ଭୂମିହୀନ ପରିବାରଙ୍କ ଫେରାଦ

ବାଲେଶ୍ୱର, (ସରୋଜ ପଣ୍ଡା):ଜାଗା ମିଶନରୁ ବଞ୍ଚିତ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୧୦ ନଂ ୱାର୍ଡ଼ ଅଙ୍ଗାରଗଡ଼ିଆ ଅଞ୍ଚଳ ଗରିବ ଭୂମିହୀନ ପରିବାରମାନେ ବୁଧବାର ଜିଲାପାଳଙ୍କଠାରେ ଫେରାଦ ହୋଇଛନ୍ତି । ଯୁବନେତା ବିକ୍ରମ ପଣ୍ଡାଙ୍କ ନେତୃତ୍ୱରେ ବହୁ ଭୂମିହୀନ ପରିବାର ଜିଲାପାଳଙ୍କୁ ସାକ୍ଷାତ ସହ ଜାଗା ମିଶନ ଯୋଜନାରେ ଘରବାଡ଼ି ପଟ୍ଟା ପାଇବାରୁ ବଞ୍ଚିତ ହେବା ଯୋଗୁଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ସମ୍ପର୍କରେ ଅବଗତ କରିଥିଲେ । ସେମାନଙ୍କ ଆପତ୍ତି ଅନୁସାରେ ଅଙ୍ଗାରଗଡ଼ିଆ ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ୱ ଗରିବ ତଥା ଭୂମିହୀନ ପରିବାର ଦୀର୍ଘ ବର୍ଷଧରି ବସବାସ କରି ଆସୁଛନ୍ତି । ମାତ୍ର ଘରଡିହ ପଟ୍ଟା ନ ରହିବା ଯୋଗୁଁ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଉ ନାହିଁ କିମ୍ବା ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଆବଶ୍ୟକ ପ୍ରମାଣପତ୍ର ତହସିଲରୁ ମିଳିପାରୁ ନାହିଁ । ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ସହରର ଅନ୍ୟାନ୍ୟ ଅଞ୍ଚଳର ଭୂମିହୀନ ବାସିନ୍ଦାଙ୍କୁ ଭୂ ଅଧିକାର ପ୍ରମାଣପତ୍ର ପ୍ରଦାନ ସହ ଆବାସ ଯୋଜନାରେ ସାମିଲ କରାଯାଇଛି । ମାତ୍ର ଅଙ୍ଗାରଗଡ଼ିଆ ଅଞ୍ଚଳର ଭୂମିହୀନ ପରିବାରମାନେ ବାରମ୍ବାର ଆବେଦନ ପରେ ବି ଜମି ପ୍ରମାଣପତ୍ର ମିଳୁ ନଥିବା ସେମାନେ ଆରୋପ କରିଛନ୍ତି । ତୁରନ୍ତ ଏ ବାବଦରେ ଉଚିତ ପଦକ୍ଷେପ ନ ନେଲେ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବେ ବୋଲି ଗ୍ରାମବାସୀମାନେ ଚେତାବନୀ ଦେଇଛନ୍ତି ।ଏହି ଅବସରରେ ଅଙ୍ଗାରଗଡ଼ିଆ ଭୂମିହୀନ ପରିବାରଙ୍କ ପକ୍ଷରୁ ଏକ ଦାବିପତ୍ର ଜିଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ଦାବିପତ୍ର ପ୍ରଦାନ ବେଳେ ଯୁବନେତା ଶ୍ରୀ ପଣ୍ଡାଙ୍କ ସମେତ ସାହେବା ଅକ୍ତର, ଜ୍ଞାନେନ୍ଦ୍ର ମହାନ୍ତି, ସଂଜୀବ ବାରିକ, ସବିତା ଜେନା, ସରସ୍ୱତୀ ଦାସ, କବିତା ଦାସ, ଆରତୀ ଦାସ ପ୍ରମୁଖଙ୍କ ସମେତ ବହୁ ଭୂମିହୀନ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ