ଭଣ୍ଡାରିପୋଖରୀ ମୁନସୀ ମେଳଣ ଉଦଯାପିତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକର ଗଣପର୍ବ ମୁନସୀ ମେଳଣ ଉଦଯାପିତ ହୋଇଯାଇଛି। ଥାନା ପରିସର ଶୀତକଣ୍ଠେଶ୍ୱର ଶିବ ମନ୍ଦିରରେ ଘଟ ସ୍ଥାପନା ପରେ ପୀଠ ଦେବତାଙ୍କ ପୂଜାର୍ଚ୍ଚନା ହୋଇଥିଲା। ପ୍ରଥମେ ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ବୃଷବ ପୂଜା, ଇଷ୍ଟ ଦେବତାଙ୍କ ପୂଜା ସହିତ ମହାଦେବଙ୍କୁ ୧୦୮ବେଲପତ୍ର ଅର୍ପଣ କରାଯାଇଥିଲା। ପରେ ଆଳତୀ ସହିତ ରାଧାକୃଷ୍ଣଙ୍କ ଷୋଡଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ପୂଜକ ରାଜକିଶୋର ପଣ୍ଡାଙ୍କ ସହିତ ଗୟାଧର ଦାସ, ଜଗବନ୍ଧୁ ପଣ୍ଡା, ମଧୁସୂଦନ ନାୟକ ବୈଦିକି ବିଧି ଅନୁଯାୟୀ ମୁନସୀ ମେଳଣ ପୂଜାକାର୍ଯ୍ୟ ସମ୍ପନ୍ନ କରିଥିଲେ। ଏଥିରେ ବିଶ୍ୱକେଶନ ପରିଡା ଓ ମଧୁସ୍ମିତା ପରିଡା ଦାୟିତ୍ୱ ନିର୍ବାହ କରିଥିବା ବେଳେ ମେଳଣ କମିଟି କୋଷାଧ୍ୟକ୍ଷ ପ୍ରଭାତ କୁମାର ସାହୁ ଏହାକୁ ପରିଚାଳନା କରିଥିଲେ। ଏହାଛଡା ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲ, ବିଡ଼ିଓ ଦେବଦତ୍ତ ଦାସ, ଥାନା ଅଧିକାରୀ ଅମିତାଭ ଦାସ, ସମାଜସେବୀ ବଦ୍ରିନାରାୟଣ ଧଳ, ରଜନୀକାନ୍ତ ଚନ୍ଦ, ସରପଞ୍ଚ ବର୍ଷାରାଣୀ ଜେନା, ଶିକ୍ଷାବିତ କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ଭରତ ଚନ୍ଦ୍ର କରଣ ପ୍ରମୁଖ ଉପସ୍ଥିତ ରହି ମୁନସୀ ମେଲଣର ଐତିହ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ବେଳେ ଭୋର ୪ଟା ଠାରୁ ଥାନା ପରିସରକୁ ଠାକୁର ବାଡ଼ିଆଙ୍କୁ ପ୍ରଥା ଅନୁଯାୟୀ ନିମନ୍ତ୍ରଣ କରାଯାଇଥିଲା। ଏଥିରେ ଦକ୍ଷିଣବାଡ଼, ଉତ୍ତରବାଡ଼, ତୋରତ, ହାଟଡ଼ିହି, ବୟା, ମୋବାରକପୁର, ସାହାରାଗଡ଼ିଆ, ପାଳଦା, ଚନ୍ଦ୍ରଭାନୁପୁର, ଧାମନଗର ବ୍ଲକର ଆନନ୍ଦପୁର ପ୍ରମୁଖ ଗ୍ରାମରୁ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ପଟୁଆରରେ ଅଣାଯାଇଥିଲା। ମୁନସୀ ମେଲଣ କମିଟି ଓ ଥାନା ବାବୁଙ୍କ ମିଳିତ ସଂଯୋଜନାରେ ବିଭିନ୍ନ ଗ୍ରାମରୁ ଶୋଭାଯାତ୍ରାରେ ଆସିଥିବା ଦୋଳ ମେଲଣ ଠାକୁରଙ୍କୁ ଭବ୍ୟ ସମ୍ବର୍ଦ୍ଧନା ସହିତ ପୂଜାର୍ଚ୍ଚନା କରାଯାଇଥିଲା। ଆଖପାଖ ଅଞ୍ଚଳର ଦୁଇ ଶହ ଶହ ଶ୍ରଦ୍ଧାଳୁ ଯୋଗଦେଇଥିବା ବେଳେ ଶାନ୍ତି ଶୃଙ୍ଖଳାର ସହିତ ଉତ୍ସବ ଶେଷ ହୋଇଥିବା ଜଣାପଡିଛି ।


