ଲୋକଭବନରେ ଆୟକର ଅଧିକାରୀଙ୍କୁ ଦୁର୍ବ୍ୟବହାର ଘଟଣା: ପୋଲିସ କମିଶନରଙ୍କୁ ରିପୋର୍ଟ ତଲବ କଲେ ଡିଜି

କଟକ(ଓ୍ବାଇଏନଏସ) : ଲୋକ ସେବା ଭବନରେ ଦୁଇ ଆୟକର ଅଧିକାରୀଙ୍କୁ ଦୁର୍ବ୍ଯବହାର ଘଟଣାକୁ ଅତି ଗୁରୁତର ଭାବେ ନେଇଛି ଓଡିଶା ପୋଲିସ। ଏହି ଘଟଣାରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ.ବି.ଖୁରାନିଆ।ପୋଲିସ ମହାନିର୍ଦେଶକ ୱାଇ.ବି.ଖୁରାନିଆ କହିଛନ୍ତି ‘‘ପୋଲିସ ଏହି ଘଟଣାକୁ ଅତି ଗୁରୁତର ସହ ନେଇଛି। ଘଟଣାର ତଦନ୍ତ ପାଇଁ ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସ୍ପଷ୍ଟ ଜଣା ପଡିବ’’ । ଉଭୟ ଆୟକର ଅଧିକାରୀଙ୍କୁ ଲୋକସେବା ଭବନ ଲବିରେ ଅତ୍ୟନ୍ତ ଖରାପ ବ୍ୟବହାର ପ୍ରଦର୍ଶନ କରାଯାଇଥିବା ନେଇ ଅଭିଯୋଗ ହୋଇଥିଲା । ଦୁଇ ଅଧିକାରୀ ଆୟକର କମିଶନରଙ୍କ ପ୍ରତ୍ୟକ୍ଷ ମାଗଦର୍ଶନରେ କାର୍ଯ୍ୟ ତୁଲାଉଥିଲା ବେଳେ ଲୋକ ସେବା ଭବନରେ ବେଆଇନ ପ୍ରବେଶକାରୀ ଭାବେ ଚିତ୍ରଣ କରାଯାଇ ରାଜ୍ୟପାଳଙ୍କ ଏଡିସିଙ୍କ ନିର୍ଦ୍ଦେଶରେ ସେମାନଙ୍କୁ ଭ୍ୟାନ୍‌ରେ ବସାଇ କ୍ୟାପିଟାଲ ଥାନାକୁ ନିଆଯାଇଥିଲା। ଏପରିକି ଉଭୟଙ୍କ ବିରୋଧରେ ମଦ୍ୟପାନ ଅଭିଯୋଗ ଅଣାଯାଇଥିଲା, ଯାହା କି ପରଵର୍ତ୍ତୀ ସମୟରେ ଥାନାରେ ଭିତ୍ତିହୀନ ବୋଲି ପ୍ରମାଣିତ ହୋଇଥିଲା। ଏହି ଘଟଣାକୁ ନେଇ ମୁଖ୍ୟ ଆୟକର କମିସନର ଡି.ସୁଧାକର ରାଓ ଅସନ୍ତୋଷ ବ୍ୟକ୍ତ କରି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ପ୍ରତି ଏପରି ଆଚରଣ ବିଭାଗୀୟ ମର୍ଯ୍ୟାଦା ପ୍ରତି ଆଞ୍ଚ ଆଣିଛି ବୋଲି ଅଭିଯୋଗ କରି ରାଜ୍ୟପାଳଙ୍କ ସଚିବଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରିଛନ୍ତି। ପୋଲିସ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗତ ଗୁରୁବାର ଦିନ ରାଜ୍ୟପାଳଙ୍କ ସହ ଆୟକର ବିଭାଗ ଅଧିକାରୀଙ୍କ ଏକ ପ୍ରତିନିଧି ଦଳର ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଥିଲା। ଏହି ଗସ୍ତ ସମୟରେ ଆୟକର ବିଭାଗର ଦୁଇ ଆଇଆରଏସ୍ ଅଧିକାରୀ ମନିଷ କୁମାର ଓ ସତ୍ୟ ପ୍ରକାଶ ମିଶ୍ରଙ୍କୁ ସମନ୍ବୟ ରକ୍ଷା ଦାୟିତ୍ବ ମିଳିଥିଲା ବେଳେ ସୌଜନ୍ୟମୂଳକ ସାକ୍ଷାତ ପାଇଁ ମୋଟ ୫ ଜଣ ଅଧିକାରୀଙ୍କୁ ଅନୁମତି ମିଳିଥିଲା । କିନ୍ତୁ ଏହି ଦୁଇ ଅଧିକାରୀଙ୍କ ପାଇଁ କୌଣସି ଅନୁମତି ନଥିଲା। ଫଳରେ ପ୍ରବେଶ କରିବା ପରେ ସେଠାରେ ଦାୟିତ୍ବରେ ଥିବା ନାଭାଲ୍ ଅଧିକାରୀ ଦୁଇ ଆଇଆରଏସ ଅଧିକାରୀ ମନିଷ କୁମାର ଓ ସତ୍ୟ ପ୍ରକାଶ ମିଶ୍ରଙ୍କୁ ପ୍ରଶ୍ନ କରିଥିଲେ । ଯାହାକୁ ନେଇ ଦୁଇ ଜଣଙ୍କର ନାଭାଲ୍ ଅଧିକାରୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ସ୍ଥିତି ବିଗିଡ଼ିବାରୁ ନାଭାଲ୍ ଅଧିକାରୀ ଜଣଙ୍କ ପିସିଆର୍ ଭ୍ୟାନ୍‌କୁ ଡାକି ଘଟଣା ସମ୍ପର୍କରେ ଜଣାଇବା ପରେ ଉଭୟଙ୍କୁ ଥାନାକୁ ନିଆଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ