ମହିଳାଙ୍କୁ ଆକ୍ରମଣ ସହ ଗାଡ଼ି ପୋଡି଼ ଘଟଣାରେ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଗାଙ୍ଗପୁର ପୋଲିସ୍

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ ଶୁକ୍ରବାର ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ଗ୍ରାମରେ ଜଣେ ମହିଳାଙ୍କୁ ଆକ୍ରମଣ କରିବା ସହିତ ଗାଡ଼ି ପୋଡ଼ିଦେବା ଘଟଣା ଅଭିଯୋଗରେ ଗାଙ୍ଗପୁର ପୋଲିସ୍ ଚାରି ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି I ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ହେଲେ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ଗ୍ରାମର ସୁବାସ ସେଠୀଙ୍କ ସ୍ତ୍ରୀ ସୁଲୋଚନା ସେଠୀ (୪୦) ଏବଂ ଗିରଫ ଅଭିଯୁକ୍ତ ମାନେ ହେଲେ ବାରଟା ଗ୍ରାମର କାହ୍ନା ସ୍ଵାଇଁ ଓରଫ ଆତଙ୍କ (୨୮),ଭଗବାନ ନାୟକ (୨୯), କଣ୍ଟେଇପଲ୍ଲୀ ଗ୍ରାମର ଶ୍ରୀକାନ୍ତ ଦାସ ଓରଫ ଛୋଟୁ(୩୩)ଏବଂ ଗାଙ୍ଗପୁରର ପ୍ରସାନ୍ତ ଡାକୁଆ (୩୪) I ପୋଲିସ୍ ର ସୂଚନା ପ୍ରକାରେ ଗିରଫ ଅଭିଯୁକ୍ତ ମାନେ ଶୁକ୍ରବାର ରାତିରେ ସୁଲୋଚନାଙ୍କୁ ଗାଳି କରି ମାଡ଼ ମାରିବା ସହ ତାଙ୍କ ବାରଣ୍ଡାରେ ଥିବା ମୋଟରସାଇକେଲ୍ ପୋଡ଼ିଦେଇଥିବା ସୁଲୋଚନା ଅଭିଯୋଗ ଆଣିଥିଲେ I ସୁଲୋଚନାଙ୍କ ଅଭିଯୋଗ ପ୍ରକାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କାହ୍ନା ତାର ସହଯୋଗୀ ମାନଙ୍କ ସହିତ ଖଣ୍ଡା, କାତି ଆଦି ମାରଣାସ୍ତ୍ର ଧରି ଶୁକ୍ରବାର ରାତ୍ର ଆଠ ଘଣ୍ଟ ତିରିଶ୍ ମିନଟ୍ ସମୟରେ ସୁଲୋଚନାଙ୍କ ବାରଣ୍ଡାକୁ ଆସି ସୁଲୋଚନା ଏବଂ ତାଙ୍କ ପରିବାରକୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ବାଡ଼ି ପଟକୁ ଯାଇ କବାଟଟିକୁ ହାଣି ଦେଇଥିଲା I ଏହା ସହିତ ସୁଲୋଚନାଙ୍କ ବାରଣ୍ଡାରେ ଥିବା OD୩୨A୮୦୬୬ ନମ୍ବର୍ ବିଶିଷ୍ଟ ହିରୋ ଗ୍ଲାମର ମୋଟରସାଇକେଲ୍ କୁ ପୋଡ଼ି ଦେଇଥିଲେ ସେମାନେ I ଏହାର ପ୍ରତିବାଦ କରିବାରୁ କାହ୍ନା ସୁଲୋଚନାଙ୍କୁ ୨/୩ ଧକା ମାରିବା ସହିତ ତାଙ୍କ ପରିବାରର ସମସ୍ତଙ୍କୁ ଜୀବନରେ ମାରିଦେବାର ଧମକ ଦେଇଥିଲା I ଏପରିକି କାହ୍ନା ସୁଲୋଚନାଙ୍କୁ ଜାତିଆଣ ଆକ୍ଷେପ କରି ମଧ୍ୟ ଗାଳି ଗୁଲଜ କରିଥିଲା I ଏହାପରେ ସେମାନେ ସେଠାରୁ ଚାଲିଯାଇ କିଛି ସମୟ ପରେ ପୁଣି ଥରେ ଆସି ସୁଲୋଚନାଙ୍କୁ ସମର୍ଥନ କରୁ୍ଥିବା ଯୋଗୁଁ ସେହି ସାହିର ଲକ୍ଷ୍ମୀନାରାୟଣ ସାହୁଙ୍କ ସ୍ତ୍ରୀ ଶାନ୍ତିଲତା ସାହୁ (୩୨) ଙ୍କ ଦୋକାନ ଘରକୁ ଯାଇ ତାଙ୍କୁ ମଧ୍ୟ ଖଣ୍ଡା କାତି ଦେଖାଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଦୋକାନ କବାଟ ଭାଙ୍ଗି କିଛି ଜିନିଷପତ୍ର ଲୁଟ୍ କରିନେଇଥିବା ଅଭିଯୋଗ କରିଛନ୍ତି ସୁଲୋଚନା I ସୁଲୋଚନାଙ୍କ ଅଭଯୋଗକୁ ଭିତ୍ତି କରି ଗାଙ୍ଗପୁର ପୋଲିସ୍ ୨୯୩/୨୨ ରେ ଏ଼କ ମାମଲା ରୁଜୁକରି ତଦନ୍ତ ପାଇଁ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଘଟଣା ସ୍ଥଳକୁ ଯାଇ ଘଟଣାର ପାରିପାର୍ଶ୍ୱିକ ସ୍ଥିତିର ଅନୁସନ୍ଧାନ କରିଥିଲେ I ସେ ପୋଡ଼ିଯାଇଥିବା ମୋଟରସାଇକେଲ୍ କୁ ଜବତ କରିବା ସହିତ ଶ୍ରୀକାନ୍ତର ଡବ୍ଲୁବି ୪୦ଏଜି ୦୮୨୦ ନମ୍ବର୍ ବିଶିଷ୍ଟ କଳା ପଲ୍ସର୍ ମୋଟରସାଇକେଲ୍ ଏବଂ କାହ୍ନା ନିକଟରୁ ତିନୋଟି ଖଣ୍ଡା ଜବତ କରିଥିଲେ I ଆଜି ଭୋର୍ ପାଞ୍ଚଟା ସମୟରେ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା I ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ୟୁ/ଏସ୍ ୧୪୭/୧୪୮/୨୯୪/୪୨୭/୪୩୬/୩୨୩/୫୦୬/୧୪୯ ଆଇପିସି ଆର୍/ଡବ୍ଲୁ ସେକ୍ସନ୍ 3(l)(r)(s)/3(2)(IV) ଏସସି /ଏସଟି (ପିଓଏ) ଆକ୍ଟ ରେ ମାମଲା ରୁଜୁ କରାଯିବା ସହିତ ସେମାନଙ୍କୁ ଆସ୍କା କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ପ୍ରକାଶ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ