ଭାରତ ପେଟ୍ରୋଲିୟମ ଡିପୋକୁ ପାରାଦୀପ ପୌରାଧ୍ୟକ୍ଷଙ୍କ ନିର୍ଦ୍ଦେଶ
ପାରାଦୀପ, (ପୀତବାସ ପ୍ରଧାନ) :-ପାରାଦୀପ ଉପକଣ୍ଠ ବାଲିଝରା ନିକଟସ୍ଥ ସନ୍ତୋଷୀ ନଗର ବସ୍ତି ବାସିନ୍ଦା ଅସରାଏ ବର୍ଷା ହେଲେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବର୍ଷା ଜଳ ନିଷ୍କାସନ ହୋଇ ନପାରିବାରୁ ଲୋକମାନଙ୍କ ଘରେ ବର୍ଷାଜଳ ପ୍ରବେଶ କରୁଥିଲା । ଏହି ସମସ୍ୟାକୁ ସାମ୍ନା କରି ଅତି କଷ୍ଟରେ ଚଳୁଥିଲେ ସନ୍ତୋଷୀ ନଗର ବସ୍ତି ବାସିନ୍ଦା । ଜଳବନ୍ଦୀରେ ରହି ବର୍ଷା ଦିନରେ ପରିବାର ସହ ଚଳୁଥିଲେ । ଏହି ସମସ୍ୟାର ସମାଧାନ କରିବା ପାଇଁ ବସ୍ତିବାସିନ୍ଦା ଦାବୀ କରି ଆସୁଥିଲେ । ଆଗକୁ ବର୍ଷା ଦିନ ଆସୁଛି ଲୋକମାନଙ୍କର ଏହି ସମସ୍ୟାକୁ ପ୍ରାଥମିକତା ଦେଇଛି ପାରାଦୀପ ପୌର ପାଳିକା । ପୌର ନିର୍ବାଚନ ପରେ ପାରାଦୀପ ପୌର ପାଳିକାର ନବ ନିର୍ବାଚିତ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳ ବସ୍ତିର ଲୋକମାନଙ୍କୁ ଜଳବନ୍ଦୀରୁ ମୁକ୍ତି ଦେବା ପାଇଁ ଶନିବାର ଦିନ ସେଠାରେ ପହଂଚିଥିଲେ । ବସ୍ତି ଅଂଚଳ ବୁଲି ଦେଖିବା ସହ ଜଳପଥ ଅବରୋଧ ସ୍ଥାନକୁ ଯାଇଥିଲେ । ବର୍ଷାଜଳ ନିଷ୍କାସନର ପଥ ଭାରତ ପେଟ୍ରୋଲିୟମର ତୈଳ ଡିପୋ ମଧ୍ୟରେ ଥିବା ରେଳ ଲାଇନ୍ ତଳେ ଏହା ପୋତି ହୋଇଯାଇଥିବା ଶ୍ରୀବିଶ୍ୱାଳ ଦେଖିବାକୁ ପାଇଥିଲେ । ଏହା ପରେ ସେ ଭାରତ ପେଟ୍ରୋଲିୟମ ତୈଳ ଡିପୋର ଅଧିକାରୀମାନଙ୍କୁ ଘଟଣାସ୍ଥଳକୁ ଡକାଇ ଥିଲେ । ଏହି ସମସ୍ୟା ସମ୍ପର୍କରେ ଭାରତ ପେଟ୍ରୋଲିୟମ ତୈଳ ଡିପୋ କାର୍ଯ୍ୟାଳୟରେ ବିସ୍ତୃତ ଆଲୋଚନା ହୋଇଥିଲା । ବର୍ଷା ଆରମ୍ଭ ପୂର୍ବରୁ ଯୁଦ୍ଧକାଳୀନ ଭିତିରେ ଏହି ବର୍ଷାଜଳ ଅବରୋଧ ପଥକୁ ହଟାଇ ଜଳ ନିଷ୍କାସନ ପଥକୁ ସୁଗମ କରି ସନ୍ତୋଷୀ ନଗରକୁ ଜଳବନ୍ଦୀରୁ ମୁକ୍ତ କରିବାକୁ ଶ୍ରୀ ବିଶ୍ୱାଳ କହିଥିଲେ । ଭାରତ ପେଟ୍ରୋଲିୟମ ତୈଳ ଡିପୋର ଅଧିକାରୀ ଏହି କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ପ୍ରତିଶୃତି ଦେଇଥିବା ଜଣାପଡିଛି । ସେହିପରି ପାରାଦୀପକୁ ଜିନ୍ଦଲ କମ୍ପାନୀର ଦୋହରା ରେଳ ଲାଇନ୍ ଯୋଗୁଁ ବାଉରିଆ ପାଳନ୍ଦା ବସ୍ତି ପାଇଁ ଜଳବନ୍ଦୀ ସମସ୍ୟା ଦୂରୀକରଣ ନିମନ୍ତେ ବର୍ଷାଜଳ ନିଷ୍କାସନ ପଥକୁ ସୁଗମ କରିବା ପାଇଁ କଲଭଟ ନିର୍ମାଣ କରିବାକୁ ଜିନ୍ଦଳ କମ୍ପାନୀ ଅଧିକାରୀଙ୍କୁ ପୌରାଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ପୌରାଧ୍ୟକ୍ଷ ଶ୍ରୀ ବିଶ୍ୱାଳଙ୍କ ଏହି ପଦକ୍ଷେପକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି ।


