ଭାଲେନ୍ଟାଇନ ଡେ’ ବନାମ ଆମ ପରମ୍ପରା
ବିପିନ ବିହାରୀ ମହାନ୍ତି
‘ଆସ, ଗହଳିରେ ନବସି କୋଉଠି ନିରୋଳାରେ ଏକାଠି ବସିବା,
ଯୋଉଠି ତୁମେ କେବଳ ତୁମେ ଥିବ ଏବଂ ମୁଁ କେବଳ ମୁଁ ଥିବି
ଅଥଚ ଆମେ କେହି ଏକା ଏକା ନଥିବା
ଯିଏ ଯାହା ଭାବିଲେ ବି ଆମେ ଚୁପ୍ଥିବା… ।”
କବିତା; ମୁହଁ ସଞ୍ଜବେଳର ଗପ ।
ଉପରୋକ୍ତ ପଙକ୍ତିଟିର ଶ୍ଲେଷାତ୍କକ ଅର୍ଥ ଥିଲେବି ଏହାର ଗୋଟିଏ ଅର୍ଥ ହେଉଛି ପ୍ରେମ ସଂପର୍କିତ କାହାଣୀ ଯେଉଁଠି ପ୍ରେମୀ ଯୁଗଳ ନିରୋଳାରେ ଓ ଏକାନ୍ତରେ ପରସ୍ପରର ସାନ୍ନିଧ୍ୟ ଲୋଡ଼ିଥା’ନ୍ତି । ଏହା ଏକ ଭୋକ ଯେଉଁଥିରେ ପେଟର ଭୋକଠୁ ମନ ଓ ଦେହର ଭୋକ ଅଧିକ, ଯେଉଁଥିପାଇଁ ନାନା ଶିହରଣ, ଉନ୍ମାଦ ଓ ଆବେଗ ଥାଏ ।
ଯେଉଁଠି ହାରିଛି ବୟସ ହାରିଅଛି ଜାତି-ଧର୍ମ-ବର୍ଣ୍ଣ
ଖାଲି ଯାହା ହୃଦ ଦିଆନିଆ ପ୍ରେମ ଏକା ତା’ର ଅନ୍ୟନାମ ।ା
ଞ୍ଚ ଞ୍ଚ ଞ୍ଚ ଞ୍ଚ
ଯେଉଁଠି ମନ ଚରିତାର୍ଥ ଦେହ ଭୋଗେ ଥାଏ
ମିଳନ ମଧୁର ବେଳ
ଏଣୁକରି ସିନା ଅପେକ୍ଷାରେ
ଏଠି ବହି ଯାଉଥାଏ କାଳ ।ା
କବିତା : ପ୍ରେମ ତା’ର ଅନ୍ୟନାମ ।
ଏହିପରି ଏକ ଅନ୍ତର୍ଜାତିକ ଦିବସ ଫେବୃୟାରୀ ୧୪ ଯାହାକୁ ପ୍ରେମୀ ଯୁଗଳ ଅପେକ୍ଷା କରିଥାନ୍ତି । ଏହି ଦିବସଟିର ନାମ ଭାଲେଣ୍ଟାଇନ୍ ଡେ’ ବା ଦିବସ ଯାହାକୁ ଉଦ୍ବିଗ୍ନତାର ସହ ପାଳନ କରାଯାଏ । ସେହିପ୍ରେମୀ ଯୁଗଳମାନଙ୍କ ଦ୍ୱାରା । ଏହି ଦିବସଟି ପ୍ରେମ ଦିବସ ରୂପେ ଯଦିଓ ଯୁବପିଢ଼ୀମାନେ ମନ ଓ ହୃଦୟଦେଇ ଏହାକୁ ଉପଭୋଗ କରନ୍ତି, ଏଥିରୁ ବୟସ୍କମାନେ ବି ବାଦ୍ ଯାଆନ୍ତି ନାହିଁ । କାରଣ ସେମାନେ ପାରିବାରିକ ଦାମ୍ପତ୍ୟ ଜୀବନ ଭିତରେ ଥିଲେବି ଭିନ୍ନ ଉପଭୋଗ ପାଇଁ ଲାଳାୟିତ ।
ପୁନଶ୍ଚ ମନ ଯେହେତୁ ଦ୍ୱିତୀୟ ଈଶ୍ୱର, ସେ ତ’ ଚିରନ୍ତନ । ଚିରଚଞ୍ଚଳ । ମନ ଯାହା ଚାହେଁ ସେଥିପାଇଁ ତା’ର ଦୌଡ଼ ଚାଲିଥାଏ । କବିର ଭାଷାରେ : ମନ ପାଇଁ ନାହିଁ ପଘା, ଇଚ୍ଛିଲା ତାଳକୁ ବାସିବାକୁ ଧାଏଁ, ଯେତେବି ଲଗାମ ଲଗା ।ା
ପ୍ରେମ ଯୁଗେ ଯୁଗେ ମଧୁର ଏବଂ ସ୍ୱର୍ଗୀୟ । ଏଣୁ ଏଥିପାଇଁ ସମସ୍ତେ ବ୍ୟାକୁଳ । ଏମିତି ଜଣେ ନାହିଁ ଯିଏ କାହାକୁ ଭଲପାଇ ଶିଖିନାହିଁ । ସେକସ୍ପିଅର କହିଥିଲେ : ଯଦି କେହି କାହାକୁ ଭଲ ପାଇନାହିଁ ବା ଭଲ ପାଏ ନାହିଁ ପ୍ରମାଣ କରିଦେବ, ମୁଁ କଲମ ଛାଡ଼ିଦେବି ।
ଯାହା ସଚ୍ଚାପ୍ରେମ, ସେ କ୍ଷେତ୍ରରେ ପ୍ରେମୀଯୁଗଳ ଯେ କୌଣସି ପରିସ୍ଥିତିକୁ ସାମନା କରିବାକୁ ପ୍ରସ୍ତୁତ ଥାଆନ୍ତି । ଏମିତିକି ମୃତ୍ୟୁକୁ ବି ଆନନ୍ଦର ସହିତ ଆଲିଙ୍ଗନ କରିଥାନ୍ତି । ଏ ପ୍ରେମରେ ଦୈହିକ ସଂପର୍କ ଅପେକ୍ଷା ମନ ଓ ହୃଦୟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଥାଏ ।
ଏବେ ବିଚାରିବା ଭାଲେଣ୍ଟାଇନ୍ ଦିବସ କ’ଣ । ସତରେ ଏହା ଏକ ପ୍ରେମ ଦିବସ? ଯଦି ଏହା ସତ୍ୟ, ତାହା କି ପ୍ରକାର ପ୍ରେମ ଦିବସ? କ’ଣ ଖାଲି ଦେହ ଭୋଗ, ଯାଯାବରୀ ସଂପର୍କ ନା’ ଆଉକିଛି ।
ରୋମ ସମ୍ରାଟ କ୍ଲାଇଡ଼ିସ୍ ସୈନିକମାନଙ୍କ ବିବାହ ଉପରେ ଏକ ନିଷେଧାଜ୍ଞା ଜାରି କରିଥିଲେ ଯେ ସେମାନେ ବିବାହ କରିପାରିବେ ନାହିଁ । ଯଦି କରନ୍ତି ବିବାହ ଜନିତ ବୀର୍ଯ୍ୟକ୍ଷୟ ହେତୁ ସେମାନେ ଦୁର୍ବଳ ହୋଇଯିବେ । ତାଙ୍କର ଏକଥା ଖାଲି ସୈନିକମାନଙ୍କୁ ବାଧି ନଥିଲା, ସେମାନଙ୍କର ଜଣେ ଶୁଭ ଚିନ୍ତକ ଭାଲେଣ୍ଟାଇନ୍କୁ ବାଧିଥିଲା । ସେ ଗୁପ୍ତରେ ଏ ସୈନିକମାନଙ୍କୁ ବିବାହ କରାଇ ଦେଉଥିଲେ । ଏକଥା ସମ୍ରାଟ ଜାଣିଲେ ଏବଂ ତାଙ୍କୁ ବନ୍ଦୀ କଲେ ଓ ପରେ ଫାଶୀ ଦେଲେ । ଏହାର ଅନେକ ଦିନପରେ ସ୍ୱୀକାର କରାଗଲା ଯେ ସେ ଯାହା କରୁଥିଲେ, ମଙ୍ଗଳ କରୁଥିଲେ । ତାଙ୍କ ପ୍ରତି ଏହା ଏକ ବଡ଼ ଅପରାଧ କରାଯାଇଛି । ଏହା ଅନୁତାପ କରାଗଲା ଏବଂ ତାଙ୍କୁ ଜଣେ ସେଣ୍ଟ ବା ସନ୍ଥବୋଲି ଘୋଷଣା କରାଗଲା । ତେବେ ଯେଉଁଦିନ ତାଙ୍କୁ ଫାଶୀ ଦିଆଗଲା, ତାହାଥିଲା ୧୪ ଫେବୃୟାରୀ । ଏହି ଦିବସଟି ତାଙ୍କ ପାଇଁ ଏକ ସମ୍ମାନର ଦିବସ । ଯେହେତୁ ସେ ଯୁବପିଢ଼ୀଙ୍କ ବଂଚିତ ଦେହର ଭୋକର ଚରିତାର୍ଥ ପାଇଁ ବଳିରେ ଚଢ଼ିଥିଲେ ଯୁବଗୋଷ୍ଠୀ ଗଭୀର ଭାବରେ ତାଙ୍କ ଶ୍ରଦ୍ଧା ସୁମନଜ୍ଞାପନ କରିବା କଥା ଏବଂ ପରସ୍ପର ପ୍ରତି ଫୁଲ, କୌଣସି ବସ୍ତୁ ଅଥବା ଅଭିନନ୍ଦନ ପତ୍ରଦ୍ୱାରା ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା କଥା; କିନ୍ତୁ ନିଜ ନିଜ ଭିତରେ କୌଣସି ଉତ୍ସଙ୍ଖଳିତ ସାମାଜିକ / ଚରିତ୍ରନୀକ ପ୍ରେମରେ ମାତି ରହି ନୁହେଁ । ଏକଥା କରିବା ପାଇଁ ଏ ଦିବସ ନିମନ୍ତେ ସେମିତି କିଛି ଲିପିବଦ୍ଧ ନାହିଁ ।
ସେତେବେଳେ ରୋମର ସୈନିକମାନେ ଗୋଟେ ଗୋଷ୍ଠୀ ଥିଲେ । ସେମାନେ ବିଶ୍ୱକୁ ପ୍ରତିନିଧିତ୍ୱ କରୁନଥିଲେ । କାରଣ ଅନ୍ୟତ୍ର ସୈନ୍ୟମାନେ ବିବାହରୁ ବଂଚିତ ନଥିଲେ । ଯେଉଁ ଦେଶ ପାଇଁ ଯାହା ଉଦ୍ଦିଷ୍ଟ, ସେମାନେ ତାକୁ ଯେମିତି ପାଳନ କରୁଛନ୍ତି, କରନ୍ତୁ । ଭାରତର ଅଗଷ୍ଟ ପନ୍ଦରକୁ ଅଭାରତୀୟ ପାଳିବେ କିଆଁ? ଯାହା ମୋ ସଭ୍ୟତା, ପରମ୍ପରା ଓ ଚାଲିଚଳନ ନୁହେଁ, ତାକୁ ଅନ୍ଧ ଅନୁକରଣ କରିବା ବୋକାମି ନୁହେଁକି? ଭାରତୀୟ ସଭ୍ୟତା ମହାନ୍, ଭାରତ ମହାନ୍ । ଏହାକୁ ଅନ୍ୟମାନେ ଅନୁକରଣ କରନ୍ତି । କଥାରେ ଅଛି : ଯାହା ନାହିଁ ଭାରତେ ତାହା ନାହିଁ ଭାରତେ । ଅର୍ଥାତ୍ ଭାରତରେ ଯୋଉ ଆଦର୍ଶ କି ଅନ୍ୟକିଛି ନାହିଁ, ତାହା ପୃଥିବୀରେ ନାହିଁ ।
ଭାଲେଣ୍ଟାଇନ୍ ଦିବସ ବର୍ତ୍ତମାନ ସଚରାଚର ହଡ଼ା ମାତିବା ନ୍ୟାୟରେ ଯେମିତି ଚାଲିଛି, ଏହାର କୌଣସି ଆଦର୍ଶଗତ ପ୍ରମାଣ ନାହିଁ । ଏହା ଏକ ପ୍ରଦ୍ୟୁଷିତ ପରମ୍ପରା ବିଶେଷକରି ଆମ ଭାରତୀୟ ଯୁବପିଢ଼ୀମାନେ ଏହାକୁ ସ୍ୱାଗତ କରିପାରନ୍ତି । ହେଲେ ସେମାନେ କ’ଣ ଭାଲେଣ୍ଟାଇନ୍ ଦିବସ ପାଳନ ଅବସରେ ଆମ୍ଭମାନଙ୍କର ପ୍ରେମର ପ୍ରତୀକ ପୃଥ୍ୱୀରାଜ – ସଂଯୁକ୍ତା, କେଦାର-ଗୌର, ଜାହାଙ୍ଗୀର-ନୂରଜାହାନ୍, ଶାହାଜାହାନ-ମମତାଜ’, ରାଧା-କୃଷ୍ଣ, ଲୈଲା-ମଜୁନୁ ହୋଇପାରିବେ? ଗଢ଼ିପାରିବେ ପ୍ରେମର କୋଣାର୍କ ।
ଆସ ଆମ ଭିତରେ ଆମେ ବଂଚିବା । ଆମଠୁ ଅନ୍ୟମାନେ ଶିଖନ୍ତୁ । ଅନ୍ୟପକ୍ଷରେ ଯଦି ଏ ଦିବସଟି ଆମେ ପାଳିବାକୁ ଇଚ୍ଛା କରୁଛେ, ଏହା ପିତୃମାତୃ ପୂଜନ ଦିବସ ହେଉ । କାରଣ ସେମାନଙ୍କ ପ୍ରତି ଆମର ଅବହେଳା ମୁଣ୍ଡ ଟେକିଲାଣି ।
ପୁଣି ପ୍ରଶ୍ନ ଉଠେ, ଆମର ଯେଉଁଠି ପ୍ରେମର ଦିବସ ଅଛି, ପୁଣି କାହିଁକି? ଆମକୁ ଛାଡ଼ି ଆମେ ଅନ୍ୟକୁ ଆପଣେଇବୁ କିଆଁ? ଆମର ଯମୁନା ଅଛି, ଆମେ ସାଗର ସୈକତ ଯିବୁ କିଆଁ? ଆମର ତମାଳ ବା କଦମ୍ବ ଅଛି; ଆମେ ଲଜ ବା ପାର୍କ ଯିବୁ କିଆଁ । ଯେଉଁଠି ପ୍ରକୃତି ଆମ ପାଇଁ ଛିଡ଼ା ହୋଇଛି, ଆମେ କୃତ୍ରିମକୁ ଦୌଡ଼ିବୁ କିଆଁ? ଆମ ପାଇଁ ଆମ ପ୍ରେମୋତ୍ସବ ହୋଲି ବା ବସନ୍ତୋତ୍ସବ ଅପେକ୍ଷା କରିଛି; ଆସୁନ ଏହାକୁ ମନଭରି ଉପଭୋଗ କରିବା ।
ଜାଣ ଯେ ଆମ ପରମ୍ପରାକୁ ଅନ୍ୟମାନେ ଅନୁକରଣ କରୁଛନ୍ତି । ଏହାତ ଅନୁକରଣୀୟ ଏବଂ ଗ୍ରହଣୀୟ ।
ମାନୁଛୁ, ବର୍ତ୍ତମାନର ପଥଭ୍ରଷ୍ଟ ଯୁବଗୋଷ୍ଠୀଙ୍କୁ ଆମେ ଯେତେ ବୁଝାଇଲେ, ସେମାନେ ବୁଝିବେ ନାହିଁ । ତଥାପି ଗୋଟିଏ କାହାଣୀ କହି ଏ ଆଲୋଚନା ଏଇଠି ରଖୁଛି:
ପୁରୀରେ ଯାତ୍ରୀ ବ୍ୟବସାୟୀ କରି ପଢ଼ିଲା ବେଳେ, ମୁଁ ବିଦେଶୀ ପର୍ଯ୍ୟଟକମାନଙ୍କର ପଥ ପ୍ରଦର୍ଶକ ବା ଗାଇଡ଼ ଥିଲି । ଏକଦା ଦୁଇଜଣ ଆମେରୀକୀୟ ଅଧ୍ୟାପକ ଓ ଅଧ୍ୟାପିକା ମୋ ହାବୁଡ଼େ ପଡ଼ିଲେ । ମୁଁ ତାଙ୍କ ସହିତ ସାତଦିନଥିଲି । ଶେଷ ଦିନ ଦେଖିଲି ଯେ ସେ ଅଧ୍ୟାପିକା ଶାଢ଼ୀ ଏବଂ ଅଧ୍ୟାପକ ଧୋତି ପଞ୍ଜାବୀ ପିନ୍ଧିଛନ୍ତିୀ । ମୋତେ ଆଶ୍ଚର୍ଯ୍ୟ ଲାଗିଲା । ପଚାରିଲି : ଆପଣ ଆମ ପୋଷାକରେ!
ସେ କହିଲେ : ଓଡ଼ିଶାର ପାଣିପାବନ ଏବଂ ସାଂସାରିକ ସାମାଜିକ ଜୀବନ ଆମକୁ ଭଲ ଲାଗିଛି । ଆମେ ବହୁତ କଥା ଶିଖିଛୁ ଏବଂ ନିଷ୍ପତି ନେଇଛୁ… ।
‘କ’ଣ ନିଷ୍ପତି ନେଇଛନ୍ତି?’
‘ଏ ଅଧ୍ୟାପିକା ମୋର ୧୩ ନମ୍ବର ସ୍ତ୍ରୀ, ମୁଁ ତାଙ୍କ ୧୪ ନମ୍ବର ସ୍ୱାମୀ । ଭାବିଛୁ : ଆମେ ଭାରତୀୟମାନଙ୍କପରି ଅବଶିଷ୍ଟ ଜୀବନ ସ୍ୱାମୀ ସ୍ତ୍ରୀ ହୋଇ ବଂଚିବୁ । ଭାରତୀୟ ସାଂସାରିକ ଦାମ୍ପତ୍ୟ ଜୀବନ ବହୁତ ମଧୁର । ଭାରତ ମହାନ୍ ।
ଏଥିରୁ କ’ଣ କିଛି ଶିଖିବାର ନାହିଁ ।
ସତରେ ଭାରତ ମହାନ୍ । ଆମ ସଂସ୍କୃତି ଓ ପରମ୍ପରା ମହାନ୍ । ଆସ ଆମେ ଆମର ଭିତରେ ବଂଚିବା । ହଂସପରି କାହାଠୁ କ୍ଷୀରକୁ ଗ୍ରହଣ କରିବା ପାଣି ନୁହେଁ ।
ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮


