ମାନସିକ ବ୍ୟାଧି ହୋଇପାରେ ନିୟମିତ ଅନ୍ଲାଇନ୍ ସପିଂ
ନୂଆଦିଲ୍ଲୀ: ବର୍ତ୍ତମାନର ଜମାନା ବଦଳିଛି । ଲୋକେ ବଜାରକୁ ଯାଇ ସପିଂ କରିବା ଅପେକ୍ଷା ଘରେ ବସି ବିଭିନ୍ନ ସପିଂସାଇଟ୍ରୁ ମନପସନ୍ଦର ଦରକାରୀ ଜିନିଷ କ୍ରୟ କରିପାରୁଛନ୍ତି । ବିଭିନ୍ନ ସପିଂ ସାଇଟ୍ରେ ରିହାତି ସୁବିଧା ଥିବାରୁ ଲୋକମାନେ ଶସ୍ତାରେ ଜିନିଷ ଅର୍ଡର୍ କରିପାରୁଛନ୍ତି । କେତେକ ଲୋକ ଅଛନ୍ତି ଯାହାଙ୍କ ପାଇଁ ଅନଲାଇନ ସପିଂ କରିବା ଏକ ପ୍ରକାର ଅଭ୍ୟାସରେ ପରିଣତ ହୋଇଯାଇଛି । ଏହାକୁ ନେଇ ନିକଟରେ ଏକ ଅଧ୍ୟୟନ କରାଯାଇଥିଲା । ଏଥିରୁ ଜଣାଯାଇଛି ଯେ ନିୟମିତ ଅନଲାଇନ ସପିଂର ଏହି ଅଭ୍ୟାସ ଏକ ପ୍ରକାର ମାନସିକ ରୋଗ । ୧୨୨ ଜଣଙ୍କ ଉପରେ କରାଯାଇଥିବା ଅଧ୍ୟୟନରୁ ସ୍ପଷ୍ଟ ହୋଇଛି କି ୩୪ ପ୍ରତିଶତ ରୋଗୀଙ୍କର ଅନଲାଇନ ସପିଂର ନିଶା ମାତ୍ରାଧିକ । ସେମାନେ ଚିନ୍ତା ଏବଂ ଅବସାଦଜନିତ ରୋଗରେ ପୀଡ଼ିତ । ସେମାନେ ବାୟିଂ ସପିଂ ଡିସଅର୍ଡର ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଜର୍ମାନୀର ହୋନବର ମେଡିକାଲ ସ୍କୁଲରେ ଅଧ୍ୟୟନକାରୀଙ୍କ ଅଧ୍ୟୟନକାରୀଙ୍କ କହିବା ଅନୁସାରେ ଏହି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କୁ ଜିନିଷ କିଣିବାର ତୀବ୍ର ଇଚ୍ଛା ରହିଥାଏ । ଏହି ପରେ ମାନସିକ ଚିନ୍ତା ବୃଦ୍ଧି ହୋଇଥାଏ ଏବଂ ଏହାକୁ ନେଇ ଘରୋଇ କଳହ ମଧ୍ୟ ବଢ଼ିଥାଏ ବୋଲି କୁହାଯାଇଛି । ଆପଣ ଜାଣି ବିସ୍ମିତ ହେବେ ଯେ ଏବେ ଅନେକ ଲୋକ ଅନଲାଇନ ସପିଂର ଅଭ୍ୟାସରୁ ନିଜକୁ ଦୂରେଇବା ପାଇଁ ଚିକିତ୍ସିତ ମଧ୍ୟ ହେଉଛନ୍ତି ।


