ଭାରତ ବିକାଶ ପରିଷଦ ଓଡ଼ିଶା, ପୂର୍ବ ପ୍ରାନ୍ତୀୟ ବୈଠକ ଓ କର୍ମଶାଳା ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ବିକାଶ ପରିଷଦ, ଓଡ଼ିଶା ପୂର୍ବପ୍ରାନ୍ତ ଆନୁକୂଲ୍ୟରେ ଏକ ପ୍ରାନ୍ତୀୟ ପରିଷଦ ବୈଠକ ଓ କର୍ମଶାଳା ଆଜି ଭୁବନେଶ୍ୱର ୟୁନିଟ୍-୩ସ୍ଥିତ ଭାରତୀୟ ବିଦ୍ୟାଭବନ ପରିସରରେ ଅନୁଷ୍ଠିତ ହୋଇଯାଇଅଛି । ଦିବା ୧୦ ଘଟିକାରୁ ପ୍ରାରମ୍ଭିତ ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦର ରାଷ୍ଟ୍ରୀୟ ଅର୍ଥସଚିବ ସମ୍ପଦ ଖୁରଦିଆ ମୁଖ୍ୟ ଅତିଥି ଏବଂ ଅତିରିକ୍ତ ମହାସଚିବ ଡଃ ବାଲ୍ମୀକି କୁମାର ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ରହି ଉଦ୍ଘାଟନ କରିବା ସହ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପ୍ରାରମ୍ଭରେ ପ୍ରାନ୍ତର ସଭାପତି ଶୁଭାଶିଷ କର ସ୍ୱାଗତ ସମ୍ଭାଷଣ ଜଣାଇବା ସହ ଉଦ୍ଘାଟନ ସଭାରେ ଭାରତ ବିକାଶ ପରିଷଦ ପୂର୍ବାଞ୍ଚଳର ଚେୟାରମ୍ୟାନ ସଚିତାନନ୍ଦ ପଣ୍ଡା ଅଧ୍ୟକ୍ଷତା କରି କର୍ମଶାଳା ସମ୍ପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ପ୍ରାନ୍ତ ସଚିବ ପ୍ରଦୀପ୍ତ କୁମାର ମହାରଣା ପ୍ରାନ୍ତୀୟ ପରିଷଦର ବିଶଦ ବିବରଣୀ ଏବଂ ଅର୍ଥ ସଚିବ ଦୁଃଖିଶ୍ୟାମ ଦାସ ଆର୍ଥିକ ବିବରଣୀ ପାଠ କରିଥିଲେ । ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ଉପାଧ୍ୟକ୍ଷା ଗୀତା ପଟ୍ଟନାୟକ, ଚନ୍ଦା ଖୁରଦିଆ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସେମାନଙ୍କର ମୂଲ୍ୟବାନ ମାର୍ଗଦର୍ଶନ କରିଥିଲେ । ଉଦ୍ଘାଟନ ସଭା ପରେ ପରେ ଓଡ଼ିଶା ପୂର୍ବ ପ୍ରାନ୍ତର ୧୧ଟି ଶାଖାରୁ ଆସିଥିବା ପ୍ରାୟ ୧୦୦ ସଦସ୍ୟମାନଙ୍କ ଉପସ୍ଥିତିରେ ପରିଷଦର କାର୍ଯ୍ୟାବଳୀ ସମ୍ବନ୍ଧରେ ଏକ କର୍ମଶାଳାର ଆୟୋଜନ କରାଯାଇଥିଲା । ଏହି କର୍ମଶାଳାରେ ପରିଷଦର କାର୍ଯ୍ୟବୃଦ୍ଧି ନିମନ୍ତେ ସଂଗଠନର ବିସ୍ତାର, ପ୍ରବାସ, ଏଓପି, ଅଡ଼ିଟ୍ ଓ ଆକାଉଣ୍ଟସ୍, ମହିଳା ଓ ବାଳ ବିକାଶ, ସଶକ୍ତ ସଂଗଠନ ପାଇଁ କାର୍ଯ୍ୟକ୍ରମ ତଥା କରୋନା ମହାମାରୀ ପରବର୍ତ୍ତୀ ସମୟରେ ପରିଷଦର ଭୂମିକା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ନିଷ୍କର୍ସ ବାହାର କରାଯାଇଥିଲା ।ଅପରାହ୍ନ ଅଧିବେଶନର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ସମ୍ପଦ ଖୁରଦିଆ ସଦସ୍ୟମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇ ସଂଶୟ ଦୂର କରିଥିଲେ । ପରିଶେଷରେ ସଂଗଠନ ସମ୍ପାଦକ ସୌମେନ୍ଦ୍ର ଦାସ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।