ଭାରତରେ କରୋନା ମୃତ୍ୟୁସଂଖ୍ୟା ୧୮୦୦ ଡେଇଁଲା
ନୂଆଦିଲ୍ଲୀ : ଧୀରେ ଧୀରେ ଭାରତରେ କରୋନା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ଲକଡାଉନ୍, କର୍ଫ୍ୟୁ ଓ ଅନ୍ୟାନ୍ୟ କଟକଣା ସତ୍ତ୍ବେ କରୋନା ଥମିବାର ନାଁ ଥରୁନାହିଁ। ଏବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬ ହଜାର ଅତିକ୍ରମ କରିଥିବାବେଳେ ମୃତ୍ୟସଂଖ୍ୟା ୧୮୮୬ରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତ ୨ ଘଣ୍ଟାରେ କରୋନା ଯୋଗୁଁ ୧୦୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗୋଟିଏ ଦିନରେ ୧୨୭୪ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୃତ୍ୟୁହାର ୩.୩୪ ପ୍ରତିଶତ ରହିଥିବାବେଳେ ସୁସ୍ଥ ହାର ୨୯.୩୫ ପ୍ରତିଶତ ରହିଛି। ଦେଶରେ ସର୍ବମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୬,୩୪୨ରେ ପହଞ୍ଚିଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ମହାରାଷ୍ଟ୍ରରେ ସର୍ବାଧିକ ମୃତ୍ୟୁ ହୋଇଛି। ମହାରାଷ୍ଟ୍ରରେ ୬୯୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ ୪୨୫, ମଧ୍ୟପ୍ରଦେଶରେ ୧୯୩, ରାଜସ୍ଥାନରେ ୯୭, ଦିଲ୍ଲୀରେ ୬୬, ଉତ୍ତରପ୍ରଦେଶରେ ୬୨, ଆନ୍ଧ୍ରପ୍ରଦେଶରେ ୩୮, ପଶ୍ଚିମବଙ୍ଗରେ ୧୫୧, ତାମିଲନାଡୁରେ ୩୭, ତେଲେଙ୍ଗାନାରେ ୨୯, କର୍ଣ୍ଣାଟକରେ ୩୦, ପଞ୍ଜାବରେ ୨୮, ଜମ୍ମୁକାଶ୍ମୀରରେ ୯, ହରିୟାଣାରେ ୭, କେରଳରେ ୪, ଝାଡଖଣ୍ଡରେ ୩, ବିହାରରେ ୫, ଓଡ଼ିଶା ଓ ହିମାଚଳ ପ୍ରଦେଶରେ ୨, ଚଣ୍ଡୀଗଡ, ଆସାମ ଓ ମେଘାଳୟରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି।


