ମାସର ଶେଷ ୩ ଦିନ ରାଜ୍ୟରେ କାଁ ଭାଁ ବର୍ଷା

ଭୁବନେଶ୍ବର : ଚଳିତ ମାସର ଶେଷ ୩ ଦିନରେ ମଧ୍ୟ ବର୍ଷାର ସେମିତି କିଛି ସମ୍ଭାବନା ନାହିଁ। କାଁ ଭାଁ ସ୍ଥାନରେ ବର୍ଷା ହେବ। ଗରମ ଓ ଗୁଳୁଗୁଳି ଲାଗି ରହିବ। ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି କିଛି ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣ‌ର ବର୍ଷା ହୋଇପାରେ। ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ବି ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ରାଜ୍ୟରେ ଏବେ ମୌସୁମୀ ଦୁର୍ବଳ ଥିବାରୁ କିଛି କିଛି ସ୍ଥାନରେ ବର୍ଷା ହେଉଛି। ଫଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ଜାରି ରହିଛି। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଆସନ୍ତାକାଲି ଉତ୍ତର ଉପକୂଳ ଓଡ଼ିଶା ସମେତ ସୋନପୁର, ବୌଦ୍ଧ, ରାୟଗଡ଼ା, ଗଜପତି, କଳାହାଣ୍ଡି, ନୟାଗଡ଼, କନ୍ଧମାଳ, ଖୋର୍ଧା, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇପାରେ। ସେହିପରି ୨୯ ତାରିଖ ଦିନ ରାଜ୍ୟର ୪ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ହେଲା ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ। ଏଥିସହ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, ରାୟଗଡ଼ା, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳର କିଛି କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇପାରେ। ୩୦ ତାରିଖ ଦିନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ସମେତ କଟକ, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଚଳିତ ବର୍ଷ ଠିକ୍ ସମୟରେ ମୌସୁମୀ ଓଡ଼ିଶା ସ୍ପର୍ଶ କରିଥିଲେ ମଧ୍ୟ ଜୁନ୍‌ ମାସରେ ମାତ୍ର ୭/୮ ଦିନ ମୌସୁମୀ ବର୍ଷା ହୋଇଛି। ଉପକୂଳ ଅଞ୍ଚଳରେ ନିଅଣ୍ଟିଆ ବର୍ଷା ହୋଇଥିବା ଜଣାପଡ଼ିଛି। ତେବେ ଜୁଲାଇ ୧ ଓ ୨ ତାରିଖରେ ପାଗ ଶୁଖିଲା ରହିବ। ୩ ତାରିଖରୁ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ରାଜ୍ୟରେ ମୌସୁମୀକୁ ସକ୍ରିୟ କରିବ ବୋଲି ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ