ଭାରତରେ ଦୈନିକ କରୋନା ସଂକ୍ରମଣ ମାମଲା ୪୦ ହଜାର ତଳକୁ ଖସିଲା
ନୂଆଦିଲ୍ଲୀ: ଛଅଦିନ ପରେ ଭାରତରେ ଦୈନିକ ନୂଆ କରୋନା ମାମଲା ୪୦ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ କରୋନା ମାମଲା ୩୮,୦୭୩କୁ ହ୍ରାସ ପାଇଛି । ସେହିଭଳି ତୃତୀୟ ଦିନ ପାଇଁ ଦୈନିକ ନୂଆ ମାମଲା ୫୦ ହଜାର ତଳେ ରହିଛି । ବିଶ୍ୱର ଅନ୍ୟ କେତେକ ରାଷ୍ଟ୍ରରେ କରୋନା ସଂକ୍ରମଣର ଦ୍ୱିତୀୟ ଏବଂ ତୃତୀୟ ଲହରି ଦେଖାଦେବା ସହ କିଛି ଦେଶରେ ଦିନକୁ ଲକ୍ଷେରୁ ଅଧିକ ରୋଗୀ ଚିହ୍ନଟ ହେଉଛନ୍ତି । ଗତ ୩-୪ ଦିନ ହେଲା ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଭାରତରେ ଦୈନିକ କରୋନା ମାମଲା ୪୦ ହଜାର ତଳକୁ ଖସିବା ବିଷୟ ନିଶ୍ଚିତ ଗୁରୁତ୍ୱ ରଖୁଛି । ତା’ଛଡ଼ା ଭାରତରେ ଗତ କିଛି ସପ୍ତାହ ହେଲା ସକ୍ରିୟ କରୋନା ମାମଲା ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଆଜିକୁ ୩୮ ଦିନ ହେଲା ନୂଆ ଦୈନିକ କରୋନା ମାମଲାଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ହେବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୪୨,୦୩୩ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ।
ଦେଶରେ ମୋଟ କରୋନା ସକ୍ରିୟ ମାମଲା ୫,୦୫,୨୬୫କୁ ହ୍ରାସ ପାଇଛି । ଦେଶରେ ମୋଟ କରୋନା ପଜିଟିଭ ଲୋକଙ୍କ ସଂଖ୍ୟାର ଏହା ୫.୮୮% ରହିଛି ଏବଂ କ୍ରମାଗତ ଭାବେ ହ୍ରାସ ପାଉଛି । ଫଳସ୍ୱରୂପ ଦେଶରେ କରୋନା ଆରୋଗ୍ୟ ହାର ୯୨.୬୪%କୁ ବୃଦ୍ଧି ପାଇଛି । ଆଜିସୁଦ୍ଧା କରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୭୯,୫୯,୪୦୬ରେ ପହଞ୍ଚିଛି । ଏହାଦ୍ୱାରା ସୁସ୍ଥ କରୋନା ମାମଲା ଏବଂ ସକ୍ରିୟ ମାମଲା ମଧ୍ୟରେ ରହୁଥିବା ବ୍ୟବଧାନ ୭୪,୫୪,୧୪୧କୁ ବୃଦ୍ଧି ପାଇଛି । ୨୪ ଘଣ୍ଟାରେ ଆରୋଗ୍ୟ ଲାଭ କରିଥିବା ମୋଟ ଲୋକଙ୍କ ମଧ୍ୟରୁ ୭୮% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରୁ ରହିଛନ୍ତି । ଦିଲ୍ଲୀରେ ଦିନକରେ ସର୍ବାଧିକ ୭,୦୧୪ ରୋଗୀ କରୋନାରୁ ସୁସ୍ଥ ହୋଇଛନ୍ତି । କେରଳରେ ୫,୯୮୩ ଲୋକ ସୁସ୍ଥ ହୋଇଥିବା ବେଳେ ଏହା ପଛକୁ ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୪,୩୯୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ୭୨% ନୂଆ ମାମଲା ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଛି । ସର୍ବାଧିକ ଦୈନିକ କରୋନା ମାମଲାରେ ଦିଲ୍ଲୀ ପୁଣି ଉପରେ ରହିଛି । ୨୪ ଘଣ୍ଟାରେ ଏଠାରେ ୫,୯୮୩ ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା କି ପୂର୍ବଦିନର ୭,୭୪୫ ନୂଆ ମାମଲାଠାରୁ କମ । ଦିଲ୍ଲୀ ପଛକୁ ଥିବା ପଶ୍ଚିମବଙ୍ଗରେ ୩,୯୦୭ ନୂଆ ମାମଲା ସାମ୍ନାକୁ ଆସିଥିବା ବେଳେ କେରଳର ଦୈନିକ କରୋନା ମାମଲା ୩,୫୯୩କୁ ହ୍ରାସ ପାଇଛି । ମହାରାଷ୍ଟ୍ରରେ ନୂଆ କରୋନା ମାମଲା ୩,୨୭୭କୁ ଖସିଛି । ଦୈନିକ ନୂଆ ମାମଲାରେ କେରଳ ଏବଂ ମହାରାଷ୍ଟ୍ର ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି । ଗତ ୨୪ ଘଣ୍ଟାରେ ୪୪୮ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଲଗାତର ଦ୍ୱିତୀୟ ଦିନ ହେଲା କରୋନା ମୃତ୍ୟୁ ସଂଖ୍ୟା ୫୦୦ ତଳେ ରହୁଛି । ଦୈନିକ କରୋନା ମୃତ୍ୟୁର ୭୮% ୧୦ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ରହିଛି । ମହାରାଷ୍ଟ୍ରରେ ଦିନକରେ ସର୍ବାଧିକ ୮୫ ଲୋକ ପ୍ରାଣ ହରାଇଛନ୍ତି । ମୋଟ ଦୈନିକ ମୃତ୍ୟୁରେ ଏହାର ଭାଗ ୧୮.୯୭%କୁ ହ୍ରାସ ପାଇଛି । ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଦୈନିକ ମୃତ୍ୟୁ ଯଥାକ୍ରମେ ୭୧ ଓ ୫୬ ରହିଛି ।


