ମହଙ୍ଗା ହେଲା ସୁନା ଓ ରୁପା
ନୂଆଦିଲ୍ଲୀ : ମହଙ୍ଗା ହୋଇଛି ସୁନା ଓ ରୂପା । ପ୍ରତ୍ୟେକ ଦିନ ଏହି ମୂଲ୍ୟବାନ ଧାତବ ପଦାର୍ଥର ହେଉଥିବା ଦରବୃଦ୍ଧି ସମସ୍ତଙ୍କୁ ଚକିତ କରିଦେଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଶୁକ୍ରବାର ଗୋଟିଏ ଦିନରେ କାରବାରରେ ସୁନା ମୂଲ୍ୟରେ ୧୦ ଗ୍ରାମ ପିଛା ୭୫୨ ଟଙ୍କା ବୃଦ୍ଧି ଘଟିଛି । ଶୁକ୍ରବାର ରାଜଧାନୀ ନୂଆଦିଲ୍ଲୀରେ ଏହା ୧୦ ଗ୍ରାମ ପିଛା ୭୫୨ ଟଙ୍କା ବୃଦ୍ଧି ଘଟି ୪୦,୬୫୨ ଟଙ୍କା ହୋଇଛି । ସେହିଭଳି ରୁପା ମୂଲ୍ୟରେ ଗୋଟିଏ ଦିନରେ କିଲୋ ପିଛା ୯୬୦ ଟଙ୍କା ବୃଦ୍ଧି ଘଟି ଏହା ୪୮, ୮୭୦ ଟଙ୍କାରେ ପହଞ୍ଚିଛି । ବିଶ୍ୱ ବଜାରରେ ତୈଳ ଦରରେ ବୃଦ୍ଧି ଭଳି ଦେଖାଦେଇଥିବା ପରିସ୍ଥିତି ସହ ଆମେରିକାର ଡଲାର ତୁଳନାରେ ଟଙ୍କା ମୂଲ୍ୟରେ ହ୍ରାସର ପ୍ରଭାବ ଯୋଗୁ ସୁନା ମୂଲ୍ୟରେ ଏଭଳି ବୃଦ୍ଧି ଘଟିଛି । ବଜାର ବିଶେଷଜ୍ଞମାନେ ଏଥିପାଇଁ ମଧ୍ୟପ୍ରାଚ୍ୟରେ ଦେଖାଦେଇଥିବା ଉତ୍ତେଜନାତ୍ମକ ପରିସ୍ଥିତିକୁ ଦାୟୀ କରିଛନ୍ତି । ଇରାନ ଉପରେ ଆମେରିକାର ଏୟାର ଷ୍ଟ୍ରାଇକକୁ ଏଥିପାଇଁ ଦାୟୀ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୪୦,୧୦୦ ଟଙ୍କା ଏବଂ ରୁପା କିଲୋ ପିଛା ୪୮.୫୦୦ ଟଙ୍କା ଛୁଇଁଛି ।


