ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଓ ଋଣ ଦାବୀ ନେଇ ଋଷିକୂଲ୍ୟା ରୟତ ମହାସଭା ପକ୍ଷରୁ ଦାବୀ ପତ୍ର ପ୍ରଦାନ

ଛତ୍ରପୁର (ଦେବଦତ୍ତ ମହାରଣା): ମରୁଡି କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲବୀମା ସହାୟତା କ୍ଷତିପୂରଣ ଓ ଋଣ ପ୍ରଦାନ କରିବା ନିମନ୍ତେ ଦାବୀ ନେଇ ଶୁକ୍ରୁବାର ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଲୀନା କୁମାରୀ ଖେସ୍‌ଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରାଯାଇଛି । ପ୍ରଧାନ ମନ୍ତ୍ରୀ ଫସଲ ବୀମା ନିୟମ ପ୍ରକାରେ ଅଗଷ୍ଟ ୧୫ ତାରିଖ ସୁଦ୍ଧା ଯଦି କୌଣସି ପଞ୍ଚାୟତର ୭୫ ଭାଗ ଜମି ରୁଆ ନ ହୋଇ ପଡିଆ ରହିଛି ତେବେ ତୁରନ୍ତ କ୍ଷତିଗ୍ରସ୍ତ ଚାଷୀ ୨୫ ଭାଗ ଫସଲ ବୀମା ସହାୟତା ପାଇବେ । ଏଣୁ ତୁରନ୍ତ ସର୍ଭେ କରି ଫସଲ ବୀମା ସହାୟତା ପ୍ରଦାନ କରିବା, ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ଉଠା ଜଳସେଚନ ପଏଣ୍ଟ, ବୋରୱେଲକୁ କାର୍ଯ୍ୟକ୍ଷମ କରିବା ସଂଗେସଂଗେ କେନାଲରେ ପାଣି ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଉ, କିରୋସିନି ପମ୍ପ ଓ କିରୋସିନି ୫୦ ଭାଗ ରିହାତିରେ ପ୍ରଦାନ କରିବା, ଧାନ ରୁଆ କାମ ପାଇଁ ମୁଲ ମଜୁରି ଖର୍ଚ୍ଚ ଏମନରେଗା ଯୋଜନାରେ ଭରଣା କରାଯାଉ, ବିଦ୍ୟୁତ କର ଓ ସେସ୍ ଛାଡ କରାଯାଉ, ଆଗାମୀ ଫସଲ ପାଇଁ ପ୍ରତି ପଂଚାୟତ କିମ୍ବା ସୋସାଇଟିରେ ସିଙ୍ଗଲ ୱିନଡୋ ସିଷ୍ଟମ ଜରିଆରେ ଚାଷି ମାନଙ୍କୁ ୫୦ ପ୍ରତିଶତ ରିହାତିରେ ପନିପରିବା, ମୁଗ, ବିରି, କୋଳଥ, ରାଶି, ଚିନା ବାଦାମ, କଂଚା ଲଙ୍କା ଆଦି ବିହନ ଯୋଗାଇ ଦେବା ଏବଂ ବର୍ଷା ଜଳ ସଂରକ୍ଷଣ ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ ଏବଂ କ୍ଲଷ୍ଟର ବୋରୱେଲ କରାଯାଇ ମରୁଡିର ସ୍ଥାୟୀ ପ୍ରତିକାର କରିବା ସମେତ ଚାଷୀଙ୍କ ସୁବିଧା ନିମନ୍ତେ ଏହି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସିମାଂଚଳ ନାହାକ, ଗଞ୍ଜାମ ବ୍ଲକ ସଭାପତି ଶରତ ଚନ୍ଦ୍ର ପଟ୍ଟନାୟକ, ରବିନ୍ଦ୍ର କୁମାର ଜେନା, ବୁଲୁ କୁମାର ବିଷୋୟୀ, ତପନ ପଢିଆରି, ଶଶି ଶେଖର ସାହୁ, ଏ. ସଂଜିବ ରେଡ୍ଡିଙ୍କ ସମେତ ବହୁ ଚାଷୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ