ବଢ଼ିଲା କଂଗ୍ରେସ ସଙ୍କଟ, ଦଳ ବିରୋଧରେ ଗର୍ଜିଲେ ନିରୁପମ
ମୁମ୍ବାଇ: ଆସନ୍ତା ଅକ୍ଟୋବର ୨୧ ତାରିଖରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ମୁମ୍ବାଇରେ କଂଗ୍ରେସ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । କଂଗ୍ରେସ ନେତା ସଂଜୟ ନିରୁପମ ଗତକାଲି ଏକ ଟ୍ୱିଟ୍ କରି ଦଳ ପାଇଁ ପ୍ରଚାର କରିବେନି ବୋଲି କହିଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଦଳୀୟ ନେତୃତ୍ୱ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ନିରୁପମ ଆଜି କହିଛନ୍ତି, ଯେଉଁ ଢଙ୍ଗରେ ପ୍ରାର୍ଥୀ ଚୟନ କରାଯାଇଛି ତା ଦ୍ୱାରା କଂଗ୍ରେସ ମୁମ୍ବାଇର ୩-୪ଟି ଆସନକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ଆସନରେ ହାରିବ । ଦଳୀୟ ନେତୃତ୍ୱ ବାସ୍ତବତା ବୁଝୁନାହାନ୍ତି । କେ?ଣସି ପରାମର୍ଶ ନେଉନାହାନ୍ତି କି ତୃଣମୂଳ କର୍ମୀଙ୍କ କଥାକୁ ବି କର୍ଣ୍ଣପାତ କରୁନାହାନ୍ତି । ନିରୁପମ ଦାବି କରିଛନ୍ତି ଯେ କଂଗ୍ରେସ ବିଶ୍ୱସ୍ତ ନେତାମାନଙ୍କୁ ଅଣଦେଖା କରୁଛି ଏବଂ କେତେକ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଏଆଇସିସିରେ ବଡ଼ ଷଡ଼ଯନ୍ତ୍ର କରୁଛନ୍ତି । ପୂର୍ବତନ ମହାରାଷ୍ଟ୍ର କଂଗ୍ରେସ ମୁଖ୍ୟ ନିରୁପମ କହିଛନ୍ତି, ଯଦି ଦଳ ମଧ୍ୟରେ ଏଭଳି କାର୍ଯ୍ୟ ଜାରି ରହିବ ତେବେ ସେ ଦଳ ଛାଡ଼ିଦେବେ । ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ନିରୁପମଙ୍କୁ କୁହାଯାଇଛି ଯେ ସେ ତାଙ୍କ ଷଡ଼ଯନ୍ତ୍ର ଥିଓରି ବନ୍ଦ କରି ଶୃଙ୍ଖଳା ଭିତରେ ରହିବା ଉଚିତ ।


