ମଙ୍ଗୋଲିଆ ମନ୍ତ୍ରୀଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ନୂଆଦିଲ୍ଲୀ : ମଙ୍ଗୋଲିଆର ମନ୍ତ୍ରୀ ଏଲ୍‌ ଆୟୁନ ଏରଡେନ୍ ଓ ଖଣି ଓ ଭାରୀ ଶିଳ୍ପ ମନ୍ତ୍ରୀ ଜି ୟଣ୍ଡନଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି। ଦୁଇ ଦେଶ ମଧ୍ୟରେ ହାଇଡ୍ରୋକାର୍ବନ ଓ ଇସ୍ପାତ କ୍ଷେତ୍ରରେ ଦ୍ବିପାକ୍ଷିକ ସହଯୋଗକୁ ନେଇ ଆଲୋଚନା ହୋଇଥିଲା। ମଙ୍ଗୋଲ ବିଶୋଧନାଗାର କାର୍ଯ୍ୟକ୍ଷମ କରିବା ଓ ନିର୍ମାଣାଧୀନ ଥିବା ଏକ ରିଫାଇନାରିର ଅଶୋଧିତ ତୈଳ ପାଇପ୍‌ଲାଇନ୍ ସ୍ଥାପନ କରିବାରେ ସହଯୋଗ କରିଥିବାରୁ ଶ୍ରୀ ପ୍ରଧାନ ମଙ୍ଗୋଲିଆର ଦୁଇ ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ବିଶୋଧନାଗାର କାର୍ଯ୍ୟକ୍ଷମ ହେବା ପୂର୍ବରୁ ପାଇପ୍‌ଲାଇନ୍ କାର୍ଯ୍ୟ ଶେଷ କରିବାକୁ ଶ୍ରୀ ପ୍ରଧାନ ସେମାନଙ୍କ ସହଯୋଗ ଲୋଡ଼ିଥିଲେ। ଦେଶର ଇସ୍ପାତ ଶିଳ୍ପକୁ କୁକିଂ କୋଲ୍ ଯୋଗାଇ ଦେବା ଲାଗି ମଙ୍ଗୋଲିଆର କଂପାନିଗୁଡ଼ିକ ଆଗ୍ରହ ପ୍ରକାଶ କରିଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍‌ ପାୱାର ଲିମିଟେଡ୍‌ର ଅଧ୍ୟକ୍ଷ ନବୀନ ଜିନ୍ଦଲ ୫୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବା ଲାଗି ଥିବା ଯୋଜନା ଓ ରୋଡ୍‌ମ୍ୟାପ୍ ବିଷୟରେ ‌େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଅବଗତ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ୨୦୩୦ ସୁଦ୍ଧା ଜେଏସ୍‌ପିଏଲ୍‌ ୫୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ସବୁଜ ଇସ୍ପାତ ଉତ୍ପାଦନ ଉପରେ ଗୁରୁତ୍ବ ଦେବ। ଜିନ୍ଦଲ ଏହାର ଅନୁଗୁଳ କାରଖାନାର କ୍ଷମତାକୁ ଚାରି ଗୁଣ ବୃଦ୍ଧି କରିବ ଯାହା ରାଜ୍ୟବାସୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ