ମାର୍ଚ୍ଚ ୧୫ରୁ ନାମଲେଖା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ଉତ୍ତରବାଡ଼ ଠାରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା ହେଉଥିବା ବେଳେ ଏବେ ଭିତ୍ତିଭୂମି କାର୍ଯ୍ୟ ଜୋରଦାର ଚାଲିଛି । ଉତ୍ତରବାଡ଼ ଓ ମା ଚେକାସାନ୍ତାଣୀ ପୀଠ ମଧ୍ୟ ସ୍ଥଳୀ ଠାରେ ୫ଏକର ଜମିରେ ଆଦର୍ଶ ବିଦ୍ୟାଳୟ ନିର୍ମାଣ ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ମାର୍ଚ୍ଚ ସୁଦ୍ଧା ୧୫ହଜାର ସ୍କୋୟାର ଫୁଟ ବିଶିଷ୍ଟ ପ୍ରଥମ ମହଲା ଅଟାଳିକ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ପାଚେରୀ ଓ ରାସ୍ତା କାର୍ଯ୍ୟ ଶୀଘ୍ର ସାରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଠିକା ସଂସ୍ଥାକୁ ନିର୍ଦେଶ ଦିଆଯାଇଛି । ଏଠାରେ ବିଦ୍ୟାଳୟ ନିର୍ମାଣ ପାଇଁ ଗତ ବର୍ଷ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାସ ଓ ସ୍ଥାନୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ କରକମଳରେ ଭିତ୍ତିପ୍ରସ୍ଥର ସ୍ଥାପନ ହୋଇଥିଲା। ଚଳିତ ବର୍ଷ କାମକୁ ଯୁଦ୍ଧ କାଳୀନ ଭିତ୍ତିରେ ସାରିବା ସହ ମାର୍ଚ୍ଚ ୧୫ସୁଦ୍ଧା ଗଣଶିକ୍ଷା ବିଭାଗ ପକ୍ଷରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜଣାପଡିଛି ।


