ମାସ୍କ ତିଆରିରେ ସିଂହବାହୀନି ସ୍ୱଂୟ ସହାୟିକା ଗୋଷ୍ଠୀ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ସାରା ବିଶ୍ୱରେ ଦୃତ ଗତିରେ ବ୍ୟାପୁଥିବା କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ସକାଶେ ହିଂଜିଳି ପ୍ରଶାସନ ସମ୍ପୁର୍ଣ୍ଣ ସଜାଗ । କରୋନାର ମୁକାବିଲା ସକାଶେ ସ୍ଥାନୀୟ ବ୍ଳକର ପ୍ରତ୍ୟେକ ଗ୍ରାମରେ ଅଙ୍ଗନୱାଡ଼ି କର୍ମୀ, ସ୍ୱାସ୍ଥ୍ୟ କର୍ମୀ, ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଟିମ୍ ଗଠନ କରାଯାଇ କରୋନା ଭାଇରସ ସମ୍ପର୍କରେ ସଚେତନ କରାଯିବା ସହ ଘରୁ ବାହରକୁ ବାହାରିବା ମାତ୍ରେ ମାସ୍କ ବ୍ୟବହାର କରିବା ସକାଶେ ଅନୁରୋଧ କରାଯାଉଛି । ସ୍ଥାନୀୟ ସହରରେ ଦୀର୍ଘଦିନ ପୂର୍ବରୁ ମାସ୍କର ଅଭାବ ପରିଲିକ୍ଷିତ ହୋଇଥିଲା । ସଂମ୍ପ୍ରତି କରୋନା ସଂକ୍ରମଣ ଭୟାବହତା ପରେ ମାସ୍କ ବ୍ୟବହାର ସକାଶେ ପ୍ରଶାସନ ପଡକ୍ଷରୁ ପରାମର୍ଶ ଦିଆଯାଇଛି । ହେଲେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଗ୍ରାମାଂଚଳ ବଜାରରେ ମାସ୍କର ଅଭାବ ଦେଖାଦେବା ପରେ ଏହାର ଅଭାବ ପୁରଣ କରିବା ପାଇଁ ଆଗେଇ ଆସିଛି ହିଂଜିଳିକାଟୁ ବ୍ଳକ ନନ୍ଦିକ ଗ୍ରାମର ସିଂହବାହିନୀ ସ୍ୱଂୟ ସହାୟିକା ଗୋଷ୍ଠୀ । ସଂପୃକ୍ତ ସ୍ୱଂୟ ସହାୟିକା ଗୋଷ୍ଠୀ ପୂର୍ବରୁ ଶିକ୍ଷାର୍ଥୀ ମାନଙ୍କ ସକାଶେ ଡ଼୍ରେସ ସିଲେଇ କରୁଛନ୍ତି । ବଜାରରେ ମାସ୍କର ଚାହିଦାକୁ ମେଂଟାଇବା ଲକ୍ଷ୍ୟରେ ଗଂଜାମ ଜିଲ୍ଲାପାଳଙ୍କ ଠାରୁ ଅନୁମତି ପାଇବା ପରେ ମାସ୍କ ସିଲେଇ କରିବାରେ ଲାଗି ପଡ଼ିଛନ୍ତି । ଦୈନିକ ୪ଶହରୁ ଉର୍ଦ୍ଧ୍ୱ ମାସ୍କ ତିଆରି କରାଯାଉଥିବା ଜଣାପଡ଼ିଛି । ନନ୍ଦିକ ଗ୍ରାମର ସିଂହବାହିନୀ ସ୍ୱଂୟ ସହାୟିକା ଗୋଷ୍ଠୀର ସଭାନେତ୍ରୀ ନନ୍ଦିନି ପ୍ରଧାନ ଓ ସମ୍ପାଦିକା ଭାରତୀ ପ୍ରଧାନଙ୍କ ନେତୃତ୍ୱରେ ୨୦ରୁ ଉର୍ଦ୍ଧ୍ୱ ମହିଳା ମାସ୍କ ସିଲେଇରେ ଲାଗି ପଡ଼ିଛନ୍ତି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରସନ କୁମାର ପାତ୍ର ଓ ସିଡ଼ିପିଓ ଶୁଭଶ୍ରୀ ପାତ୍ର ନନ୍ଦିକ ଗ୍ରାମର ସିଂହବାହିନୀ ସ୍ୱଂୟ ସହାୟିକା ଗୋଷ୍ଠୀର କର୍ମକର୍ତାଙ୍କୁ ଭେଟି ସେମାନଙ୍କଅଭାବ ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି । ସିଂହବାହିନୀ ସ୍ୱଂୟ ସହାୟିକା ଗୋଷ୍ଠୀର ଏଭଳି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।


