ରାଷ୍ଟ୍ରପତିଙ୍କ ଦ୍ୱାରା ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଅଧ୍ୟାଦେଶ, ୨୦୨୦ଜାରି
ନୂଆଦିଲ୍ଲୀ : ବ୍ୟାଙ୍କମାନଙ୍କରେ ଜମାକାରୀଙ୍କ ଜମାଟଙ୍କାର ସୁରକ୍ଷା ସୁନିଶ୍ଚିତ କରିବା ସକାଶେ ସରକାରଙ୍କ ପ୍ରତିବଦ୍ଧତାକୁ କାର୍ଯ୍ୟକାରୀ କରିବା ସକାଶେ ରାଷ୍ଟ୍ରପତି ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ସଂଶୋଧନ ଅଧ୍ୟାଦେଶ, ୨୦୨୦ ଜାରି କରିଛନ୍ତି । ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନ, ୧୯୪୯ରେ ଏହି ଅଧ୍ୟାଦେଶ ସଂଶୋଧନ ଘଟାଇଛି ଯାହାକି ଦେଶର ସମବାୟ ବ୍ୟାଙ୍କଗୁଡ଼ିକ ପ୍ରତି ପ୍ରଯୁଜ୍ୟ । ଏହି ଅଧ୍ୟାଦେଶରେ ଜମାକାରୀଙ୍କ ସ୍ୱାର୍ଥକୁ ଅଧିକ ସୁରକ୍ଷିତ ରଖାଯିବାର ବ୍ୟବସ୍ଥା ରହିଛି ଏବଂ ସମବାୟ ବ୍ୟାଙ୍କଗୁଡ଼ିକୁ ଏହା ଅଧିକ ମଜଭୁତ କରିବା ସହ ସେମାନଙ୍କ ପରିଚାଳନାକୁ ଉନ୍ନତ କରିବ ଏବଂ ଅନ୍ୟାନ୍ୟ ବ୍ୟାଙ୍କମାନଙ୍କ ପରିପ୍ରେକ୍ଷୀରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ଯେଉଁ କ୍ଷମତା ପ୍ରଦାନ କରାଯାଇଛି ତାହା ଏବେ ସମବାୟ ବ୍ୟାଙ୍କମାନଙ୍କ ପ୍ରତି ମଧ୍ୟ ଲାଗୁ ହେବ । ଏହା ସେହିସବୁ ବ୍ୟାଙ୍କଗୁଡ଼ିକର ପରିଚାଳନାକୁ ସୁସଂଗତ କରିବ ତଥା ପୁଞ୍ଜି ଉପଲବ୍ଧ କରିବା କ୍ଷେତ୍ରରେ ଅଧିକ ପେଶାଦାରୀତା ତଥା ସକ୍ଷମତାର ସହ ବ୍ୟାଙ୍କଗୁଡ଼ିକୁ ସେଭଳି ସୁବିଧା ଉପଲବ୍ଧ କରାଇବ । ଏହି ସଂଶୋଧନ ସମବାୟ ସମିତି ଯାହାକି ରାଜ୍ୟ ସମବାୟ ଆଇନ ପରିସରଭୁକ୍ତ ସେମାନଙ୍କ ରାଜ୍ୟ ରେଜିଷ୍ଟ୍ରାରମାନେ ବର୍ତ୍ତମାନ ଉପଭୋଗ କରୁଥିବା କ୍ଷମତାକୁ ଆଦୌ ବ୍ୟାହତ କରିବନାହିଁ । ସେହିଭଳି ଏହି ସଂଶୋଧନ ପ୍ରାଥମିକ କୃଷି ଋଣ ଯୋଗାଣକାରୀ ସୋସାଇଟି (ପିଏସିଏସ) କିମ୍ବା ସମବାୟ ସମିତି ଯାହାଙ୍କର ପ୍ରାଥମିକ କାର୍ଯ୍ୟ ଓ ବ୍ୟବସାୟ ହେଲା କୃଷି ବିକାଶ ନିମନ୍ତେ ଦୀର୍ଘକାଳୀନ ଅର୍ଥ ଯୋଗାଣ, ସେଥିପ୍ରତି ପ୍ରଯୁଜ୍ୟ ହେବନାହିଁ । ଏବଂ ଯେଉଁମାନେ “ବ୍ୟାଙ୍କ” କିମ୍ବା “ବ୍ୟାଙ୍କର” ବା “ବ୍ୟାଙ୍କିଙ୍ଗ” ଭଳି ଶବ୍ଦ ବ୍ୟବହାର କରନ୍ତି ନାହିଁ ଅଥବା ଯେଉଁମାନେ ଚେକ୍ ଉଠାଣକାରୀ ଭାବେ କାର୍ଯ୍ୟ କରନ୍ତି ନାହିଁ ସେମାନଙ୍କ ପ୍ରତି ମଧ୍ୟ ଏହା ଲାଗୁ ହେବନାହିଁ । ଏହି ଅଧ୍ୟାଦେଶ ବ୍ୟାଙ୍କିଙ୍ଗ ନିୟନ୍ତ୍ରଣ ଆଇନର ଧାରା ୪୫କୁ ସଂଶୋଧନ କରେ ଯଦ୍ୱାରା ବ୍ୟାଙ୍କିଙ୍ଗ କମ୍ପାନୀମାନଙ୍କ ପୁନଃନିର୍ମାଣ କିମ୍ବା ମିଶ୍ରଣକୁ ସକ୍ଷମ କରିପାରିବ ଏବଂ ଏହା ଦ୍ୱାରା ଜନସାଧାରଣ, ଜମାକାରୀ ଏବଂ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଅଧିକ ସୁରକ୍ଷିତ ହୋଇପାରିବ । ଏହା ଫଳରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥାର ସୁପରିଚାଳନା ସୁନିଶ୍ଚିତ ହୋଇପାରିବ ଏବଂ ଏଥିପାଇଁ କୌଣସି ଅର୍ଡ଼ର ଅଫ୍ ମୋରାଟୋରିଅମ୍ ପ୍ରସ୍ତୁତ କରିବାକୁ ପଡ଼ିବନାହିଁ । ଯଦ୍ୱାରା ଆର୍ଥିକ ବ୍ୟବସ୍ଥା ବ୍ୟାହତ ହେବାଭଳି ସମସ୍ୟାକୁ ମଧ୍ୟ ଏଡ଼ାଯାଇପାରିବ ।


