ବୋଲେରୋ ଧକ୍କାରେ ୫ବର୍ଷର ଶିଶୁ ମୃତ, କ୍ଷତିପୂରଣ ସହ ବୋଲେରୋ  ଚାଳକ ଗିରଫ: ୬ ଘଣ୍ଟା ପରେ ହଟିଲା ରାସ୍ତାରୋକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଅଜଣା ଗାଡି ଧକ୍କାରେ ପାଞ୍ଚ ବର୍ଷର ଶିଶୁ ମୃତ୍ୟୁ ଘଟଣାରେ  ରାସ୍ତାରୋକ । ସୂଚନା ପ୍ରକାରେ ରବିବାର  ସନ୍ଧ୍ୟା ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ସାରଙ୍ଗଡ଼ ଥାନା ଗୁଞ୍ଜିବାଡ଼ି ଗ୍ରାମ ପଞ୍ଚାୟତର ଜିଡୁବାଡ଼ି ଛକ ନିକଟ ନିଜ ଘର ସାମ୍ନା ରାସ୍ତାକଡ଼ରେ ସୁଶୀଳ ପ୍ରଧାନଙ୍କ ୫ବର୍ଷର ଶିଶୁ ଯାଦବ ପ୍ରଧାନ ଠିଆ ହୋଇଥିବା ସମୟରେ ଏକ ବୋଲେରୋ ଧକ୍କା ଦେଇ ଚାଲିଯାଇଥିଲା । ଗୁରୁତର ଅବସ୍ଥାରେ ପରିବାର ଲୋକେ ଶିଶୁଟିକୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ ହେଲେ ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିଲେ । ଘଟଣାରେ ସୋମବାର ପରିବାର ଲୋକେ ଓ ସ୍ଥାନୀୟ ବାସିନ୍ଦା ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣସହ ବୋଲେରୋ ଚାଳକକୁ ଗିରଫ ଦାବିରେ ଗୁଞ୍ଜିବାଡ଼ିଠାରେ ବାଲିଗୁଡ଼ା-ରାଇକିଆ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଫଳରେ ବାଲିଗୁଡ଼ାରୁ ବ୍ରହ୍ମପୁର,ଭୁବନେଶ୍ୱର ମଧ୍ୟରେ ଯାତାୟତ ଠପ୍‌ ହୋଇପଡ଼ିଥିଲା । ଘଟଣାସ୍ଥଳରେ ଜି.ଉଦୟଗିରି ଏସଡିପିଓ,କ.ନୂଆଗାଁ ତହସିଲଦାର ଓ ସାରଙ୍ଗଡ଼ ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଚି ଦୀର୍ଘ ସମୟ ଧରି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଏକ ଲକ୍ଷ ଟଙ୍କା କ୍ଷତିପୂରଣ ସହ ବୋଲେରୋ ଚାଳକକୁ ଗିରଫ କରିବା ପରେ ଦୀର୍ଘ ଛ ଘଣ୍ଟା ଧରି ହୋଇଥିବା ରାସ୍ତାରୋକ ହଟିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ