ନୀତିକୁ ବିରୋଧ

ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତର ଓଡ଼ିଶାର ବିଦ୍ୟୁତ ବିତରଣ ସଂସ୍ଥା ‘ଟିପିଏନଓଡିଏଲ’ର ଗ୍ରାହକ ଶୋଷଣ ଓ କର୍ମଚାରୀ ମାରଣ ନୀତି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛି ନେସ୍କୋ ପାୱାର ଇଞ୍ଜିନିୟର୍ସ ଆସୋସିଏସନ । ଏନେଇ ରେମୁଣା ଗୋଲେଇ ଟିପିଏନଓଡିଏଲ କର୍ପୋରେଟ କାର୍ଯ୍ୟାଳୟ ନିକଟ କଲ୍ୟାଣମଣ୍ଡପ ଠାରେ ଆୟୋଜିତ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆସୋସିଏସନର ସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ, କାର୍ଯ୍ୟକାରୀ ସଭାପତି ରାଜୀବ କୁମାର ନାୟକ, ଉପ-ସଭାପତି ଶ୍ରୀକାନ୍ତ କୁମାର ପାଢୀ, ସାଧାରଣ ସମ୍ପାଦକ ଅନନ୍ତ ବିଷୋଇ ପ୍ରମୁଖ ଯୋଗଦେଇ ଅଧିକାରୀ ତଥା କର୍ମଚାରୀଙ୍କ ମଧ୍ୟରେ ଟିପିଏନଓଡିଏଲ କର୍ତ୍ତୃପକ୍ଷଙ୍କ ଭେଦଭାଦ ନୀତିକୁ ତୀବ୍ର ନିନ୍ଦା କରିଥିଲେ । ପୂର୍ବରୁ ପରିଚାଳିତ ନେସ୍କୋ ୟୁଟିଲିଟିକୁ ଅଧିଗ୍ରହଣ ପରେ ଟାଟା ପାୱାର କମ୍ପାନୀକୁ କାର୍ଯ୍ୟରତ ଇଞ୍ଜିନିୟରମାନେ ସ୍ୱାଗତ କରିଥିଲେ । ଅଶା ଥିଲା କର୍ମଚାରୀଙ୍କ ବିଭିନ୍ନ ଦାବି ପୂରଣ ସାଙ୍ଗକୁ ସେମାନଙ୍କ ସୁରକ୍ଷା ଦିଗରେ ସଂସ୍ଥା ଗୁରୁତ୍ୱ ଦେବ । ମାତ୍ର କମ୍ପାନୀ କର୍ତ୍ତୃପକ୍ଷ କର୍ମଚାରୀଙ୍କୁ ପ୍ରୋତ୍ସାହନ ଦେବା ପରିବର୍ତ୍ତେ ବିଭିନ୍ନ ପଦର ଅଧିକାରୀଙ୍କୁ କାର୍ଯ୍ୟରୁ ଅନ୍ତର କରିବାକୁ ହୀନ ଉଦ୍ୟମ ଚଳାଇଥିବା ସଂଗଠନର କର୍ମକର୍ତ୍ତାମାନେ ଆରୋପ କରିଛନ୍ତି । ପଦନ୍ନୋତି ଅଟକାଇବାକ କାର୍ଯ୍ୟରତ କେତେକ ଇଞ୍ଜିନିୟରଙ୍କ ବାବଦରେ ବିଭିନ୍ନ ନକରାତ୍ମକ ଟିପ୍ପଣୀ ଉଲ୍ଲେଖ ସହ ମାନସିକ ଯନ୍ତ୍ରଣା ଦେବା ଭଳି ଘଟଣା ଏବେ ସାମ୍ନାକୁ ଆସିଛି ବୋଲି ସେମାନେ କହିଛନ୍ତି । ଟିପିଏନଓଡିଏଲରେ ନବ ନିଯୁକ୍ତ ଅଣ ଓଡିଆ ଅଧିକାରୀ ଓ ପୂର୍ବର ନେସ୍କୋ ଅଧିକାରୀ ମଧ୍ୟରେ ବିଭେଦ ସୃଷ୍ଟି ପାଇଁ କର୍ତ୍ତୃପକ୍ଷ ଚକ୍ରାନ୍ତ ଚଳାଉଛନ୍ତି । କମ୍ପାନୀ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟରତ ଇଞ୍ଜିନୟରମାନଙ୍କ ଆପତ୍ତି ଓ ସମସ୍ୟାକୁ ଦୃଷ୍ଟିରେ ରଖି ସୁସ୍ଥ ବାତାବରଣରେ କାର୍ଯ୍ୟ କରିବାର ସୁଯୋଗ ଦେବାକୁ ଆସୋସିଏସନ ପକ୍ଷରୁ ଦାବି କରାଯାଇଛି । କେତେକ ନ୍ୟସ୍ତସ୍ୱାର୍ଥ ଅଧିକାରୀଙ୍କ ପାଇଁ ଉଚ୍ଚ କର୍ତ୍ତୃପକ୍ଷ ଇଞ୍ଜିନିୟରଙ୍କୁ ଅଣଦେଖା କରି ଚାଲିଥିବା ବେଳେ ଏଥି ପ୍ରତି ଉଚିତ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ସଭାସ୍ଥଳରୁ ଆସୋସିଏସନର କର୍ମକର୍ତ୍ତା ଓ ସଦସ୍ୟମାନେ ଶୋଭାଯାତ୍ରାରେ ଯାଇ ଟିପିଏନଓଡିଏଲ ମୁଖ୍ୟ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ଅବସରରେ ଆସୋସିଏସନ ପକ୍ଷରୁ ଦାବି ସମ୍ବଳିତ ସ୍ମାରକପତ୍ର ଟିପିଏନଓଡିଏଲ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଥିଲା । କମଳଲୋଚନ ମହାନ୍ତି, ସୁଧୀର ମିଶ୍ର, ଅନନ୍ତ ସେନାପତି, ପ୍ରମୋଦ ନାୟକ, ସୁଜିତ ରଥ, ଜିତେନ୍ଦ୍ର ବେହେରା, ନାରାୟଣ ଦାସ, ବିଭୂରଞ୍ଜନ ସାହୁ, ବିରଂଚି ନାରାୟଣ ସାହୁ, ହରିଶ କୁମାର ପଣ୍ଡା ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ