ଭାରତ ବନ୍ଦ ପ୍ରଭାବରେ ଦାରିଙ୍ଗବାଡ଼ି ଠପ୍‌

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତ ସରକାରଙ୍କ ନୂଆ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ଏହାକୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସମର୍ଥନ କରାଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ଦାରିଙ୍ଗବାଡ଼ି ସମେତ ବ୍ରାହ୍ମଣୀଗାଁ, ସିମନବାଡ଼ି ଆଦି ପ୍ରମୁଖ ବଜାରକୁ ବନ୍ଦ କରିଦିଆଯାଇଛି। ସଂପୃକ୍ତ ଅଞ୍ଚଳରୁ ଫୁଲବାଣୀ ସମେତ ବାଲିଗୁଡ଼ା, ଭୁବନେଶ୍ୱର, ବ୍ରହ୍ମପୁର, ରାଇକିଆ ଆଦି ଅଞ୍ଚଳକୁ ବସ୍‌ ଚଳାଚଳ ବନ୍ଦ ରହିବା ସହ ସମସ୍ତ ଗାଡ଼ିମୋଟର ବନ୍ଦ ରହିଛି। ସେହିପରି ବ୍ୟାଙ୍କ ପ୍ରତିଷ୍ଠାନ, ସରକାରୀ, ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି। ୫୯ ନଂ ଜାତୀୟ ରାଜପଥର ସିମନବାଡ଼ିଠାରେ କଂଗ୍ରେସର ସିମନବାଡ଼ି ପଞ୍ଚାୟତର ଦଳର ସଭାପତି ଏଲନ ନାୟକଙ୍କ ନେତୃତ୍ୱରେ ଉପସଭାପତି ବିଭୀଷଣ ଦିଗାଳ, ସମ୍ପାଦକ ସୁଧାଂଶୁ ନାୟକ, ସହସମ୍ପାଦକ ବିରୁ ନାୟକ, ରାମଦେଉ ପ୍ରଧାନ, ଶ୍ୟାମସେନ ଦିଗାଳଙ୍କ ସମେତ ବହୁ କର୍ମୀ ରାସ୍ତାରେ ବ୍ୟାରିକେଟ ବାନ୍ଧି ବନ୍ଦ ପାଳନ କରିଥିଲେ। ସେହିପରି ଦାରିଙ୍ଗବାଡ଼ି ବ୍ଲକ ସଭାପତି ପ୍ରଦୀପ କୁମାର ନାୟକ ଙ୍କ ନେତୃତ୍ୱରେ ଉତ୍ତମଚାନ୍ଦ ପ୍ରଧାନ, ବିଦ୍ୟାଧର ମଲ୍ଲିକ, ଶ୍ୟାମଘନ ପ୍ରଧାନଙ୍କ ସମେତ ବହୁ ଦଳୀୟ କର୍ମୀ ଦଳୀୟ ପତାକା ଧରି ରାଜପଥ ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ