ମାର୍ଚ୍ଚ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ମେଳା

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଜନ୍ମ ବାର୍ଷିକୀ ପାଳନ ଦିବସ ମାର୍ଚ୍ଚ ୫ ତାରିଖ ଠାରୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ସ୍ଥିତ ଉମା ଚରଣ ପଟ୍ଟନାୟକ ଇଂଜିନିୟରିଂ ସ୍କୁଲ ପଡିଆ ଠାରେ ଜିଲ୍ଲା ସ୍ତରୀୟ ଉଦ୍ୟୋଗୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଏ ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହ ପ୍ରକୋଷ୍ଠ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଶିଳ୍ପ କେନ୍ଦ୍ର ସଂସ୍ଥା ସାଧାରଣ ସମ୍ପାଦକ ଲୋକନାଥ ଦଳ ବେହେରା ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ବାରା ଅନୁଷ୍ଠିତ ହେବାକୁ ଥିବା ପ୍ରଦର୍ଶନୀ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ । ବିଭାଗୀୟ ସହକାରୀ ପରିଚାଳକ ଚିନ୍ମୟ ପରିଡା ସମସ୍ତ ଆୟୋଜନ ସମ୍ପର୍କରେ ଅବଗତ କରାଇଥିଲେ ଯେ, ଗଞ୍ଜାମ ଜିଲ୍ଲାର କୋଣ ଅନୁକୋଣରୁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ଗଣ ଏହି ମେଳାରେ ଅଂଶ ଗ୍ରହଣ କରି ପ୍ରସ୍ତୁତ ହୋଇଥିବା ଷ୍ଟଲ ଗୁଡିକରେ ନିଜର ଉତ୍ପାଦିତ ଦ୍ରବ୍ୟ ଏବଂ ସେମାନଙ୍କ ସଂସ୍ଥା ଦ୍ବାରା ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ସମ୍ପର୍କରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରାଇବେ । ଜିଲ୍ଲାରେ ଓୌଦ୍ୟୋଗିକ ସମୃଦ୍ଧିକରଣ ନିମନ୍ତେ ଆଲୋଚନାଚକ୍ର ଏବଂ କର୍ମଶାଳା ଆୟୋଜିତ ହେବ । ଏହି କର୍ମଶାଳାର ଜିଲ୍ଲାର ଶିକ୍ଷିତ ବେକାର ଯୁବକଯୁବତୀ ମାନଙ୍କୁ ଅଣୁ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତି ଆଗ୍ରହ ସୃଷ୍ଟି କରାଯିବ ଏବଂ ଏଥିରେ ଅଂଶୀଦାରୀ ହେବା ନିମନ୍ତେ ସରକାରଙ୍କ ଦ୍ବାରା ପରିଚାଳିତ ନୀତି ନିୟମ ସମ୍ପର୍କରେ ଅବଗତ କରାଇ ଦିଆଯିବ । ଜିଲ୍ଲାର କୁଶଳୀ କାରିଗର, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗୀ ବୃହତ୍ ଶିଳ୍ପର ପ୍ରତିନିଧି ମାନଙ୍କୁ କର୍ମଶାଳା ମାଧ୍ୟମରେ ପ୍ରୋତ୍ସାହନ ଦିଆଯିବ । ସେମାନେ ଶିଳ୍ପ ସଂସ୍ଥା ପ୍ରତି କିଭଳି ଆଗ୍ରହୀ ହେବେ ଏବଂ ଏଥି ସକାଶେ ବ୍ୟାଙ୍କ ସହିତ ସଂଯୋଗ ସ୍ଥାପନ କରିବେ ତାହା ଅବଗତ ହୋଇ ପାରିବେ । ପାଞ୍ଚ ଦିନ ବ୍ୟାପୀ ହେଉଥିବା ଏହି ପ୍ରଦର୍ଶନୀ ଏବଂ କର୍ମଶାଳାରେ ଯୁବକ ମାନଙ୍କ ମଧ୍ୟରେ ବୈଷୟିକ ଦକ୍ଷତା ବୃଦ୍ଧି ଦିଗରେ ପଦକ୍ଷେପ ଗ୍ରହଣ କରାଯିବ । ଦକ୍ଷତା ଭିତ୍ତିରେ କୁଶଳୀ ଏବଂ ଅଣ କୁଶଳୀ ମାନଙ୍କୁ କିଭଳି ଆତ୍ମ ନିଯୁକ୍ତି ଦିଆଯିବ ସେଥି ସକାଶେ ସମସ୍ତ ବ୍ୟବସ୍ଥା ହେବ ବୋଲି ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଇଥିଲା । ଜିଲ୍ଲାରେ ଉପଲବ୍ଧ କଞ୍ଚାମାଲ ଏବଂ ବିଭିନ୍ନ ଶିଳ୍ପ ସଂସ୍ଥାରୁ ନିର୍ଗତ ଅପବ୍ୟବହାର ସାମଗ୍ରୀରୁ ନେଇ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ସାଧିତ ହୋଇପାରିବ । ପ୍ରତ୍ୟେକ ଦିନ ସଂଧ୍ୟା ୬ ଘଟିକା ଠାରୁ ରାତି ୯ ଘଟିକା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଅନୁଷ୍ଠିତ ହେବ । ସାମ୍ବାଦିକ ସମ୍ମିଳନୀର ସମସ୍ତ ସାମ୍ବାଦିକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଦୀପାର ପରିଚାଳକ ସନ୍ତୋଷ କୁମାର ରଣା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ