ମହାକାଳପଡା ବ୍ଲକର ପାଇପଜଳ ଯୋଗାଣ ପ୍ରକଳ୍ପରେ ମହାଘୋଟାଲା ଅଭିଯୋଗ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ଜିଲ୍ଲାର ମହାକାଳପଡା ବ୍ଲକରେ ୨୦୩କୋଟି ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣାଧିନ ପାଇପ ଯୋଗେ ପାନୀୟ ଜଳଯୋଗାଣ ପ୍ରକଳ୍ପରେ ମହାଘୋଟାଲା ହୋଇଥିବା ଅଭିଯୋଗ ହୋଇଛି । ଏଲ.ଏଣ୍ଡ ଟି କମ୍ପାନୀ ଏହି କାର୍ଯ୍ୟ ସମ୍ପାଦନ ନିମନ୍ତେ ଟେଣ୍ଡର ପାଇଥିବା ବେଳେ କମ୍ପାନୀ ପକ୍ଷରୁ ଏଠାରେ ଅବସ୍ଥାପିତ ପ୍ରକଳ୍ପ ପରିଚାଳକ ଏସ.ଶଙ୍କର ଓ ଆକାଉଂଟାଟ ସ୍ରବଣ ମିଳିତ ଭାବେ ସେହି ପ୍ରକଳ୍ପ କାର୍ଯ୍ୟକୁ ପୂର୍ବତନ ମନ୍ତ୍ରୀ ତଥା ମହାକାଳପଡା ବିଧାୟକ ଅତନୁ ସାବ୍ୟସଚି ନାୟକଙ୍କ କେତେକ ସମର୍ଥକଙ୍କୁ ସବଲେଟରେ ପ୍ରଦାନକରି ମହାଘୋଟାଲା ଆରମ୍ଭ କରିଥିବା ଅଭିଯୋଗ ହୋଇଛି । ଏହି ପାନୀୟ ଜଳ ଯୋଗାଣ ପ୍ରକଳ୍ପଟି ମହାକାଳପଡା ବ୍ଲକର ଜମ୍ବୁ, ସୁନିତୀ, ବତୀଘର ଭଳି ୬ଟି ପଂଚାୟତକୁ ଛାଡି କଳାଗଡ, ଯଦୁପୁର, ଦରବଛା ଭଳି ପ୍ରାୟ ୨୧ଟି ପଂଚାୟତର ଅଧିବାସୀଙ୍କୁ ପାନୀୟ ଜଳ ଯୋଗାଣ ନିମନ୍ତେ ନିର୍ମାଣ ହେଉଥିବା ଗ୍ରାମୀଣ ପାନୀୟ ଜଳ ଯୋଗାଣ ଓ ପରିମଳ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ଦେହୁରୀ ସୂଚନା ଦେଇଛନ୍ତି । ମହାକାଳପଡା ବିଧାୟକ ଅତନୁଙ୍କ ଚାପରେ ସବଲେଟରେ ଏହି କାର୍ଯ୍ୟକୁ ହାତେଇ ନେଇଥିବା ସେହି ହାତଗଣତି କେଇଜଣ ଠିକାଦାରମାନେ ସେହି ପ୍ରକଳ୍ପ କାର୍ଯ୍ୟକୁ ସଠିକ ଭାବରେ ନକରି ବିଭାଗୀୟ ପ୍ଲାନକୁ ସଂପୂର୍ଣ୍ଣ ଏଡାଇଯାଇ ମନମୁତାବକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିମନ୍ତେ ପାଇପ ଲାଇନ ବିଛା ଯିବାକୁ ଯେଉଁ ନିର୍ଦ୍ଧାରିତ ଗଭୀରତା ରେ ପାଇପ ବିଛାଯିବା କଥା ତାହାକୁ ସଂପୂର୍ଣ୍ଣ ଉଲଙ୍ଘନ କରାଯାଉଥିବା ଅଭିଯୋଗ ହୋଇଛି । ଏଲ.ଆଣ୍ଡ ଟି କମ୍ପାନୀର ଏଠାରେ ଅବସ୍ଥାପିତ ପ୍ରକଳ୍ପ ପରିଚାଳକ ଏସ.ଶଙ୍କର ଓ ଆକାଉଂଟାଟ ଶ୍ର୍ରବଣ ମିଳିତ ଭାବରେ ଏହିସବୁ ସବଲେଟ ଠିକାଦାରଙ୍କ ସହିତ ମଧୁଚନ୍ଦ୍ରିକା କରି ବ୍ୟାପକ ଘୋଟାଲା କରିବା ସହ ସରକାରୀ ଅର୍ଥକୁ ବିନିର୍ବୟ କରି ଯେନତେନ ପ୍ରକାର ପ୍ରକଳ୍ପ କାର୍ଯ୍ୟକୁ ଶେଷ କରିବାକୁ ବସିଛନ୍ତି ବୋଲି ଅଭିଯୋଗ ହେଉଛି । ୨ଶହ ୩କୋଟି ଟଙ୍କାର ଏକ ବୃହତ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟରେ ଏଭଳି ଅନୀୟମିତତା ଓ ଘୋଟାଲା ହେଉଥିବା ଯୋଗୁଁ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମହାକାଳପଡା ବ୍ଲକ ଅଚଂଳର ଶରତ କାଞ୍ଜିଲାଲ, କଳ୍ପନା ବେହୁରିଆ, ସଞ୍ଜୟ ପରିଡା, ସୁକାନ୍ତମଣ୍ଡଳ, ପୂର୍ଣ୍ଣଚନ୍ଦ୍ର ମଣ୍ଡଳ, ସୁବଳ ମଣ୍ଡଳ, ଆଶୁତୋଷ ଖିଲାର ପ୍ରମୁଖ ଦାବି କରିଛନ୍ତି ।


